ସମ୍ବଲପୁର, : ଜ୍ୟୈଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ପରିଣୟ ସମ୍ପନ୍ନ ହୋଇଯାଇଛି । ଏଥିପାଇଁ ବିଭିନ୍ନ ଶିବାଳୟ ଗୁଡିକୁ ରଙ୍ଗୀନ ଲୋକମାଳାରେ ସଜ୍ଜିତ କରାଯାଇଛି । ପରମ୍ପରା ଅନୁଯାୟୀ ପୂର୍ବ ବର୍ଷ ପାର୍ବତୀଙ୍କ କନ୍ୟା ପିତାମାତା ଭୂମିକା ନେଇଥିବା ଦମ୍ପତ୍ତିଙ୍କ ଘରକୁ ଦେବୀଙ୍କୁ ନିଆଯାଇଥିଲା । ସେଠାରେ ଗଣ୍ଡାଳ ଫିଟା ନୀତି ଅନୁଷ୍ଠିତ ହୋଇଥିଲା । ପରେ ଚଳିତବର୍ଷ କନ୍ୟା ପିତାମାତା ହୋଇଥିବା ଦମ୍ପତ୍ତି ଦେବୀ ପାର୍ବତୀଙ୍କୁ ନିଜ ଘରକୁ ନେଇ ଯାଇଥିଲେ । ସେଠାରେ ପାର୍ବତୀ ଏବଂ ଶିବାଳୟରେ ହାଦେବଙ୍କ ସ୍ୱତନ୍ତ୍ର ଅଭିଷେକ ଓ ବେଶ କରାଯାଇଥିଲା । ମହାଦେବ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଓ ରୂପା ଆଭୂଷଣରେ ସଜ୍ଜିତ ହୋଇ ରାତିରେ ବର ବେଶରେ ବାହାରିଥିଲେ । ଭୋଳାନାଥଙ୍କୁ ସ୍ୱତନ୍ତ୍ର ପାଲିଙ୍କି ସହ ଶୋଭାଯାତ୍ରାରେ ବିବାହ ମଣ୍ଡପକୁ ନିଆଯାଇଥିଲା । ବିଭିନ୍ନ ପଡ଼ାରୁ ବାହାରିଥିବା ଏହି ଶୋଭାଯାତ୍ରାମାନଙ୍କରେ ଘଣ୍ଟ, ଶଙ୍ଖ, ସମ୍ପ୍ରଦା, ଡମ୍ବରୁ, ପଞ୍ଚବାଦ୍ୟ ସହ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର କଳାକାର ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ପରେ ମାହେନ୍ଦ୍ର ବେଳାରେ ବିବାହ ମଣ୍ଡପ ଗୁଡିକରେ ଲୌକିକ ରୀତିରେ ଶିବ ଓ ପାବତୀଙ୍କ ପରିଣୟ ସମ୍ପନ୍ନ ହୋଇଥିଲା । ବଂ ବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ସହ ଚନ୍ଦ୍ରଶେଖର, ସାକ୍ଷୀଗୋପୀନାଥ, ପଞ୍ଚବକ୍ର ଏବଂ ନୃସିଂହ ମହାପ୍ରଭୁ ସୁସଜ୍ଜିତ ବିମାନ ଗୁଡିକରେ ବରଯାତ୍ରୀରେ ବାହାରି ଶୋଭାଯାତ୍ରା ସହ ବିବାହସ୍ଥଳକୁ ପହଞ୍ଚିଥିଲେ । ନନ୍ଦପଡ଼ାର ରାମଚରଣ ମିଶ୍ର ଏବଂ ବବିତା ମିଶ୍ର ବର ପିତାମାତା ଓ ଝାରସୁଗୁଡ଼ାର ବମ୍ବେ ଛକ ନିବାସୀ ପ୍ରତାପ ନନ୍ଦ ଓ ଲିପିକା ନନ୍ଦ କନ୍ୟା ପିତାମାତା ଭୂମିକା ଗ୍ରହଣ କରିଥିଲେ । ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ମନ୍ତ୍ରାଚ୍ଚାରଣ କରିଥିଲେ । ସ୍ଥାନୀୟ ନାରୀସେବା ସଦନ ହଲ୍ ଠାରେ ସ୍ୱତନ୍ତ୍ର ମଣ୍ଡପରେ ଏଥିପାଇଁ ବିବାହ ବେଦୀ କରାଯାଇଥିଲା । ସେହିପରି ଝାଡୁଆପଡ଼ାର ଲୋକନାଥ ବାବାଙ୍କ ବରଯାତ୍ରାରେ ପଞ୍ଚବକ୍ର, ରାଧାକୃଷ୍ଣ ଏବଂ ବୀର ହନୁମାନ ସ୍ୱତନ୍ତ୍ର