କର୍ଣ୍ଣ-ନାସା-ଗଳା ଅସ୍ତ୍ରୋପଚାର ଓ ଦ୍ରୁତ ଆରୋଗ୍ୟ ପାଇଁ କିମସରେ ଲାଗିଲା ଅତ୍ୟାଧୁନିକ ମେସିନ

ଭୁବନେଶ୍ୱର, : କର୍ଣ୍ଣ- ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍‌ସ)ରେ ଏକ ଅତ୍ୟାଧୁନିକ ସିଓଟୁ (ସିଓ୨) ମେସିନ୍ ଉଦ୍‌ଘାଟିତ ହୋଇଯାଇଛି । କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମେସିନ୍‌କୁ ଉଦ୍‌ଘାଟନ କରି କହିଛନ୍ତି । ଏହା କର୍ଣ୍ଣ-ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ଏକ ମାଇଲ୍ ଖୁଣ୍ଟ ହେବ । ଏହା ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନେ ଅତ୍ୟାଧୁନିକ ଚିକିତ୍ସା ପାଇପାରିବେ । ଏହି ଅବସରରେ କିମ୍‌ସ କର୍ଣ୍ଣ-ନାସା-ଗଳା ବିଭାଗର ମୁଖ୍ୟ ଡା. କବିକାନ୍ତ ସାମନ୍ତରାୟ ସିଓ୨ ଲେଜର ମେସିନ୍‌ର ବିଭିନ୍ନ ଉପଯୋଗିତା ଉପରେ ଆଲୋକପାତ କରିଥିଲେ । କର୍କଟ ଓ କର୍ଣ୍ଣ- ନାସା-ଗଳା ରୋଗୀଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ହେଉଛି ସର୍ବାଧୁନିକ ମେସିନ୍ ବୋଲି ସେ ଦାବି କରିଛନ୍ତି । ଏହା ଦ୍ୱାରା ବିନା ରକ୍ତକ୍ଷୟରେ ଅସ୍ତ୍ରୋପଚାର ହେଉଥିବା ଯୋଗୁଁ ରୋଗୀ ଦ୍ରୁତ ଆରୋଗ୍ୟ ଲାଭ କରିଥାଏ । ଏହି ମେସିନ୍ ଦ୍ୱାରା ସ୍ୱରଯନ୍ତ୍ର ଅସ୍ତ୍ରୋପଚାର ଭଳି ସମସ୍ତ ପ୍ରକାର ସୂକ୍ଷ୍ମ ଓ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିବ । ଏହି ଅସ୍ତ୍ରୋପଚାର ପାଇଁ ପୂର୍ବରୁ ରୋଗୀମାନେ ମୁମ୍ବାଇ କିମ୍ବା ଦିଲ୍ଲୀକୁ ଯାଉଥିଲେ । ଏଥିପାଇଁ ସେମାନଙ୍କୁ ଆର୍ଥିକ ବୋଝ ପଡ଼ୁଥିଲା । କିମ୍‌ସରେ ଏହି ସୁବିଧା ଉପଲବ୍ଧ ହେବା ପରେ ଏଣିକି ରୋଗୀଙ୍କୁ ସୁଲଭ ଦରରେ ଏହି ସୁବିଧା ମିଳିପାରିବ । କିମ୍‌ସରେ ଲେଜର-ଆଧାରିତ ଏହି ଚିକିତ୍ସା ୨୪ଘଣ୍ଟିଆ ଉପଲବବ୍ଧ ହେବ । ସମ୍ପ୍ରତି ଲେଜର ଅସ୍ତ୍ରୋପଚାର ଚାହିଦା ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ବେଳେ କିମ୍‌ସରେ ଏହି ସୁବିଧା ସହିତ, ଠିକ୍ ଏବଂ ସର୍ବନିମ୍ନ କ୍ଷତରେ ଚିକିତ୍ସା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡା. ସାମନ୍ତରାୟ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମ୍‌ସ ମେଡିକାଲ୍‌ କଲେଜ ଅଧ୍ୟକ୍ଷ ପ୍ରଫେସର ଆରସି ଦାସ, କିମ୍‌ସ ମେଡିକାଲ ଅଧିକ୍ଷକ ଡା ମାନସ ରଞ୍ଜନ ବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment