ଭୁବନେଶ୍ୱର, ୧୦ା୬: ଓଜେଇଇ-୨୦୨୫ ଫରୀକ୍ଷା ଫଳ ପ୍ରକାଶ ପାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷା ଫଳାଫଳ ପୁସ୍ତିକା ଉନ୍ମୋଚନ ବେଳେ ମନ୍ତ୍ରୀଙ୍କ ସମେତ ବିଭାଗର ଶାସନ ସଚିବ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବ, ଓଜେଇଇର ଅଧ୍ୟକ୍ଷ ଏବଂ ସଚିବ ଉପସ୍ଥିତ ଥିଲେ । ପରୀକ୍ଷାର୍ଥୀ ସେମାନଙ୍କ ରାଙ୍କ କାର୍ଡ www.ojee.nic.in ରେ ପାଇପାରିବେ । ବି. ଫାର୍ମାରେ ଯତୀନ ବେହେରା ଟପ୍ପର ହୋଇଛନ୍ତି । ସେହିପରି ଏମବିଏରେ ଅନୁରାଗ ମିଶ୍ର, ଏମସିଏରେ ଏସ. ସିଶ୍ରେନ୍ଦ୍ରୀ, ଏମ. ଫାର୍ମାରେ ହିତେଶ କୁମାର ଧଳ ଟପ୍ପର ହୋଇଛନ୍ତି । ଲେଟରାଲ-ଟେକ୍ନୋଲୋଜି (ଡିପ୍ଲୋମା) ପରୀକ୍ଷାରେ ଗୌରବ ସ୍ୱାଇଁ, ଲେଟରାଲ ଏଣ୍ଟ୍ରି-ଟେକ୍ନୋଲୋଜି (ବିଏସସି)ରେ ସାକ୍ଷୀ କୁମାରୀ, ଏଣ୍ଟ୍ରି-ଟେକ୍ନୋଲୋଜି-ଫାର୍ମାସିରେ ସାଗରିକା ଦାଶ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରଚଳିତ ୧୭ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ, ସର୍ବ ମୋଟ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଚଳିତବର୍ଷ ସମୁଦାୟ ୯୨.୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ୮୦,୩୨୪ ପରୀକ୍ଷାର୍ଥୀ (୮୬.୮୪ ପ୍ରତିଶତ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି । ନର୍ସିଙ୍ଗ ପାଠ୍ୟକ୍ରମର ଫଳାଫଳ ରାଜ୍ୟ ଡିଏମ୍ଇଟି ତରଫରୁ ପ୍ରକାଶ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।