ପାଲିଙ୍କିରେ ଅଂଶଗ୍ରହଣ କରି ଲୋକନାଥ ବାବାଙ୍କ ବରଯାତ୍ରାରେ ପଞ୍ଚବକ୍ର, ରାଧାକୃଷ୍ଣ ଏବଂ ବୀର ହନୁମାନ ସ୍ୱତନ୍ତ୍ର ପାଲିଙ୍କିରେ ଅଂଶଗ୍ରହଣ କରିଥିଲେ । ବିବାହ ପାଇଁ ଅମରନାଥ ସୂପକାର ଓ ଅମୟ ସୂପକାର ବର ପିତାମାତା ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ସାକ୍ଷୀଗୋପୀନାଥ ପଡ଼ା ନିବାସୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ତାଙ୍କ ପତ୍ନୀ ପଦ୍ମିନୀ ନାୟକ କନ୍ୟା ପିତାମାତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବିବାହ ଉତ୍ସବ ମହାନଦୀ କ୍ଲବ ଠାରେ ନିର୍ମିତ ସୁସଜ୍ଜିତ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ମହେନ୍ଦ୍ର କୁମାର ପୂଜାରୀ ଏହାକୁ ସଂଯୋଜନା କରିଥିଲେ । ମୁଦି ପଡ଼ାର ଜାଗେଶ୍ୱର ମହାଦେବ ଦେବୀ ପାର୍ବତୀଙ୍କ ପରିଣୟ ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ବରପିତା ମଧୁସୂଦନ ନେଗୀ ଏବଂ ବୁର୍ଲା କଣ୍ଟ୍ରାକ୍ଟର କଲୋନୀର ମୃତ୍ୟୁଞ୍ଜୟ ଦାଶ ଏବଂ ମଧୁସ୍ମିତା ପଣ୍ଡା କନ୍ୟା ପିତାମାତା ଭୂମିକା ଦାୟିତ୍ୱ ବହନ କରିଥିଲେ । ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ । ଜାଗେଶ୍ୱରଙ୍କ ବର ଶୋଭାଯାତ୍ରାରେ ରାଧାକୃଷ୍ଣ, ବୀର ହନୁମାନ ଭିନ୍ନ ଭିନ୍ନ ପାଲଙ୍କିରେ ପରିକ୍ରମା କରିଥିଲେ । ଏଥିସହ ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାର ର ଶୀତଳେଶ୍ୱର, ଠାକୁରପଡ଼ାର ଗୁପ୍ତେଶ୍ୱର, ମାନେଶ୍ୱରର ମାନ୍ଧାତା, ଦୁର୍ଗାପାଲିର ଗୁଡ଼େଶ୍ୱର, ଫାଟକର ମହାକାଳେଶ୍ୱର , ବୁଢ଼ାରଜାର ପାହାଡ଼େଶ୍ୱର, ମୁନ୍ୟସିପାଲଟି ଛକର ଗୁପ୍ତେଶ୍ୱରଙ୍କ ମଧ୍ୟ ବିବାହ ଉତ୍ସବ ପାରମ୍ପାରିକ ରୀତିରେ ବିଧି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ତେବେ ପଞ୍ଜିକା ଅନୁଯାୟୀ ଜ୍ୟେଷ୍ଠମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥର ରାତି ଶିବ-ପାର୍ବତୀଙ୍କ ପରିଣୟ ପରେ ସୋମବାର ଷଷ୍ଠୀ ତିଥିରେ ନବପରିଣତ ଦେବଦେବୀ ମନ୍ଦିର ବେଢ଼ାକୁ ପ୍ରତ୍ୟାବର୍ତ୍ତନ କରିବେ । ଦେବ ଦମ୍ପତି ଗଣ୍ଡାଳ ହୋଇ ରବିବାର ରାତିରେ ଭକ୍ତଙ୍କୁ ଦର୍ଶନ ଦେବା ସହ ନଗର ପରିକ୍ରମା କରିବେ । ଆସନ୍ତା ସୋମବାର ଦେବଦମ୍ପତିଙ୍କ ଗମ୍ଭୀରୟ ବିଜେ କାର୍ଯ୍ୟକ୍ରମ ରହିଛି ।