ନୂଆଦିଲ୍ଲୀ,: ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଜଷ୍ଟିସ୍ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳ ସୀମିତ ସମୟ ପାଇଁ ରହିବ । ୬ ମାସ ପରେ ନଭେମ୍ବରରେ ସେ ଅବସରଗ୍ରହଣ କରିବେ । ଜଷ୍ଟିସ କେଜି ବାଲାକୃଷ୍ଣଙ୍କ ପରେ ଦ୍ୱିତୀୟ ଦଳିତ ବିଚାରପତି ଭାବେ ସେ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି । ମହରାଷ୍ଟ୍ର ମରାବତୀର ଜଷ୍ଟିସ ଗଭାଇ ୧୯୮୫ରେ ଓକିଲ ସଂଘରେ ସାମିଲ ହୋଇଥିଲେ । ସେ ଓକିଲ ତଥା ପୂର୍ବତନ ଆଡଭୋକେଟ ନେରାଲ ଏବଂ ମହାରାଷ୍ଟ୍ର ହାଇକୋର୍ଟର ପୂର୍ବତନ ବିଚାରପତି ରାଜା ଭୋସଁଲେଙ୍କ ସହ କାମ କରିଥିଲେ । ପରେ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ସେ ସ୍ୱାଧୀନ ଭାବେ ଓକିଲାତି କରିଥିଲେ । ୧୯୯୨ ଅଗଷ୍ଟରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ, ୨୦୦୩ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୦୫ରେ ସ୍ଥାୟୀ ବିଚାରପତି ନିଯୁକ୍ତ କରା ଯାଇଥିଲା । ଜଷ୍ଟିସ ଗଭାଇ ୨୦୧୯ରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ । ସେ ସର୍ବୋଚ୍ଚ ନ୍ୟାୟାଳୟର ବିଭିନ୍ନ ଖଣ୍ଡପୀଠରେ ସାମିଲ ହୋଇ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି ।