ଯାଜପୁର, 28/7: ଯାଜପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଅମ୍ବର କୁମାର କର ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ ଭିସି କକ୍ଷରେ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ଟି ପଞ୍ଚାୟତ, ୨୪ଟି ଗାଁ ପ୍ରଭାବିତ ହୋଇଛି । ୬୫୯୪ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୪୪ ଜଣ ଲୋକଙ୍କୁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇଟି ରିଲିଫ ସେଣ୍ଟର୍ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଚାରୋଟି ମେଡିକାଲ ଟିମ୍ ଓ ଗୋଟିଏ ଭେଟେରୀନାରୀ ଟିମ୍ ପ୍ରଭାବିତ ଅଂଚଳରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ବୈତରଣୀ ନଦୀରେ ଜଳସ୍ତର କମୁଛି । ଜିଲ୍ଲାପାଳ ବନ୍ୟାଜଳରେ ପ୍ରଭାବିତ ଲୋକମାନଙ୍କୁ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ଛାଡିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଯେଉଁ ଲୋକମାନେ ଆଶ୍ରୟସ୍ଥଳୀରେ ଅଛନ୍ତି ସେମାନଙ୍କୁ ଆଜି ଘରକୁ ଛଡାଯିବ ନାହିଁ । ଯେଉଁ ଅଞ୍ଚଳରେ ଘରେ ପାଣି ପଶିଛି ସେଠାରେ ସାପ ଓ ସରୀସୃପମାନେ ଥାଇ ପାରନ୍ତି ଏଣୁ ପାଣି ଛାଡ଼ିଲା ପରେ ଦିନ ବେଳା ଯେଉଁମାନେ ଚାହିଁବେ ଘରକୁ ଯାଇପାରିବେ । ଜିଲ୍ଲାର ଦଶାସ୍ୱମେଧ ଘାଟ, ବଲ୍ଲଭୀ ଘାଟ, ସିଦେ୍ଧଶ୍ୱର ଘାଟ, କୟାଁଗୋଲା ଓ ଅନ୍ୟାନ୍ୟ ଜାଗାରୁ ସୋମବାର ଓ ମଙ୍ଗଳବାର ସକାଳେ ବୋଲବମ୍ ଭକ୍ତମାନେ ପାଣି ଉଠେଇବାକୁ ଥିବାରୁ ସେଠାରେ ଅଗ୍ନିଶମ ବାହିନୀ ଓ ବିଭାଗୀୟ ଅଧିକାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସଟ ସର୍କିଟ କିମ୍ବା ବୈଦ୍ୟୁତିକ ସମସ୍ୟା ଦେଖାଦେଲେ ଟୋଲ ଫ୍ରି ନମ୍ବର ୧୯୧୨ରେ କଲ କଲେ ସମସ୍ୟାର ତୁରନ୍ତ ସମାଧାନ କରାଯିବ । ପରେ ଜିଲ୍ଲାପାଳ ଓ ଅତରିକ୍ତ ରିଲିଫ କମିଶନର ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।