ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯୋଡା ଅଞ୍ଚଳର ୧୩୫୩ ପଛୁଆବର୍ଗ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ

କେନ୍ଦୁଝର,: କେନ୍ଦୁଝର ଜିଲ୍ଲା ଯୋଡା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍‌ଏଫ୍‌) ପକ୍ଷରୁ ମଙ୍ଗଳବାର ଯୋଡ଼ା ଠାରେ ଅନୁଷ୍ଠିତ ଅରୁଣିମା କାର୍ଯ୍ୟକ୍ରମରେ ଯୋଡ଼ା, ଖଣ୍ଡବନ୍ଧ ଏବଂ କଳମଙ୍ଗ ଅଞ୍ଚଳର ଅର୍ଥନୈତିକ ଅନଗ୍ରସର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ୧୩୫୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧.୪୭ କୋଟି ଟଙ୍କାର ଜ୍ୟୋତି ଫେଲୋସିପ୍‌ ପ୍ରଦାନ କରାଯାଇଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ, ଯୋଡା ଅଞ୍ଚଳର ୮୮୭ ଜଣ, ଖଣ୍ଡବନ୍ଧ ଅଞ୍ଚଳର ୧୧୫ ଜଣ, ନୀଳାଚଳ ଖଣି ଅଞ୍ଚଳର ୪୮ ଜଣ ଏବଂ କଳମଙ୍ଗ ଅଞ୍ଚଳର ୩୦୩ ଜଣ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଛି । ଏଥିରେ କେଉଁଝର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ବଡବିଲ ଏସ୍‌ଡିପି ଓ ଦେବେନ୍ଦ୍ର ପିଙ୍ଗୁଆ, ବଡବିଲ ତହସିଲଦାର ଏସ୍ ଶୁଭଦର୍ଶି ଯୋଶି, ଟାଟା ଷ୍ଟିଲ୍ ଯୋଡ଼ାର ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ୍‌ର କଳମଙ୍ଗ-ଗନ୍ଧଲପଡ଼ା ପ୍ରକଳ୍ପ ମୁଖ୍ୟ ଦୀପକ କୁମାର ବେହେରା, ଏନ୍‌ଆଇଏନ୍‌ଏଲ୍ ଖଣି ମୁଖ୍ୟ ରାହୁଲ କିଶୋର, ଖଣ୍ଡବନ୍ଧ ଖଣି ମୁଖ୍ୟ ଜିଭି ସତ୍ୟନାରାୟଣ, ଟାଟା ଷ୍ଟିଲ୍ ଫାଉଣ୍ଡେସନ ଯୋଡା କ୍ଲଷ୍ଟର ମୁଖ୍ୟ ରବୀନ୍ଦ୍ର କୁମାର ଓ ଟିଏସ୍‌ଏଫ୍ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷାବୃତ୍ତି ପାଇଥିବା ବାମେବାରି ସରସ୍ୱତୀ ଶିଶୁ ମନ୍ଦିରର ସୁଶ୍ରୀ ଦୀପିକା ଦାସ କହନ୍ତି,
ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଶିକ୍ଷାବୃତ୍ତି ଯୋଗୁଁ ହିଁ ମୁଁ ଆଜି ପାଠ ପଢି ଆଗକୁ ଯାଇ ପାରିଛି । ଏଥିପାଇଁ ମୁଁ ଟିଏସ୍‌ଏଫ୍‌କୁ ଧନ୍ୟବାଦ ଜଣାଉଛି । ଜୁରୁଡି ଜଗନ୍ନାଥ ହାଇସ୍କୁଲର ସୁବର୍ଣ୍ଣକ ଓ ଚମ୍ପିଆ କହନ୍ତି, ଟିଏସ୍‌ଏଫ୍‌ର ଏହି ଆର୍ଥିକ ସହାୟତା ଯୋଗୁଁ ମୁଁ ପାଠ ପଢି ଏବେ ଚାକିରି କରୁଛି ଏବଂ ମୋର ପରିବାରକୁ ପ୍ରତିପୋଷଣ କରିବାରେ ସାହାର୍ଯ୍ୟ କରିପାରୁଛି । ଉଦ୍‌ଯାପନୀ ଉତ୍ସବରେ ଦୀର୍ଘସ୍ଥାୟୀ ବିକାଶ ପାଇଁ ଜଳ – ବିଶ୍ୱ ଜଳ ସଙ୍କଟକୁ ଏଡ଼ାଇବା ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଯେଉଁଥିରେ ଆଖପାଖ ଅଞ୍ଚଳର ମହିଳା ଓ କୃଷକମାନେ
ବହୁସଂଖ୍ୟାରେ ଯୋଗଦାନ କରିବେ । ଏଥିରେ ଦୀର୍ଘସ୍ଥାୟୀ ଜଳ ଓ କୃଷି ପ୍ରକଳ୍ପ, ଜଳ ସଂରକ୍ଷଣ ଢାଞ୍ଚା ଏବଂ ଜଳସେଚନ ପରିଚାଳନା, ଏବଂ ଅଭିନବ ସମାଧାନ ମାଧ୍ୟମରେ ଜଳ ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱ ଦିଆଯିବ । ଅରୁଣିମାର ଯୋଡା ସଂସ୍କରଣରେ
ଦୀର୍ଘସ୍ଥାୟୀ ଗୋଷ୍ଠୀ ବିକାଶ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ଆଭିମୁଖ୍ୟ ପ୍ରଦର୍ଶିତ ହୋଇଥିଲା । ଏହା ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ କରି ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ଫାଉଣ୍ଡେସନର ସମର୍ପଣକୁ ପ୍ରତିଫଳିତ କରୁଛି ।

Comments (0)
Add Comment