ଅଗଷ୍ଟରେ ୧.୮୬ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

GST collection of Rs 1.86 lakh crore in August

0 108

ନୂଆଦିଲ୍ଲୀ,: ଚଳିତ ବର୍ଷ ଅଗଷ୍ଟରେ ସରକାର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)ରୁ ୧.୮୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ଗତବର୍ଷ ଅଗଷ୍ଟ ତୁଳନାରେ ଏଥିରେ ୬.୫% ବୃଦ୍ଧି ଘଟିଛି । ସୋମବାର ଜାରି ହୋଇଥିବା ସରକାରୀ ତଥ୍ୟ ଅନୁସାରେ, ବର୍ଷେ ତଳେ ଅର୍ଥାତ ୨୦୨୪ ଅଗଷ୍ଟରେ ସରକାର ୧.୭୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିଥିଲେ । ସେହିଭଳି ୨୦୨୫ ଜୁଲାଇ ତୁଳନାରେ ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହରେ ୧୦ ହଜାର କୋଟି ଟଙ୍କାର ହ୍ରାସ ଦେଖିବାକୁ ମିଳିଛି । ଜୁଲାଇରେ ୧.୯୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଏହା ପୂର୍ବରୁ ୨୦୨୫ ଏପ୍ରିଲରେ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କା ଏବଂ ମେ\’ରେ ୨.୦୧ ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ ହୋଇଥିଲା । ଜୁଲାଇ ମାସରେ ଦେଶରେ ଜିଏସ୍‌ଟିକୁ ୮ ବର୍ଷ ପୂରଣ ହୋଇଛି । ୨୦୧୭ ଜୁଲାଇ ୧ରେ ଏହାକୁ ଦେଶବ୍ୟାପୀ ଲାଗୁ କରାଯାଇଥିଲା । ୨୦୨୪- ୨୫ରେ ମୋଟ ଜିଏସ୍‌ଟି ସଂଗ୍ରହ ୨୨.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା, ଯାହା ୫ ବର୍ଷ ତଳେ ଅର୍ଥାତ୍ ୨୦୨୦-୨୧ରେ ମାତ୍ର ୧୧.୩୭ ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ୍ ୫ ବର୍ଷରେ ଟିକସ ସଂଗ୍ରହ ପ୍ରାୟ ୨ ଗୁଣା ହୋଇଛି । ୨୦୨୪- ୨୫ରେ ପ୍ରତି ମାସ ହାରାହାରି ଜିଏସ୍‌ଟି ଆଦାୟ ୧.୮୪ ଲକ୍ଷ କୋଟି ଟଙ୍କା ରହିଛି । ଏହା ୫ ବର୍ଷ ତଳେ ଅର୍ଥାତ୍‌ ୨୦୨୦-୨୧ରେ ୯୫ ହଜାର କୋଟି ଟଙ୍କା ଥିଲା । ଜିଏସ୍‌ଟି ଲାଗୁ ହେବା ସମୟରେ ଅର୍ଥାତ୍ ୨୦୧୭ରେ ପଞ୍ଜୀକୃତ ଟିକସଦାତାଙ୍କ ସଂଖ୍ୟା ୬୫ ଲକ୍ଷ ଥିଲା । ଯାହା ଏବେ ବି ୧.୫୧ କୋଟିରୁ ଅଧିକ ହୋଇଛି । ଏହାଦ୍ୱାରା ସରକାରଙ୍କ ଟିକସ ପରିସର ମଜଭୁତ ହୋଇଛି । ସରକାରଙ୍କ କହିବାନୁସାରେ, ଜିଏସ୍‌ଟି ଲାଗୁ ହେବା ପରେ ଟିକସ ସଂଗ୍ରହ ଏବଂ ଟିକସ ପରିସର ଉଭୟରେ ବୃହତ୍ ବୃଦ୍ଧି ଦେଖିବାକୁ ମିଳିଛି । ଏହାଦ୍ୱାରା ଦେଶର ବିତ୍ତୀୟ ସ୍ଥିତି ସୁଦୃଢ଼ ହୋଇଛି ଏବଂ ଟିକସ ବ୍ୟବସ୍ଥା ଅଧିକ ପାରଦର୍ଶୀ ଏବଂ ସହଜ ପାଲଟିଛି । ଇତିହାସର ସବୁଠାରୁ ବୃହତ୍ ଟିକସ ସଂଗ୍ରହ ୨୦୨୫ ଏପ୍ରିଲରେ ହୋଇଛି । ସରକାର ଆଲୋଚ୍ୟ ସମୟରେ ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିଥିଲେ । ବାର୍ଷିକ ଆଧାରରେ ଏଥିରେ ୧୨.୬% ବୃଦ୍ଧି ଘଟିଥିଲା । ଏହା ଜିଏସ୍‌ଟି ସଂଗ୍ରହରେ ରେକର୍ଡ ।

Leave A Reply

Your email address will not be published.