ମହାପ୍ରଭୁ ସୁସ୍ଥ, ଗଜପତିଙ୍କୁ ଦିଆଗଲା ଖବର

0 86

ପୁରୀ, : ଦଶମୂଳ ସେବନ ପରେ ଅଣସରରେ ଥିବା ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ସୁସ୍ଥ ହୋଇଥିବା ଖବର ରବିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପ୍ରଦାନ କରାଯାଇଯାଇଛି । ଅଣସରର ଦ୍ୱାଦଶୀ ତିଥିରେ ସମ୍ପନ୍ନ ହୋଇଛି ଶ୍ରୀଜିଉମାନଙ୍କର ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ବଢିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ପରେ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ
କରାଯାଇଥିଲା । ଶନିବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ସହିତ ଶ୍ରୀଜିଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ଲାଗି ଦଇତାପତି ଓ ବିଦ୍ୟାପତି ସେବାୟତମାନେ ଶ୍ରୀଜିଉଙ୍କ ପ୍ରସାଦ ସ୍ୱରୂପ କରାଳ, ଚନ୍ଦନ, ପାଟବସ୍ତ୍ର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଥିଲେ । ଉଲ୍ଲେଖଯୋଗ୍ୟ ମହାପ୍ରଭୁଙ୍କ ସଂପୂର୍ଣ୍ଣ ସୁସ୍ଥତା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରି ଦଶମୀତିଥିରେ ଶ୍ରୀମନ୍ଦିରକୁ ଆଣିଥିଲେ । ତାଳଚୂର୍ଣ୍ଣି, ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଆ ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଏହି ମୋଦକକୁ ଏକାଦଶୀ ଦିନ ପତି ମହାମାତ୍ରସେବକ ମହାପ୍ରଭୁଙ୍କୁ ସମର୍ପିଥାନ୍ତି । ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି । ଅଣସରର ଦ୍ୱାଦଶ ଦିବସରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ । ଏହାପରେ ପ୍ରଥମ କରି ଅଣସରରେ ଥିବା ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯିବ । ମହାପ୍ରଭୁଙ୍କୁ ଚନ୍ଦନ ଲାଗି ସହିତ ନୂଆ ଖଣ୍ଡୁଆ ମଧ୍ୟ ଲାଗି କରାଯିବ ।

Leave A Reply

Your email address will not be published.