ଭୁବନେଶ୍ୱର, 21/7: ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ । ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ଅଧିକାରୀ ସରକାରଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଦ୍ୱାରା ଆମ ରାଜ୍ୟର ଅଶେଷ ଉପକାର ସାଧିତ ହୋଇପାରିବ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।ରାଜ୍ୟ ସଚିବାଳୟର ନବନିଯୁକ୍ତ ତାଲିମ ଗ୍ରହଣକାରୀ ଉପବିଭାଗୀୟ ଅଧିକାରୀମାନେ ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଆସିଥିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି କହିଲେ ଯେ ବିଧାନସଭାର କାର୍ଯ୍ୟାବଳୀକୁ ସୁନିଶ୍ଚିତ ତଥା ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ପ୍ରଣୀତ ହୋଇଛି । ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ । ଶାସକ ଓ ଶାସିତମାନଙ୍କ ମଧ୍ୟରେ ସୁନ୍ଦର ସମନ୍ୱୟ କ୍ଷେତ୍ରରେ ଅଧିକାରୀମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଚାକିରି ଜୀବନରେ ଅନୁଭୂତି ଓ ଅଭିଜ୍ଞତା ଅର୍ଜନ କରିବା ପାଇଁ ସୁଯୋଗ ମିଳିଥାଏ । ଏହି ସୁଯୋଗର ସଦ୍ବ୍ୟବହାର କରି ଜନସାଧାରଣ ନିକଟରେ ଯୋଜନାର ସୁଫଳ ପହଂଚାଇବାରେ ସମସ୍ତେ ଦାୟିତ୍ୱବାନ୍ ହୋଇ କାର୍ଯ୍ୟ କରିବା ଦରକାର । ତା’ହେଲେ ଯାଇ ରାଜ୍ୟର ଉନ୍ନତି ଓ ପ୍ରଗତି ସମ୍ଭବ ହୋଇପାରିବ ବୋଲି ବାଚସ୍ପତି ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ, ଯୁଗ୍ମ ସଚିବ ସତୀଶ ମିଶ୍ର ଓ ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।