ପନିପରିବା ଦର ଆକାଶ ଛୁଆଁ, ଖାଉଟି ମୁଣ୍ଡରେ ଚଡକ

0 40

ଉମରକୋଟ, : ପୁଣି ଦର ବୃଦ୍ଧି ଲେଉଟିଛି । ଗତ ଦୁଇ ମାସ ତଳେ ଥିବା ପନିପରିବା ଦର ହଠାତ ବୃଦ୍ଧି ଘଟିଛି । ଦୁଇ ସପ୍ତାହ ହେବ ପନିବରିବା ଦର ବୃଦ୍ଧି ହେଇ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର ମନା ହୋଇଛି । ପରିବା କିଣିଲେ ପକେଟ ଖାଲି ହେଲେ ଭର୍ତ୍ତି ହେଉନି ବ୍ୟାଗ୍ । ସବୁ ପରିବା ଦର ୫୦ରୁ ଶହେ । ଅଧିକାଂଶ ସ୍ଥାନରେ ସବୁଜ ପରିବା ଦର କିଲୋ ପ୍ରତି ଶହେ ଟଙ୍କା । ଉତ୍ପାଦନକୁ ବାଧା ଦେଉଛି
ଲଗାଣ ବର୍ଷା । ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର । ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି । ଯେଉଁଥିପାଇଁ ଏବେ ପରିବା ଦର ଶୁଣିଲେ ଡର ମାଡୁଛି । ନୀତି ଦିନ ବ୍ୟବହାର ହେଉଥିବା ସବୁ କଞ୍ଚା ପନିପରିବା କିଛି ବି ୫୦ ଟଙ୍କା ତଳକୁ ନାହିଁ । ତାହା ପୁଣି ପଡୋଶୀ ଉପରେ ଭରସା । ଏବେ ପ୍ରଶ୍ନ ଉଠୁଛି, କେବେ ଆତ୍ମନିର୍ଭରଶୀଳ ହେବ ଆମ ରାଜ୍ୟ । ବଜାରରେ ବିଭିନ୍ନ ପ୍ରକାରର ପରିବା ଅଛି ସତ ହେଲେ ହାତ ମାରି ବାକୁ ଡର ଲାଗୁଛି । ବାଇଗଣ କିଲୋ ପ୍ରତି ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଜହ୍ନି ୫୦, କଲରା ୮୦, କାକୁଡ଼ି ୫୦, ଭେଣ୍ଡି ୫୦, ପୋଟଳ ୬୦-୮୦, ବିନ୍ସ ୧୦୦-୧୨୦, ଝୁଡଙ୍ଗ ୪୦, ଟମାଟୋ ୪୦ ଟଙ୍କା, ଗାଜର ୫୦ ଟଙ୍କା କିଲୋରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ । ଅନ୍ୟପଟେ ପରିବା ଦୋକାନୀ ନିଜେ କିଣିବାକୁ ଡରୁଛନ୍ତି,
ବିକିବେ କ’ଣ ବୋଲି ପଚାରିବା ସାଙ୍ଗକୁ ବର୍ଷା ପାଇଁ ପରିବା ଆସିବା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି । ଗ୍ରାହକ ମଧ୍ୟ ଚା’ଦରରେ ପରିବା କିଣୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ସ୍ଥାନୀୟ ଅଞ୍ଚଳରେ ପନି ପରିବା ଉତ୍ପାଦନ ସମୟରେ ଦର ନିୟନ୍ତ୍ରଣ ରହୁଛି । କିନ୍ତୁ ଯେତେବେଳେ ସ୍ଥାନୀୟ ଅଞ୍ଚଳର ଉତ୍ପାଦନ କମିଯାଉଛି ସେତେବେଳେ ବାହାର ରାଜ୍ୟର ପନିପରିବା ଆସୁଛି ସେତେବେଳେ ଦର ବୃଦ୍ଧି ଘଟୁଛି । ସ୍ଥାନୀୟ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବାକୁ ଶାଗ ମାଛ ଦରରେ ମଧ୍ୟସ୍ତିଙ୍କ ମାଧ୍ୟମରେ ବିକ୍ରି କରି ଦେଉଛନ୍ତି । ଯେଉଁଥିପାଇଁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଶୀତଳ ଭଣ୍ଡାର ସୁବିଧା ଥିଲେ ହୁଏତଃ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଗଚ୍ଛିତ ରଖି ବଜାରର ଚାହିଦା ମୁତାବକ ନିଜ ସାମଗ୍ରୀ ବିକ୍ରି କରି ଲାଭାନ୍ୱିତ ହେଇ ପାରନ୍ତେ । କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦର ଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଖାଉଟି ମୁଣ୍ଡରେ ଚଡକ ପଡିଛି । ବର୍ତ୍ତମାନ ଅଧିକାଂଶ ପନିପରିବା ବାହାର ରାଜ୍ୟ ଆନ୍ଧ୍ର, ରାୟପୁର, ଭଳି ଜାଗାରୁ ଆସୁଥିବା ବେଳେ ବର୍ଷା ଯୋଗୁଁ ଅର୍ଦ୍ଧେକ ବାଟରେ ପଚି ନଷ୍ଟ ହୋଇଯାଉଛି । କିଛି ପରିବା ଟ୍ରକ ବର୍ଷା ପାଇଁ ଆସି ପାରୁନାହିଁ । ତେଣୁ ବସ୍ତାଏ ପରିବା ଅଧା ନଷ୍ଟ ବାହାରୁ ଥିବାରୁ ଆଉ ଅଧା ପରିବାକୁ ଏମିତି ଅଧିକ ଦରରେ ବିକିବାକୁ ଖୁଚୁରା ବ୍ୟବସାୟୀ ବାଧ୍ୟ ହେଉଥିବା ନେଇ କହିଛନ୍ତି ଗୋଦାମ ମାଲିକ । ତେବେ ବର୍ଷା ଲାଗିରହିଲେ ଆଗକୁ ପନିପରିବା ଦରବୃଦ୍ଧି ତ ଦୂର କଥା ମିଳିବା ମୁସ୍କିଲ ହୋଇଯିବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.