ବିବାହ ଗିପ୍ଟରୁ ଖୁଲାସା ହେବ ରାନ୍ୟା ସୁନା ଚୋରା ଚାଲାଣ ରହସ୍ୟ

ମୁମ୍ବାଇ, : ବିବାହ ଉପହାରରୁ ଖୁଲାସା ହେବ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣର ରହସ୍ୟ । ରାନ୍ୟାଙ୍କୁ ବିବାହରେ ମହଙ୍ଗା ଉପହାର ଦେଇଥିବା ଲୋକଙ୍କୁ ଚିହ୍ନଟ କରୁଛି ସିବିଆଇ । ଏଥିପାଇଁ କଡ଼ାକଡ଼ି ଭାବେ ଯାଞ୍ଚ ହେଉଛି ବିବାହ ସମୟର ଫୁଟେଜ୍ ଏବଂ ଅତିଥି ତାଲିକା । ସୂଚନା ମୁତାବକ, ସିବିଆଇ ଅଧିକାରୀମାନେ ରାନ୍ୟାଙ୍କର ବିବାହ ଆୟୋଜିତ ହୋଇଥିବା ହୋଟେଲରେ ପହଞ୍ଚି ତଦନ୍ତ କରୁଛନ୍ତି । ସୁନା ଚୋରା ଚାଲାଣ ମାମଲାରେ ସିବିଆଇ ସନ୍ଦେହ କରୁଛି ଯେ, କେବଳ ରାନ୍ୟା ନୁହେଁ ବରଂ ଏଥିରେ ଅନେକ ବଡ଼ ଲୋକ ସମ୍ପୃକ୍ତ ଅଛନ୍ତି । ଆଗାମୀ ସମୟରେ ଅନେକ ହାଇପ୍ରୋଫାଇଲ୍ ନାମ ବାହାରିବାର ଆଶା କରାଯାଉଛି । ସିବିଆଇର ଦିଲ୍ଲୀ ଟିମ୍‌ ସମଗ୍ର ମାମଲାର ନେତୃତ୍ୱ ନେଉଛି । ଅନ୍ୟପଟେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ମାମଲାରେ ବେଙ୍ଗାଲୁରୁ ବିମାନବନ୍ଦରରେ ନିଯୁକ୍ତ ୪ ଜଣ ପ୍ରୋଟୋକଲ ଅଧିକାରୀଙ୍କୁ ମଧ୍ୟ ସିବିଆଇ ନୋଟିସ ଜାରି କରିଛି । ଏହି ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା ।
ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରିଥିଲା ପୋଲିସ । ଏଥିସହ ତାଙ୍କ ଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ ମଧ୍ୟ ହୋଇଥିଲା । ପ୍ରକାଶ ଥାଉକି, ରାନ୍ୟା ରାଓ କର୍ଣ୍ଣାଟକର ବରିଷ୍ଠ ପୋଲିସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ସାବତ ଝିଅ । ରାମଚନ୍ଦ୍ର କର୍ଣ୍ଣାଟକର ପୋଲିସ ହାଉସିଂ କର୍ପୋରେସନରେ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ଅଛନ୍ତି । ରାନ୍ୟା ରାଓ ୨୦୧୪ ମସିହାରେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ବିପକ୍ଷରେ ଫିଲ୍ମ ମାଣିକ୍ୟରେ ଅଭିନୟ କରିଥିଲେ । ରାନ୍ୟା ରାଓ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ କେବଳ ୩ଟି ଫିଲ୍ମରେ କାମ କରିଛନ୍ତି ।

Comments (0)
Add Comment