୨୦୨୪ରେ ଉଚ୍ଚସ୍ତରରେ ପହଞ୍ଚିଛି ବିଶ୍ୱ ସୁନା ଚାହିଦା

ଭୁବନେଶ୍ୱର,: ୱାଲ୍ଡ ଗୋଲ୍ଡ କାଉନସିଲର ଚତୁର୍ଥ ତ୍ରୈମାସି   ଏବଂ ୨୦୨୪ର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ ରିପୋର୍ଟରୁ ଜଣାପଡିଛି ଯେ କେନ୍ଦ୍ରୀୟ
ବ୍ୟାଙ୍କର ଦୃଢ଼, ନିରନ୍ତର କ୍ରୟ ଏବଂ ନିବେଶ ଚାହିଦାରେ ବୃଦ୍ଧି ଯୋଗୁଁ ମୋଟ ବାର୍ଷିକ ସୁନା ଚାହିଦା (ଓଟିସି ସମେତ) ୪, ୯୭୪ଟନର ରେକର୍ଡ ସ୍ତରରେ ପହଞ୍ଚିଛି । ଉଚ୍ଚ ସୁନା ମୂଲ୍ୟ ଏବଂ ଭଲ୍ୟୁମର ମିଶ୍ରିତ ପ୍ରଭାବରେ ସୁନାର ଚାହିଦା ସର୍ବୋଚ୍ଚ ମୂଲ୍ୟ ୩୮୨ ବିଲିୟନ ଡଲାରରେ ପହଞ୍ଚିଛି । ୨୦୨୪ରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ସୁନା କିଣିବା ଜାରି ରଖିଥିବା ବେଳେ କ୍ରମାଗତ ତୃତୀୟ ବର୍ଷ ପାଇଁ ସୁନା କ୍ରୟ ୧୦୦୦ଟନ ଟପିଛି । ଚତୁର୍ଥ ତ୍ରୈମାସିକରେ ସୁନା କ୍ରୟ ଯଥେଷ୍ଟ ବୃଦ୍ଧି ପାଇ ୩୩୩ଟନରେ ପହଞ୍ଚିଛି, ଯେବେକି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ବାର୍ଷିକ ସମୁଦାୟ ୧, ୦୪୫ଟନକୁ ବୃଦ୍ଧି ପାଇଛି । ୨୦୨୪ର ଦ୍ୱିତୀୟାର୍ଦ୍ଧରେ ସୁନା ଇଟିଏଫ ଚାହିଦାରେ ପୁଣି ବୃଦ୍ଧି ଯୋଗୁଁ ବିଶ୍ୱବ୍ୟାପୀ ପୁଞ୍ଜିନିବେଶ ଚାହିଦା ବାର୍ଷିକ ୨୫% ବୃଦ୍ଧି ପାଇ ୧, ୧୮୦ଟନରେ ପହଞ୍ଚିଛି । ୨୦୨୪ର ଚତୁର୍ଥ ତ୍ରୈମାସିକରେ ଗ୍ଲୋବାଲ ଗୋଲ୍ଡ ଇଟିଏଫ ୧୯ଟନ ଯୋଡ଼ିଛି । ବାର୍ ଏବଂ ମୁଦ୍ରା ଚାହିଦା ୧,୧୮୬ଟନ ସହ ୨୦୨୩ର ଭଲ୍ୟୁମ୍ ସହିତ ସମାନ ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ୍ ଷ୍ଟ୍ରିଟ୍ କହିଛନ୍ତି, “୨୦୨୪ରେ ସୁନା ପୁଣି ଥରେ ଚର୍ଚ୍ଚାରେ ରହିଥିଲା ଏବଂ ଗତବର୍ଷ ସୁନା ମୂଲ୍ୟ ୪୦ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଅନେକ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସୁଧ ହାର ହ୍ରାସ ଚକ୍ର ଆରମ୍ଭ ହେବା ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମେତ
ବିଶ୍ୱସ୍ତରୀୟ ଅନିଶ୍ଚିତତା ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟରେ ଉତେଜନା ବୃଦ୍ଧି ଯୋଗୁଁ ଏହା ବୃଦ୍ଧି ପାଇଥିଲା । ୨୦୨୫ରେ ଆମେ ଆଶା କରୁଛୁ ଯେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଙ୍ଗ ଧରିବେ ଏବଂ ଗୋଲ୍ଡ ଇଟିଏଫ୍ ନିବେଶକମାନେ ମଇଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ସୁନା ଦର ବୃଦ୍ଧି
