ଟଙ୍କା ବଦଳ ରାକେଟରେ ଏକାଧିକ ନାବାଳକ

Multiple minors in money laundering racket

ଭୁବନେଶ୍ୱର: ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ବ୍ୟବସାୟୀ, ବିଲ୍ଡର, ଠିକାଦାରଙ୍କର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଭୁବନେଶ୍ୱର ଶାଖାରେ ୨ ହଜାର ଟଙ୍କା ବଦଳ କରିବା ପାଇଁ ଏକ ବିଧିବଦ୍ଧ ରାକେଟ୍ କାମ କରୁଛି । ଏହି ରାକେଟରେ ଏକାଧିକ ଦଲାଲ, ନାବାଳକ କାମ କରୁଥିବା ଜଣାପଡ଼ିଛି । ଟଙ୍କା ଆଣିବା ଠାରୁ ଆରମ୍ଭ କରି ଧାଡ଼ିରେ ଠିଆ ହେବା ପାଇଁ ଲୋକଙ୍କୁ ଯୋଗାଡ଼ କରିବା, ଟଙ୍କା ବଦଳାଇବା ପରେ ଏହାକୁ ନାବାଳକଙ୍କ ହାତରେ ପଠାଇବା ଏମିତି ଢଙ୍ଗରେ କାମ କରୁଛି ରାକେଟ୍ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋଟିଏ ରାକେଟରେ ଚାରି ଜଣ ଦଲାଲ୍ କାମ କରୁଛନ୍ତି । ଜଣେ ଦଲାଲ ଲୋକ ଯୋଗାଡ଼ କରୁଛନ୍ତି, ଅନ୍ୟ ଜଣେ ଯାହାର ଟଙ୍କା ବଦଳ କରାଯିବ ତାଙ୍କ ଠାରୁ ଆଣୁଛନ୍ତି, ବଦଳ ପରେ ଅନ୍ୟ ଜଣେ ଦଲାଲଙ୍କ ପାଖରେ ଟଙ୍କା ପହଞ୍ଚାଉଛନ୍ତି ଓ ସେହି ଟଙ୍କାକୁ ନାବାଳକଙ୍କ ଜରିଆରେ ଚତୁର୍ଥ ଦଲାଲ ପାଖରେ ପହଞ୍ଚାଯାଉଛି । ପ୍ରଥମ ଦଲାଲ ଲୋକଙ୍କୁ ଆଣି ଧାଡ଼ିରେ ଛିଡ଼ା କରାଇ ଦେଉଛି । ଦ୍ୱିତୀୟ ଦଲାଲ ପ୍ୟାକେଟରେ ଟଙ୍କା ଆଣି ଧାଡ଼ିରେ ଛିଡ଼ା ହୋଇଥିଲା ଲୋକଙ୍କୁ ଧରାଇ ଦେଉଛି । ପ୍ୟାକେଟରେ ନମ୍ବର ପକାଯାଉଛି । ଯେଉଁ ନମ୍ବର ପ୍ୟାକେଟରେ ଲେଖା ଯାଉଛି ସେହି ସମାନ ନମ୍ବର ଲୋକଙ୍କ ହାତରେ ଲେଖାଯାଉଛି । ଟଙ୍କା ବଦଳ ପରେ ତୃତୀୟ ଦଲାଲ ପାଖରେ ପହଞ୍ଚାଯାଉଛି । ତୃତୀୟ ଦଲାଲ ଏହି ଟଙ୍କା ପ୍ୟାକେଟକୁ କିଛି ଦୂରରେ ସାଇକେଲ୍ ଧରି ଛିଡ଼ା ହୋଇଥିବା ନାବାଳକଙ୍କ ହାତରେ ଏହି ଟଙ୍କା ପଠାଇ ଦେଇଥାଏ । ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଥିବା ଦଲାଲ୍ ଓ ଟଙ୍କା ଦେଉଥିବା ଦଲାଲ ତୀକ୍ଷ୍ଣ ନଜର ରଖିଥାନ୍ତି । ଚାରି ଦଲାଲ୍ ଓ ନାବାଳକଙ୍କ ଜରିଆରେ ଟଙ୍କା କାରବାର ହେଉଥିବାରୁ ସେମାନଙ୍କ ପାଖରେ ପହଞ୍ଚିବା ଚ୍ୟାଲେଞ୍ଜ ହୋଇଛି । ପୂରା କାରବାରରେ ପ୍ରାୟ ୧ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଧାଡ଼ିରେ ଛିଡ଼ା ହେଉଥିବା ଲୋକ ପୂର୍ବରୁ ୩ ଶହ ଟଙ୍କା ନେଉଥିବା ବେଳେ ଏବେ ୫ ଶହ ଟଙ୍କା ନେଉଛନ୍ତି । ସେହିପରି ୪ ଦଲାଲ ଶହେ ଟଙ୍କା ଲେଖାଁଏ ଓ ନାବାଳକ ଶହେ ଟଙ୍କା ନେଉଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି । ଏଭଳି ଢଙ୍ଗରେ ପୂରା କାରବାର ଚାଲିଥିବା ବେଳେ ଟଙ୍କା କାହାର? କେଉଁ ପର୍ଯ୍ୟନ୍ତ ଚେର ଲମ୍ବିଛି? ଏହି ଟଙ୍କା ଶେଷ ପର୍ଯ୍ୟନ୍ତ କେଉଁଠି ଲୁଚାଇ ରଖାଯାଇଥିଲା? ଏହି କାରବାର ପଛରେ କଣ ଅପରାଧିକ ଷଡଯନ୍ତ୍ର ରହିଛି ସେ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ସେହିପରି କଳାଧନର ଖୋଳତାଡ଼ ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ଦୁଇ ବିଭାଗ ପରେ ଏବେ ଆୟକର ବିଭାଗ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ରିଜର୍ଭ ବ୍ୟାଙ୍କକୁ ଯାଇ ସିସିଟିଭି ଫୁଟେଜ ଓ ବାରମ୍ବାର ଟଙ୍କା ବଦଳ କରିବାକୁ ଆସୁଥିବା ଲୋକଙ୍କ ତାଲିକା ସଂଗ୍ରହ କରିଛି । ଏ ସମ୍ପର୍କରେ ଆୟକର ବିଭାଗ ଖୋଳତାଡ଼ କରିବ । ଟଙ୍କା କେଉଁମାନଙ୍କର ଜଣାପଡ଼ିବା ପରେ ଟିକସ ଫାଙ୍କି ସମ୍ପର୍କରେ ଯାଞ୍ଚ କରାଯିବ । ତିନି ତିନିଟି ବିଭାଗ ତନାଘନା କରୁଥିବା ବେଳେ କି କାର୍ଯ୍ୟାନୁଷ୍ଠାନ ହେବ ତା ଉପରେ ସମସ୍ତଙ୍କ ନଜର.

# money laundering racket#bhubaneswar#dumanikhabar#news
Comments (0)
Add Comment