ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାୟିତ୍ୱ

Central government gives important responsibility to Khurda SP Sagarika Nath

0 81

ଭୁବନେଶ୍ୱର, 2/8: ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କ ପାଇଁ ଏକ ଖୁସି ଖବର । ତାଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଏ ନେଇ କେନ୍ଦ୍ର ରାଜ୍ୟ ପୋଲିସ ଡିଜିଙ୍କୁ ଚିଠି କରି ଜଣାଇ ଦେଇଛନ୍ତି । ତାଙ୍କୁ ଖୁବ ଶିଘ୍ର ତାଙ୍କ ଦାୟିତ୍ୱରୁ ମୁକ୍ତ କର ବୋଲି ସେଥିରେ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ, ଓଡିଶା କ୍ୟାଡରର ଆଇପିଏସ ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଜାତୀୟ ତଦନ୍ତ ଏଜେନ୍ସି ବା ଏନ୍ଆଇଏର ଏସପି ଭାବେ ନିଯୁକ୍ତି ଘୋଷଣା କରିଛନ୍ତି । ସେଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ ଦାୟିତ୍ୱ ମୁକ୍ତ କରି କେନ୍ଦ୍ରକୁ ପଠାଇବା ପାଇଁ ଉଲ୍ଲେଖ କରାଯାଇଛି । ସାଗରିକା ନାଥ ଖୋର୍ଦ୍ଧା ଏସପି ଭାବେ ଗତ ବର୍ଷ ଅକ୍ଟୋବର ମାସରେ ଯୋଗ ଦେଇଛନ୍ତି । ତା ପୂର୍ବରୁ ସେ ବାଲେଶ୍ୱର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ଲେଡି ସିଂଘମ ଭାବେ ପରିଚିତ । ସେ ଯେଉଁଠି କାର୍ଯ୍ୟ କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ଛାପ ଛାଡି ଆସିଛନ୍ତି । ସାଗରିକା ହେଉଛନ୍ତି ୨୦୧୬ ବ୍ୟାଚର ଓଡିଆ କ୍ୟାଡର ଆଇପିଏସ୍ ଅଫିସର । ସେ ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । କୋରାପୁଟ ଏସପି ଥିବା ବେଳେ ସେଠାରେ ଗଂଜେଇ ମାଫିଆଙ୍କୁ ସାବାଡ କରି ଚର୍ଚ୍ଚାକୁ ଆସିଥିଲେ । ସେହିପରି ସେ ଭୁବନେଶ୍ୱର ଟ୍ରାଫିକ ଏସପି ଭାବେ ଯୋଗ ଦେବା ପରେ ବେଶୀ ଚର୍ଚ୍ଚାକୁ ଆସିଥିଲେ । ଭୁବନେଶ୍ୱର ଟ୍ରାଫିକ ଏସପି ଭାବେ ଯୋଗଦେବା ପରେ ସାଗରିକା ନାଥ ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିଲେ । ଏପରିକି ସେ ରାତି ଅଧରେ ନିଜେ ବୁଲେଟ ଧରି ଟ୍ରାଫିକ ବ୍ୟବସ୍ଥା ତଦାରଖ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି ବେପାରୁଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ସେ ପଦକ୍ଷେପ ଆରମ୍ଭ କରିଥିଲେ । ନିଜେ ଅହରହ ଭୁବନେଶ୍ୱରରେ ବୁଲିବା ଅନ୍ୟ ଟ୍ରାଫିକ କର୍ମଚାରୀଙ୍କୁ ଭୟଭିତ କରିଥିଲା । ବର୍ତ୍ତମାନ ତାଙ୍କ ଉପରେ ଏକ ବଡ ଦାୟିତ୍ୱ । କାରଣ ଜାତୀୟ ତଦନ୍ତ ଏଜେନ୍ସି ସନ୍ତ୍ରାସବାଦୀଙ୍କ ଠାରୁ ଆରମ୍ଭ କରି ବଡବଡ ମାଫିଆ ଡନଙ୍କ ଅପରାଧିକ କାର୍ଯ୍ୟକଳାପକୁ ତଦନ୍ତ କରିଥାଏ । ଯାହା ଏହି ସଂସ୍ଥାର ଆଇପିଏସ ଅଫିସରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥାଏ । ସାଗରିକାଙ୍କୁ ସେହିପରି ଏକ ଗୁରୁ ଦାୟିତ୍ୱ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି କରିଛି । ମୁଖ୍ୟତଃ ସାଗରିକାଙ୍କ ପୂର୍ବ କାର୍ଯ୍ୟଧାରା ଉପରେ ସନ୍ତୁଷ୍ଠ ହୋଇ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.