ଓ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଉଥିବାରୁ ଅଳଙ୍କାର ଦୁର୍ବଳତା ଜାରି ରହିବ ।” ସେହିଭଳି ୱାର୍ଲ୍ଡ ଗୋଲ୍ଡ କାଉନସିଲର ଭାରତର ଆଞ୍ଚଳିକ ସିଇଓ ସଚିନ ଜୈନ କହିଛନ୍ତି , “୨୦୨୪ରେ ଭାରତର ମୋଟ ସୁନା ଚାହିଦା ୮୦୨.୮ ଟନ୍‌ ଥିଲା, ଯାହାକି ୨୦୨୩ରେ ୭୬୧ ଟନ୍ ତୁଳନାରେ ୫% ଅଧିକ । ସୁନା ଦରରେ ଏକାଧିକ ରେକର୍ଡ ସ୍ତରରେ ପହଞ୍ଚିବା, ଆମଦାନୀ ଶୁଳ୍କ ହ୍ରାସ, ନିବେଶ ଚାହିଦା ଏବଂ ବିବାହ ଓ ପର୍ବପର୍ବାଣୀ
ସମ୍ବନ୍ଧୀୟ କ୍ରୟ ଯୋଗୁଁ ଏହା ହୋଇଥିଲା । ସୁନା ଦର ଏକାଧିକ ରେକର୍ଡ ସ୍ତରରେ ପହଞ୍ଚିଥିଲେ ମଧ୍ୟ ପରିମାଣ ଦୃଷ୍ଟିରୁ ମୋଟ ଅଳଙ୍କାର ଚାହିଦା ୨% ହ୍ରାସ ପାଇ ୨୦୨୩ରେ ୫୭୫.୮ ଟନ୍ ଥିବା ବେଳେ ୨୦୨୪ରେ ଏହା ୨% ହ୍ରାସ ପାଇ ୫୬୩.୪ ଟନରେ ପହଞ୍ଚିଛି । ଶୁଳ୍କ ହ୍ରାସ ଯୋଗୁଁ ନିକଟରେ ମୂଲ୍ୟ ବୃଦ୍ଧି ହ୍ରାସ ପାଇବା ଯୋଗୁଁ ତୃତୀୟ କ୍ୱାର୍ଟର ଶେଷ ଭାଗରେ ଅନେକ ଉପଭୋକ୍ତା ସୁନା ଅଳଙ୍କାର କିଣିଥିଲେ । ତଥାପି ୨୦୨୪ରେ ସୁନା ଚାହିଦା ମୂଲ୍ୟ ୨୨% ବୃଦ୍ଧି ପାଇଛି, ଯାହା ସୁନାର ଚାହିଦାକୁ ଦର୍ଶାଉଛି । ମୋଟ ସୁନା ନିବେଶ ୨୦୨୪ରେ ୨୯% ବୃଦ୍ଧି ପାଇ ୨୩୯.୪ ଟନରେ ପହଞ୍ଚିଛି । ଅନ୍ୟାନ୍ୟ ବଜାର ଭଳି ସୁନା ଦର ବୃଦ୍ଧି ହେତୁ ନିବେଶ ଚାହିଦା ବର୍ଷ ତମାମ ଭଲ ଥିଲା । ଜୁଲାଇ ଶୁଳ୍କ ହ୍ରାସ ପରେ ଦର ବୃଦ୍ଧି ଧାରା ପୁଣି ଆରମ୍ଭ ହୋଇଥିଲା ଏବଂ ନଭେମ୍ବରରେ ପରବର୍ତୀ ସଂଶୋଧନ ନିବେଶକମାନଙ୍କୁ କମ୍ ମୂଲ୍ୟର କ୍ରୟ ପାଇଁ ଆକୃଷ୍ଟ କରିଥିଲା । ବର୍ଷ ସାରା ଇଟିଏଫ୍ ଚାହିଦା ବଜାୟ ରହିଥିଲା ଏବଂ ଅକ୍ଟୋବର/ନଭେମ୍ବରରେ ଧନତେରସ ଏବଂ ଦୀପାବଳିର ପର୍ବ ଅବଧି ଶେଷ ତ୍ରୈମାସରେ କ୍ରୟକୁ ଉତ୍ସାହିତ କରିଥିଲା । ଇ-କମର୍ସ ପ୍ଲାଟଫର୍ମ ଦ୍ୱାରା ପ୍ରମୁଖ ମହାନଗରଗୁଡ଼ିକରେ ଏହା ଆହୁରି ବୃଦ୍ଧି
ପାଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ରେ ୭୩ ଟନ୍ ସୁନା କ୍ରୟ କରିଥିଲା, ଯାହା କି ୨୦୨୩ରେ ଏହାର ୧୬ ଟନ୍ ସୁନା କ୍ରୟର ଚାରି ଗୁଣରୁ ଅଧିକ । ୨୦୨୫ ସୁନା ଚାହିଦା ପାଇଁ ଆମର ଆକଳନ ୭୦୦-୮୦୦ ଟନ୍‌ ମଧ୍ୟରେ ରହିଛି, ବୋଲି ଶ୍ରୀ ଜୈନ କହିଛନ୍ତି ।

Comments (0)
Add Comment