ପାରଳାଖେମୁଣ୍ଡି, 26/12(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ୍ ବ୍ୟାଚର ଆଡମ୍ବର ସକାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯୯୨ ମାଟ୍ରିକ୍ ବ୍ୟାଚର ତତ୍କାଳୀନ ଛାତ୍ରମାନେ ଏକାଠି ହୋଇ ସ୍ଥାନୀୟ ବିଏନ୍ ପ୍ୟାଲେସ୍ ପରିସରରେ ଆସର ଜମାଇଥିଲେ । ଏହି ଅବସରରେ ସ୍ଥାନୀୟ ପ୍ୟାଲେସ୍ ଛକ ଠାରୁ ବାଜାବାଜଣା ସହ ଏକ ପଟୁଆରରରେ ବାହାରି ରାଜଦାଣ୍ଡ ଦେଇ ହାଇସ୍କୁଲକୁ ଯାଇଥିଲେ । ସେଠାରେ ସମସ୍ତେ ଏକତ୍ରିତ ଭାବେ ସ୍ମୃତି ସାଉଁଟିଥିଲେ । ଏହାପରେ ଭଣଭୋଜି ଲାଗି ଐତିହାସିକ ବିଏନ୍ ପ୍ୟାଲେସ୍ କୁ ଯାଇ ସେଠାରେ ଭୋଜିଭାତ କରି ଆସର ଜମାଇଥିଲେ । ଏମାନେ ନିଜ ନିଜର ଅନୁଭୁତି, ପାଠପଢା ସମୟର ସ୍ମୃତିକୁ ସାଉଁଟି ବା ସହ ବାଲ୍ୟ ଅବସ୍ଥାରେ କିଏ କେଉଁଠି ପଢୁଥିଲେ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ତତ୍କାଳୀନ ମାଟ୍ରିକ୍ ସାଥି ମାନେ ବର୍ତ୍ତମାନ ନିଜ ନିଜ କର୍ମ କ୍ଷେତ୍ର ଲାଗି ସୁଦୂର ଦିଲ୍ଲୀ, ଭୁବନେଶ୍ବର, ବିଶାଖାପାଟଣା ଆଦି ସହରାଞ୍ଚଳରେ ରହୁଥିଲେ ମଧ୍ୟ ଆଜି ଏକତ୍ରିତ ହେବା ଉଦ୍ଦେଶ୍ୟରେ କର୍ମକ୍ଷେତ୍ର ଛାଡି ପାରଳାଖେମୁଣ୍ଡି ଆସିଥିଲେ । ଏହି ବନ୍ଧୁମାନେ ପ୍ରାୟତଃ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପଦପଦବୀରେ ରହିଛନ୍ତି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ରଶ୍ମିରଞ୍ଜନ ମିଶ୍ର, ବିଭୂତି ଭୂଷଣ ନାୟକ, ଦିଲ୍ଲିପ ହୋତା, ଅମିତ କୁମାର ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହ 120ରୁ ଉର୍ଦ୍ଧ ତତ୍କାଳୀନ 1992 ମାଟ୍ରିକ୍ ବ୍ୟାଚ୍ ର ସହପାଠୀମାନେ ଯୋଗଦେଇଥିବାର ଜଣାପଡିଛି ।