ହାଟଡିହି, : ନୂତନ ସରକାର ଆସିବା ପରେ ଗାଁମାନଙ୍କରେ ଥିବା ମିଶନଶକ୍ତି ଗୁଡ଼ିକୁ ପୁନର୍ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ବି ମିଶନଶକ୍ତି ମହାସଂଘ ପକ୍ଷରୁ ଏପରି ନିଷ୍ପତ୍ତିକୁ ବିରୋଧ କରଯାଇଥିଲା । ଏବେ ସମସ୍ତ ଏସଏସଜି ଗ୍ରୁପର ସଭାପତି, ସମ୍ପାଦିକା ପରିବର୍ତ୍ତନ ସହ ଇସି ମେମ୍ବର ମଧ୍ୟ ପରିବର୍ତ୍ତନ କରାଯାଉଛି । ଯାହାକୁ ଇସି ମେମ୍ବରମାନେ ନିରୋଧ କରିଛନ୍ତି । ସୋମବାର ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ଗୃହରେ ଏନେଇ ଏକ ବୈଠକ ହୋଇ ଅଫିସ୍ କର୍ମକର୍ତ୍ତାଙ୍କ ଦବଙ୍ଗ ଗିରି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ମିଶନ ଶକ୍ତି ପୁନର୍ଗଠନକୁ ନେଇ ହାଇକୋର୍ଟରେ ମାମଲା ବିଚରାଧିନ ଅଛି । ହାଇକୋର୍ଟଙ୍କ ୧୯ତାରିଖ ରାୟ ପରେ ଯଦି ଆବଶ୍ୟକ ପଡ଼େ ତେବେ ଆମେ ସ୍ୱତପ୍ରବୃତ ନୂତନ କମିଟି ଗଠନ କରିବୁ । କିନ୍ତୁ ଏବେ ଏମବିକେ ଓ ସିଆରପିମାନେ ଅଙ୍ଗନବାଡି କର୍ମୀମାନଙ୍କୁ ଧରି ଏସଏସଜି ଗ୍ରୁପ ପୁନର୍ଗଠନ କରୁଛନ୍ତି । ପୁନର୍ଗଠନରେ ବିଳମ୍ବ ହେଲେ ରେସନ ସାମଗ୍ରୀ ବନ୍ଦ ହେବ, ପୋଲିସ୍ ଦ୍ୱାରା ଗିରଫ କରାଯିବାର ଭୟ ଦେଖାଉଛନ୍ତି ବୋଲି ଦେବକୀ ନାୟକ, ଭାଗ୍ୟଶ୍ରୀ ରାଉତ, ନିରୂପମା ଜେନା, ତିଳୋତ୍ତମା ପଢିଆରୀ, ଉଷାରାଣୀ ସାହୁ, କମଳା ମହାଳିକ, ରଞ୍ଜିତା ଜେନା, ନିରୂପମା ଜେନା, ବିଷ୍ଣୁପ୍ରିୟା ବେହେରା, ପୁଷ୍ପଲତା ସ୍ୱାଇଁ, ମନୋରମା ରାଉତ, କୁନ୍ତଳା ନାୟକ, ସୌଦାମିନୀ ଭୂୟାଁ ପ୍ରମୁଖ ଅଭିଯୋଗ କରିଛନ୍ତି । ସୋମବାର ମିଶନ ଶକ୍ତି ସଂଘର କର୍ମକର୍ତ୍ତାମାନେ ବିଡ଼ିଓଙ୍କୁ ଭେଟି ଏ ବାବଦରେ ଜଣାଇବା ସହିତ ଏପରି ଧମକ ଚମକର ଦୃଢ଼ ପ୍ରତିବାଦ କରିଛନ୍ତି । ଯଦି ପରିବର୍ତ୍ତନ ହେବ ତେବେ ଏମବିକେ, ସିଆରପିମାନଙ୍କଙ୍କୁ ବି ପରିବର୍ତ୍ତନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି ପ୍ରତିବାଦରେ ୩୧ଟି ଯାକ ପଞ୍ଚାୟତର ଶତାଧିକ ଇସି ମେମ୍ବରମାନେ ଯୋଗ ଦେଇଥିଲେ ।