ମାଲେ, ୨୫ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମାଳଦ୍ୱୀପରେ ପହଞ୍ଚି ଦେଶର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଛନ୍ତି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଆମନ୍ତ୍ରଣରେ ମାଲେରେ ପହଞ୍ଚିବା ପରେ ତାଙ୍କୁ ୨୧ ତୋପ ସଲାମି (୨୧-ଗନ୍ ସାଲ୍ୟୁଟ୍) ପ୍ରଦାନ କରାଯାଇଥିଲା । ମାଳଦ୍ୱୀପର ରିପବ୍ଲିକ୍ ସ୍କୋୟାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁଇଜ୍ଜୁ ମୋଦିଙ୍କ ସାଙ୍ଗରେ ଉପସ୍ଥିତ ରହିଥିଲେ । ଯେଉଁଠାରେ ଭାରତ ଓ ମାଳଦ୍ୱୀପରେ ଜାତୀୟ ସଙ୍ଗୀତ ବଜାଯାଇଥିଲା । ମୋଦିଙ୍କୁ ମାଲେର ଭେଲାନା ଆନ୍ତର୍ଜାତିକ ବିମାନବନ୍ଦରରେ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ମାଳଦ୍ୱୀପର ବରିଷ୍ଠ ମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ଗୃହ ସୁରକ୍ଷା ମନ୍ତ୍ରୀ ଆଦି ଉପସ୍ଥିତ ଥିଲେ । ଏହି ସମାରୋହରେ ପିଲାମାନଙ୍କ ଦ୍ୱାରା ଏକ ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ଦୁଇ ଦିନିଆ ମାଳଦ୍ୱୀପ ଗସ୍ତ (ଜୁଲାଇ ୨୫-୨୬) ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୁଇଜ୍ଜୁଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଭାରତ ସମର୍ଥିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ । ଏହା ମାଳଦ୍ୱୀପରେ ମୁଇଜ୍ଜୁଙ୍କ ଶାସନ ଆରମ୍ଭ (ନଭେମ୍ବର ୨୦୨୩) ପରେ ପ୍ରଥମ ରାଜ୍ୟ ଗସ୍ତ ଭାବେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ମାଲେ ସହରକୁ ଭାରତୀୟ ଜାତୀୟ ପତାକା, ରଙ୍ଗୀନ ବ୍ୟାନର ଏବଂ ବିଶାଳ ପୋଷ୍ଟର ସହିତ ସଜାଯାଇଥିଲା । ବିମାନବନ୍ଦର ନିକଟରେ ଏବଂ ମୁଖ୍ୟ ରାସ୍ତାରେ ଭାରତୀୟ ସମୁଦାୟର ସଦସ୍ୟମାନେ ତ୍ରିରଙ୍ଗା ହଲାଇ ଏବଂ ନାରା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ମୋଦି ନିଜ ଏକ୍ସ ପୋଷ୍ଟରେ କହିଛନ୍ତି, ଭାରତ ଓ ମାଳଦ୍ୱୀପ ନିଜର ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରୁଛନ୍ତି । ଏହି ଗସ୍ତରେ ମାଳଦ୍ୱୀପରେ ରହୁଥିବା ଭାରତୀୟ ସମୁଦାୟ ସହ ମୋର ଆଲୋଚନା ଆନନ୍ଦଦାୟକ ଥିଲା । ଏଭଳି ଭବ୍ୟ ସ୍ୱାଗତ ପାଇଁ ହୃଦୟରୁ ଧନ୍ୟବାଦ । ଏହି ଗସ୍ତ ଭାରତ- ମାଳଦ୍ୱୀପ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି । ଯାହା ମୁଇଜ୍ଜୁଙ୍କ “ଇଣ୍ଡିଆ ଆଉଟ୍’ ଅଭିଯାନ ଓ ଚୀନ ଆଡକୁ ଝୁଙ୍କିବା ହେତୁ ପୂର୍ବରୁ ତିକ୍ତତାର ସମ୍ମୁଖୀନ ହୋଇଥିଲା । ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।