ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, : ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବାକୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଏହାର ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ । ଏହି ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ରବିବାର ସଂଧ୍ୟାରେ ମୁଖ୍ୟ ଶାସନ
ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥିପାଇଁ ଜାନୁଆରୀ ୮ ତାରିଖ ସଂଧ୍ୟା ୭ ଟାରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ ଅବତରଣ କରି ରାତ୍ର ୮.୧୫ଟାରେ
ରାଜଭବନରେ ପହଁଚି ସେଠାରେ ରାତ୍ରିଯାପନ କରିବେ ଏବଂ ତହିଁ ପରଦିନ ୯ ତାରିଖ ୧୦ଟା ସମୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ୨୦୨୫ର ଶୁଭ ଉଦଘାଟନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ ପରେ ପୂର୍ବାହ୍ନ ୧୧ .୫୫ରେ ନୂଆ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ସେହିପରି ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ଜାନୁଆରୀ ୯ ତାରିଖ ଅପରାହ୍ଣ ୩.୦୦ଟା ସମୟରେ ଗୌହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସେଦିନ ରାଜ ଭବନରେ ରହଣି କରିବେ । ରାଷ୍ଟ୍ରପତି ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ଅବସରରେ ପୂର୍ବାହ୍ଣ ୧୧ .୪୦ରେ ଜନତା ମଇଦାନରେ ପହଁଚିବେ । ସେଦିନ ସେଠାରେ ଏହି ଦିବସ ଉପଲକ୍ଷେ ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମ ସହିତ ତ୍ରିନିଦାନ ଓ ଟୋବାଗୋର ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ରାଷ୍ଟ୍ରପତି ମହୋଦୟା ସେଦିନ ଅପରାହ୍ଣ ୩.୦୦ଟାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ସମ୍ମିଳନୀରେ ଯୋଗଦାନ କରିବେ ଏବଂ କାର୍ଯ୍ୟକ୍ରମ ପରେ ଅପରାହ୍ଣ ୫.୨୫ ମିନିଟ୍‌ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

Comments (0)
Add Comment