ଡ୍ରାଗନ୍ ପାଇଁ ମୁଣ୍ଡବ୍ୟଥା ଭାରତୀୟ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ,: ଭାରତୀୟ ଫାର୍ମା ଶିଳ୍ପ ବର୍ତ୍ତମାନ ଚୀନକୁ କଡ଼ା ଟକ୍କର ଦେଉଛି । ଆମେରିକା ଏବଂ ଚୀନ ମଧ୍ୟରେ ଜୋରଦାର ହୋଇଥିବା ବାଣିଜ୍ୟ ଯୁଦ୍ଧରୁ ଭାରତୀୟ ଫାର୍ମା ଶିଳ୍ପକୁ ଲାଭ ମିଳୁଛି । ଏହି କ୍ରମରେ କମ୍ପାନୀଗୁଡ଼ିକ ଏବେ ସେମାନଙ୍କ ଅପରେସନକୁ ଜୋରଦାର କରିଛନ୍ତି । ବର୍ତ୍ତମାନ ଅନେକ ଭାରତୀୟ ଫାର୍ମା କମ୍ପାନୀ ବିଦେଶୀ କମ୍ପାନିଙ୍କ ସହ ଡିଲ୍ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଭାରତୀୟ ଫାର୍ମା ଶିଳ୍ପ ଚୀନ ଲାଗି ମୁଣ୍ଡ ବିନ୍ଧା ପାଲଟିଥିବା କୁହାଯାଉଛି । ଇକୋନୋମିକ ଟାଇମ୍ସର ଏକ ରିପୋର୍ଟ ମୁତାବକ, ସୁବେନ ଫାର୍ମାର ଅଧ୍ୟକ୍ଷ ବିକେଶ ଶର୍ମା ନିକଟରେ ଏକ ବଡ ଡିଲ ଲାଗି ବିଦେଶୀ କମ୍ପାନୀଙ୍କ ସହ ଆଲୋଚନା କରିଛନ୍ତି । ଏହି କମ୍ପାନୀ ଔଷଧ ପ୍ରସ୍ତୁତିରେ ଆବଶ୍ୟକୀୟ ଜରୁରୀ ସାମଗ୍ରୀ ଉତ୍ପାଦନ କରୁଛି । ହାଇଦ୍ରାବାଦ ଭିତ୍ତିକ ଏହି କମ୍ପାନୀ ନୂଆ ଟେକ୍ନୋଲୋଜି ଉପରେ କାମ କରୁଥିବା ଏକ କମ୍ପାନୀଙ୍କୁ ଅଧିଗ୍ରହଣ କରିବାକୁ ଚାହୁଁଛି । ଏହା ଦ୍ୱାରା ଆମେରିକା, ୟୁରୋପର ବିଭିନ୍ନ ଦେଶଗୁଡ଼ିକରେ ଏହାର ସାମଗ୍ରୀ ଦ୍ୱାରା ଉପସ୍ଥିତି ଦୃଢ଼ କରିବ । ଏହା ପୂର୍ବରୁ ଡିସେମ୍ବରରେ ସୁବେନ ଏନର୍ଜୀ ବାୟୋ ଇଙ୍କର ଅଧିକାଂଶ ଅଂଶଧନ କ୍ରୟ କରିଥିଲା । ଏହି କମ୍ପାନୀ ଆମେରିକାର ପ୍ରିନ୍ସଟନରେ ରହିଛି । ଏହା ଏକ ରିସର୍ଚ୍ଚ କମ୍ପାନୀ ହୋଇଥିବା ବେଳେ କର୍କଟ ଔଷଧ ପ୍ରସ୍ତୁତ କରୁଛି । ସୁବେନ ଏହି କମ୍ପାନୀକୁ ୬୫ ନିୟୁତ ଡଲାରରେ କ୍ରୟ କରୁଛି । ଏହି ଡିଲ୍ ଦ୍ୱାରା ସୁବେନ କଣ୍ଟ୍ରାକ୍ଟ ଡେଭଲପମେଣ୍ଟ ଆଣ୍ଡ୍ ମାନୁଫାକଚରିଂ ଅର୍ଗାନାଇଜେସନ (ସିଡିଏମ୍‌ଓ) ବଜାରରେ ଏକ ପ୍ରମୁଖ କମ୍ପାନି ଭାବେ ଉଭା ହେବ । ସିଡିଏମ୍‌ଓ ବର୍ଗର କମ୍ପାନିଗୁଡ଼ିକ ସାଧାରଣତଃ ଅନ୍ୟ କମ୍ପାନୀ ଲାଗି ମେଡିସିନ ପ୍ରସ୍ତୁତ କରିଥାନ୍ତି । ଏହା ସହ ମେଡିସନ ଗୁଡ଼ିକର ବଜାରରେ ପହଞ୍ଚ ଉପରେ ମଧ୍ୟ ଏହି ବର୍ଗର କମ୍ପାନୀ କାମ କରିଥାନ୍ତି । ଏହା ମଧ୍ୟରେ ବାୟୋକନ କମ୍ପାନୀ ସିଞ୍ଜିନ ଇଣ୍ଟରନ୍ୟାସନାଲ ଆମେରିକାର ୱାଲ୍ଟିମୋରରେ ଏମର୍ଜେଣ୍ଟ ବାୟୋସଲ୍ୟୁଶନ ନାମକ ଏକ କମ୍ପାନିକୁ କ୍ରୟ କରିଛି । ଏହି କମ୍ପାନୀ ପ୍ରୋଟିନ ଏବଂ ଜିନ ଭଳି ବର୍ଗରେ ମେଡିସିନପ୍ରସ୍ତୁତ କରୁଛି । ୩୬.୫ ନିୟୁତ ଡଲାରରେ ଏହି ଡିଲ୍ ହୋଇଛି । ସିଞ୍ଜିନ ଇଣ୍ଟରନ୍ୟାଶନାଲର ଏମଡ଼ି ତଥା ସିଇଓ ପିଟର ଭ୍ୟାନ୍ସ କହିଛନ୍ତି, ଏହି ଡିଲ ଦ୍ୱାରା ଆମେରିକା ବଜାରରେ ଉପସ୍ଥିତି ଦୃଢ଼ କରିବାରେ ସହାୟକ ହେବ । ଏବେ ଭାରତର ସିଡିଏମ୍‌ଓ ଗୁଡିକ ପାଶ୍ଚାତ୍ୟ ଦେଶର ପ୍ରମୁଖ କମ୍ପାନୀଗୁଡ଼ିକ ଲାଗି ମେଡିସିନ ପ୍ରସ୍ତୁତ କରୁଛନ୍ତି । ସେହିଭଳି ଆମେରିକା ଏବଂ ୟୁରୋପ ଭିତ୍ତିକ କମ୍ପାନୀଗୁଡିକୁ ଅଧିଗ୍ରହଣ କରି ନିଜ କ୍ଷମତା ବୃଦ୍ଧି କରୁଛନ୍ତି । ପ୍ରକ୍ରିୟା ସହ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ଫାର୍ମା କମ୍ପାନିଗୁଡିକ ବିଦେଶୀ କମ୍ପାନୀ ଅଧିଗ୍ରହଣ ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । କର୍କଟ, ଜୀନଥେରାପି ଏବଂ ବାୟୋଲୋଜି ଭଳି ବର୍ଗର କମ୍ପାନୀଙ୍କ ଉପରେ ସେମାନଙ୍କ ନଜର ରହିଛି । ଚୀନ ଉପରେ ଏବେ ବିଶ୍ୱ ବଜାର କମ୍ପାନିଗୁଡ଼ିକ ନିର୍ଭରତା କମାଇବାକୁ ଚାହୁଁଛନ୍ତି ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ସଙ୍କଟ ଯୋଗୁ କମ୍ପାନୀ ଗୁଡ଼ିକ ଚୀନ ବାହାରେ ଏକ ବିକଳ୍ପ ବଜାର ଉପରେ ନଜର ରଖିଛନ୍ତି । ଲୋଏଷ୍ଟ୍ରୋ ନାମକ ଏକ କନସଲଟିଂ ଫାର୍ମ ଅନୁସାରେ ପାଶ୍ଚାତ୍ୟ ଦେଶ ଗୁଡ଼ିକ ନିଜ ଦେଶରେ ଫ୍ୟାକ୍ଟ୍ରି ସ୍ଥାପନ କରୁଛନ୍ତି । ଏହା ଦ୍ୱାରା ଉଭୟ ଅନୁପାଳନ ଏବଂ ଯେଭଳି ମେଡିସିନ ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ ।

Comments (0)
Add Comment