ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

The Chief Minister attended the annual function of Puri Surajmal Saha College

ଭୁବନେଶ୍ୱର,: ଜ୍ଞାନ ହେଉଛି ପ୍ରକୃତ ଶକ୍ତି । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି । ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ । ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ
ଦିଶାକୁ ଦିଗ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପୁରୀ ଠାରେ ସୁରଜମଲ ସାହା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି । ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଶିକ୍ଷା ପଦ୍ଧତି ଓ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏବେ ନିଯୁକ୍ତି ଓ ରୋଜଗାରର ଅମାପ ସୁଯୋଗ ରହିଛି । ଏହାର ସଦୁପଯୋଗ କରିବା ପାଇଁ ଶିକ୍ଷା ସହିତ ଉପଯୁକ୍ତ ଦକ୍ଷତା ବିକାଶ ତାଲିମ୍‌ର
ଆବଶ୍ୟକତା ରହିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବଜେଟରେ ଦେଶର ଏକ କୋଟି ଯୁବଗୋଷ୍ଠୀଙ୍କୁ ପ୍ରତିଷ୍ଠିତ କମ୍ପାନୀମାନଙ୍କ ଜରିଆରେ ଶିଳ୍ପଉପଯୋଗୀ କରିବା ପାଇଁ ଷ୍ଟାଇପେଣ୍ଡ ସହ ଇନ୍‌ଣ୍ଟରସିପ୍‌ର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶରେ
ନୂତନ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରାଯାଇଛି । ଯୁବପିଢିଙ୍କୁ ଏକ ସାମଗ୍ରିକ ଶିକ୍ଷା ଦ୍ୱାରା ଯୋଗ୍ୟ କରିବା ହେଉଛି ଆମର ଲକ୍ଷ୍ୟ । ସେ ପୁଣି କହିଥିଲେ, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାରଙ୍କ ଯୋଜନା ରହିଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ କରିବାପାଇଁ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବଳିଷ୍ଠ କରିବ  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନବନିର୍ମିତ ନୂତନ ଶ୍ରେଣୀଗୃହ ଓ ପ୍ରଶାସନିକ ଗୃହର ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନେପାଳର କାଠମାଣ୍ଡୁ ଠାରେ ଆୟୋଜିତ ଦକ୍ଷିଣ ଏସୀୟ ଯୁଦ୍ଧ ଚାମ୍ପିଅନସିପ୍‌ରେ ମେଡାଲ ହାସଲ କରିଥିବା ଓ ସର୍ବ ଭାରତୀୟ କୋଷ୍ଟାଲ ଟ୍ରେକିଙ୍ଗ ଓ ମାଉଣ୍ଟେନ କୋର୍ସରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ବିଶିଷ୍ଟ ସମାଜସେବୀ ସୁରଜମଲ ସାହା, ସାହସ, ତ୍ୟାଗ, ସମର୍ପଣ ଓ ତିତିକ୍ଷାର ପ୍ରତୀକ
ଥିଲେ । ସେ ପ୍ରତ୍ୟକ୍ଷ ରାଜନୀତିରେ ନଥାଇ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସଦା ସର୍ବଦା ଚେଷ୍ଟିତ ଥିଲେ । ଏହି ମହାବିଦ୍ୟାଳୟର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ହେଉଛନ୍ତି, ଜାତୀୟସ୍ତରର ଖେଳାଳି, ଏହା ଏକ ଗୌରବର କଥା । ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ଯେ, ରାଜ୍ୟର ବିକାଶ ଓ ସମୃଦ୍ଧି, ତୁମମାନଙ୍କ ଉପରେ ନିର୍ଭର କରୁଛି । ନିଜର ଉଜ୍ଜ୍ୱଳ ଭବିଷ୍ୟତ ଜରିଆରେ ରାଜ୍ୟ
ତଥା ଦେଶର ବିକାଶ ପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପିଲାମାନଙ୍କୁ
ପ୍ରେରଣାଦାୟୀ ବକ୍ତବ୍ୟ ଦେବା ସହିତ, ଆଗାମୀ ଭବିଷ୍ୟତରେ ନିଜ ଶିକ୍ଷା ମହତ୍ୱକୁ ଶୀର୍ଷ ସ୍ଥାନରେ ସ୍ଥାନିତ କରିବା ପାଇଁ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର.ବ୍ରହ୍ମୟନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅଧ୍ୟାପକ ନଳିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment