ଆମେରିକାର ପ୍ରତିରକ୍ଷାରେ ବ୍ୟବହାର ହେବ ଓଡ଼ିଶା ଡ୍ରୋନ

ଭୁବନେଶ୍ୱର,: ଓଡ଼ିଶାର ଡ୍ରୋନ ଷ୍ଟାର୍ଟଅପ ବନଭି ଏରୋକୁ ଆମେରିକାର ପ୍ରତିରକ୍ଷା ଓ ଏରିଅଲ ମୋବିଲିଟି ବଜାରରେ ପ୍ରବେଶ ପାଇଁ ଚୟନ କରାଯାଇଛି । ଏହା ଓଡ଼ିଶାର ଷ୍ଟାର୍ଟଅପ ଓ ଉଦ୍ଭାବନ ଇକୋସିଷ୍ଟମ ପାଇଁ ଏକ ଐତିହାସିକ ସଫଳତା । ଆଇ୨ଏ (ଇଣ୍ଡିଆ ଟୁ ଆମେରିକା) ଲଂଚପ୍ୟାଡ ଅନ୍ତର୍ଗତ ବନଭି ଏରୋ ଆଗାମୀ ଦିନରେ ୟୁ.ଏସ. ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ (ଡିଓଡି) ଏବଂ ଡିପାର୍ଟମେଣ୍ଟ ଅଫ୍‌ ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି (ଡିଏଚଏସ) ସହ ସହଭାଗିତା କରି ଉଭୟ ପ୍ରତିରକ୍ଷା ଏବଂ ବାଣିଜ୍ୟିକ ଉପଯୋଗରେ ରହିଥିବା ଏହାର ଡ୍ରୋନଗୁଡ଼ିକର ଆବଶ୍ୟକତାକୁ ଅନ୍ୱେଷଣ କରିବ । ଫେଡଟେକ ଓ ଇଣ୍ଡସ ବ୍ରିଜ ଭେଞ୍ଚର୍ସ ଦ୍ୱାରା ପରିଚାଳିତ ଆଇ୨ଏ ଲଂଚପ୍ୟାଡ, ଉଭୟ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଉପଯୁକ୍ତ ଷ୍ଟାର୍ଟଅପ୍‌ଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଛି । ଏସମ୍ପର୍କରେ ବନ୍‌ଭି ଏରୋର ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ଆମେ ଏହା ଉପରେ ବିଭିନ୍ନ ଏମ୍‌ଓୟୁଗୁଡିକ ସ୍ୱାକ୍ଷର କରିବା ଏବଂ ଆମର ୟୁଏଭି ଟେକ୍ନୋଲୋଜିକୁ ଆମେରିକା ଭଳି ବଜାରରେ ଟେଷ୍ଟ କରିବା ଲାଗି ଆସନ୍ତା ମେ’ ମାସରେ ଆମେରିକା ଗସ୍ତ କରିବୁ । ଏହା କେବଳ ବନଭି ପାଇଁ ନୁହେଁ ବରଂ ସାରା ଓଡିଶା ଏବଂ ଦେଶ ପାଇଁ ଏକ ଗର୍ବର ମୁହୂର୍ତ । ଏହାଦ୍ୱାରା ଆନ୍ତର୍ଜାତୀୟସ୍ତରୀୟ ଉଦ୍ଭାବନ ଏବଂ ସୃଜନଶୀଳତା ଓଡ଼ିଶା ମାଟିରୁ ମଧ୍ୟ ବିକଶିତ ହୋଇପାରିବ ବୋଲି ଆମେ ପ୍ରମାଣିତ କରୁଛୁ ।” ବନ୍‌ଭି ଏରୋ ପୂର୍ବରୁ ହିମାଳୟରେ ନିଜର ଦକ୍ଷତା ପ୍ରଦର୍ଶିତ କରିସାରିଛି । ଏହା ନିଜର ସମ୍ପୂର୍ଣ୍ଣ ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନଗୁଡିକ ସହ ଭାରତୀୟ ସେନାକୁ ସହଯୋଗ କରିଛି ଯାହା ୧୯୦୨୪ ଫୁଟ ଉଚ୍ଚତାରେ ୩୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ପରିବହନ କରିପାରିବ, ଯାହାକି ଏକ ବିଶ୍ୱ ରେକର୍ଡ । ଏହି ସମାନ ଡ୍ରୋନ ଟେକ୍ନୋଲୋଜିକୁ ଏବେ ଆମେରିକାର ସାଇବରସିକ୍ୟୁରିଟି ଓ ମିଶନ ପ୍ରସ୍ତୁତି ମାନକ ସାର୍ଟଫିକେସନ ହାସଲ ପାଇଁ ପ୍ରସ୍ତୁତ କରାଯାଉଛି । ଏସମ୍ପର୍କରେ ଶ୍ରୀଯୁକ୍ତ ଶତପଥୀ କହିଛନ୍ତି, “ଆମର ଡ୍ରୋନଗୁଡିକ ଓଡ଼ିଶାରେ ଡିଜାଇନ, ବିକାଶ ଓ ନିର୍ମାଣ କରାଯାଉଛି ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକ ଚାଇନିଜ କମ୍ପୋନେଟ ମୁକ୍ତ ଅଟେ ।” ଶ୍ରୀଯୁକ୍ତ ଶତପଥୀ ଏବଂ ସହପ୍ରତିଷ୍ଠାତା ଗୌରବ ଆଚାଙ୍କ ସମେତ ଏହି କମ୍ପାନୀକୁ ୬ ଜଣ ଉଦ୍ଭାବକ ୨୦୨୧ରେ ସ୍ଥାପନ କରିଥିଲେ । ଏସମ୍ପର୍କରେ ବନ୍‌ଭି ଏରୋର ଗଭର୍ଣ୍ଣମେଣ୍ଟ ଆଫାୟାର୍ସ ଆଣ୍ଡ ପବ୍ଲିକ ପଲିସି ବିଭାଗର ମ୍ୟାନେଜର ବୈଭବ ପଟେଲ କହିଛନ୍ତି, “ପ୍ରତିରକ୍ଷା କ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା କିମ୍ବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଡେଲିଭରି ପାଇଁ ଆମର ଲକ୍ଷ୍ୟ ହେଉଛି ମଧ୍ୟମ ଦୂରତା ଓ ଶେଷ ଦୂରତା ପରିବହନ ସମସ୍ୟାଗୁଡିକର ସମାଧାନ କରିବା ।” ଆଗାମୀ ଦିନରେ ବନ୍‌ଭି ଏରୋ ମାନବବିହୀନ ଆକାଶମାର୍ଗ ଯାତାୟତ ମାଧ୍ୟମରେ ସହର ମଧ୍ୟରେ ଓ ଲମ୍ବା ଦୂରତାର ପରିବହନକୁ ସମ୍ଭବ କରି ୧୮୦୦୦ ଫୁଟ ଉଚ୍ଚତାରେ ୫୦ କେଜିରୁ ଆରମ୍ଭ କରି ୩୦୦ କିମିରେ ୫୦୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ପରିବହନ ପାଇଁ ଏହାର ଡ୍ରୋନ ସିଷ୍ଟମଗୁଡିକୁ ଆହୁରି ଉନ୍ନତ ଓ ବିସ୍ତାର କରିବାକୁ ଯୋଜନା ରଖିଛି ।

Comments (0)
Add Comment