ଲଗାଣ ବର୍ଷାରେ ଆଣ୍ଠେଇଲା ବେଙ୍ଗାଲୁରୁ: ୩ ମୃତ, ଶହ ଶହ ଲୋକ ଜଳବନ୍ଦୀ

ବେଙ୍ଗାଲୁରୁ, : ଦେଶର ଆଇଟି ସହର ବେଙ୍ଗାଲୁରୁ ସ୍ଥିତି ଏବେ ବେହାଲ । ଲଗାଣ ବର୍ଷାରେ ଆଣ୍ଠେଇଛି ବେଙ୍ଗାଲୁରୁ ସହର । ରବିବାର ସନ୍ଧ୍ୟାରୁ ସୋମବାର ଭୋର ଅର୍ଥାତ ୧୨ ଘଣ୍ଟାରେ ୧୩୦ ମିମି ବର୍ଷା ଯୋଗୁ ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ସହରରେ ଲଗାଣ ବର୍ଷା ସୃଷ୍ଟି କରିଛି ବନ୍ୟା । ଏଥିଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ଘର ଜଳବନ୍ଦୀ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ୨୦ରୁ ଅଧିକ ହ୍ରଦ ଓଭରଫ୍ଲୋ ସ୍ଥିତିରେ ଓ ରାସ୍ତାଘାଟ ଜଳମଗ୍ନ । ଅଣ୍ଡରପାସ ଓ ଫ୍ଲାଏଓଭରରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଘଣ୍ଟାଘଣ୍ଟା ଧରି ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅପେକ୍ଷା କରି ରହିବାକୁ ବାଧ୍ୟ ହେଉଛନ୍ତି । ସାଧାରଣ ବସ୍ ସେବା ମଧ୍ୟ ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ ଏକପ୍ରକାରର ଠପ ହୋଇଯାଇଛି । ଦୁଇଟି ଘୂର୍ଣ୍ଣିବଳୟ ଓ ଭୟଙ୍କର କାଳବୈଶାଖୀ ଯୋଗୁ ଦକ୍ଷିଣ, ଉତ୍ତର ଓ ପୂର୍ବ ବେଙ୍ଗାଳଉରୁ ସ୍ଥିତି ବେହାଲ ହୋଇଛି । ଜଳବନ୍ଦୀ ହୋଇ ରହିଥିବା ବେଙ୍ଗାଲୁରୁ ପାଇଁ ଆହୁରି ଚିନ୍ତା ବଢିବା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୫ ଦିନ ପାଇଁ ବେଙ୍ଗାଲୁରୁରେ ପ୍ରବଳ ବର୍ଷାର ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ଯୋଗୁ ଙ୍ଗାଲୁରୁବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିବିଏମପି ମୁଖ୍ୟ କମିଶନର ମହେଶ୍ୱର ରାଓ କହିଛନ୍ତି ଯେ ଗୋଟିଏ ଦଶନ୍ଧି ମଧ୍ୟରେ ସହରରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତାଙ୍କ କହିବା କଥା ଯେ ବେଳେବେଳେ କିଛି ଜିନିଷ ନିଜ ହାତରେ ନଥାଏ । ଆମେ ଏହା ଉପରେ ଏବେ କାମ କରୁଛି । ସୋମବାର ସନ୍ଧ୍ୟା ପ୍ରାୟ ୬.୧୫ରେ ୬୩ ବର୍ଷୀୟ ମନମୋହନ କାମାତ ଓ ୧୨ ବର୍ଷୀୟ ଦୀନେଶ ମଧୁବନ ଆପାର୍ଟମେଣ୍ଟରୁ ବର୍ଷା ଜଳ କାଢୁଥିବା ବେଳେ କରେଣ୍ଟ ଝଟକାରେ ପ୍ରାଣ ହରାଇଛନ୍ତି । ଦକ୍ଷିଣ ବେଙ୍ଗାଲୁରୁ ଏହି ଆପାର୍ଟମେଣ୍ଟ ରହିଛି । ଆପାର୍ଟମେଣ୍ଟର ପ୍ରଥମ ମହଲାରେ ମନମୋହନ ରହୁଥିଲେ । ଆପାର୍ଟମେଣ୍ଟରେ ବର୍ଷା ଜଳ ପ୍ରବେଶ କରିଥିବାରୁ ସେ ଗୋଟିଏ ପମ୍ପ ଆଣି ଏହାକୁ କାଢିବାକୁ ଚେଷ୍ଟା କରିଥିଲେ । ସମାନ ସମୟରେ ଆପାର୍ଟମେଣ୍ଟର ସିକ୍ୟୁରିଟୀ ଗାର୍ଡ ଭରତଙ୍କ ୧୨ ବର୍ଷୀୟ ପୁଅ ଦୀନେଶ ତାଙ୍କୁ ପାଣି କାଢିବାରେ ସହଯୋଗ କରିବାକୁ ଆସିଥିଲେ । କିନ୍ତୁ ପମ୍ପର ସୁଇଚ ଅନ୍ କରିବା କ୍ଷଣି ଉଭୟଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ୩ ମାସ ତଳେ ଦୀନେଶ ନେପାଳରୁ ପରିବାର ଲୋକଙ୍କ ସହ ବେଙ୍ଗାଲୁରୁ ଆସିଥିଲେ । ସେହିପରି କାନ୍ଥ ପଡ଼ି ୩୨ ବର୍ଷୀୟ ଶଶିକଳା ନାମକ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । କେଙ୍ଗେଲି ଠାରେ ଥିବା କୋଟେ ଲେଆଉଟରେ ୧୦୦ଟି ଘର ଭିତରେ ପାଣି ପଶି ଯାଇଛି । ଆରଆର ନଗରର ବର୍ଷାବବିତା ଭ୍ୟାଲି ଜଳବନ୍ଦୀ ସମସ୍ୟା ଯୋଗୁ ୫ ପଶୁଙ୍କ ମୃତ୍ୟୁ ହୋଇଛି । ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ୪୪ଟି କାର ଓ ୯୩ଟି ବାଇକ ବୁଡ଼ି ଯାଇଛି । ଲଗାଣ ବର୍ଷାରେ ୨୭ଟି ଘର ଉପୁଡ଼ି ପଡ଼ିଥିବା ବେଳେ ୪୩ରୁ ଅଧିକ ସ୍ଥାନରେ ଡାଳ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଶହଶହ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ଏସଡିଆରଏଫ ଯବାନମାନେ ଡଙ୍ଗା ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ବେଙ୍ଗାଲୁରୁରେ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଥିଲେ ହେଁ କୌଣସି କମ୍ପାନୀ ନିଜର କର୍ମଚାରୀଙ୍କ ପାଇଁ ୱାର୍କ ଫର୍ମ ହୋମ ବ୍ୟବସ୍ଥା କରି ନାହାନ୍ତି । କିନ୍ତୁ ଆଗାମୀ ଦିନରେ ଯଦି ବର୍ଷାର ପରିମାଣ ବଢିବ, ତା\’ହେଲେ ସେମାନେ ଏହି ବିକଳ୍ପକୁ ବ୍ୟବହାର କରିପାରନ୍ତି ବୋଲି କହିଛନ୍ତି ।

Comments (0)
Add Comment