ବର୍ଷା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ସମାରୋହ

କୋରାପୁଟ :  ଦାମନଯୋଡ଼ିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ବର୍ଷା ସାହିତ୍ୟ ସଂସଦ’ର ବାର୍ଷିକ ସାରସ୍ୱତ ସମାରୋହ ରବିବାର ଦିନ ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଅତିଥି ନିରଞ୍ଜନ ସାମଲ,ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ବର୍ଷା’ର ପୂର୍ବତନ ସଭାପତି ଡ.ପ୍ରଦୀପ କୁମାର ପାଟ୍ଟଯୋଶୀ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବିଶିଷ୍ଟ ସାହିତ୍ୟିକ,ସମ୍ପାଦକ ଓ ସ୍ତମ୍ଭକାର ଡ଼ଃ ଅସିତ ମହାନ୍ତି ଏଥିରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଡ଼ଃ ମହାନ୍ତି ନିଜ ବକ୍ତବ୍ୟରେ ବିଭିନ୍ନ କବି ଓ ସାହିତ୍ୟିକଙ୍କ କବିତା ଓ କାବ୍ୟରୁ ଉଦ୍ଧୃତ କରି ସାହିତ୍ୟିକ କିଭଳି ଆତ୍ମିକ ରୂପେ ଘଟଣା ସହ ଜଡ଼ିତ ହେଲେ ଉତ୍ତମ ସାହିତ୍ୟ ସୃଷ୍ଟି ହୋଇଥାଏ,ଏହାର ବିସ୍ତୃତ ଆଲୋଚନା କରିଥିଲେ।ଗୋପୀନାଥ ମହାନ୍ତିଙ୍କ ରଚନାରେ ସ୍ଥାନିତ ଓଡ଼ିଶାର ଜାମ୍ୱକା ଓ ପାସକାର ଗୋତ୍ରର ଲୋକ,ପ୍ରଭୁ ଶ୍ରୀରାମଙ୍କ ବନବାସ ସମୟରେ ସେତୁବନ୍ଧ ନିର୍ମାଣ ବେଳେ ରାମାୟଣରେ ବର୍ଣ୍ଣିତ ଭାଲୁ ଓ ମାଙ୍କଡ଼ ବୋଲି ମତ ଦେଇଥିଲେ।ଏହି କଥା ଧିରେ ଧିରେ ଗବେଷଣା ଓ ସାହିତ୍ୟରେ ସମୃଦ୍ଧ ହେଲେ ରାମାୟଣର ପୁନଃ ମୂଲ୍ୟାୟନ ହେବ ଓ ଦିନେ ଏହାକୁ ସମସ୍ତେ ସ୍ଵୀକାର କରିବେ ଯାହା ଓଡ଼ିଶାକୁ ନୂତନ ପରିଚୟ ଦେବ ଓ ଓଡ଼ିଶାର ଖ୍ୟାତି ଚତୁର୍ଦ୍ଦିଗରେ ବିସ୍ତୀର୍ଣ୍ଣ ହେବ ବୋଲି ଡ଼ଃ ମହାନ୍ତି କହିଥିଲେ।ଏବେ ମଧ୍ୟ ବାଲ୍ମୀକିଙ୍କ ବଂଶଧର କୋରାପୁଟରେ ଅଛନ୍ତି ଓ ସଂସ୍କୃତ କହୁଥିବା ମୁଖ୍ୟବକ୍ତା ପ୍ରକାଶ କରିଥିଲେ।ଏଥିସହିତ ବର୍ଷା’ର ଆଗାମୀ ସୁବର୍ଣ୍ଣ ଜୟନ୍ତୀ ପାଇଁ ଅଗ୍ରୀମ ଶୁଭେଛା ଓ ଶୁଭକାମନା ଜଣାଇଥିଲେ। ମୁଖ୍ୟ ଅତିଥି ଇଂ.ନିରଞ୍ଜନ ସାମଲ ନିଜ ବକ୍ତବ୍ୟରେ ଭାଷା ଓ ସାହିତ୍ୟ ପରସ୍ପର ପରିପୂରକ ବୋଲି ମତ ରଖିଥିଲେ।ସାହିତ୍ୟ ଭାଷାକୁ ପରିପୁଷ୍ଟ କରେ,ଚଳଚଞ୍ଚଳ କରେ।ପୂର୍ବରୁ ମୁନି ୠଷି ସଂସ୍କୃତରେ ମନ୍ତ୍ର ରଚନା କରି, ଏହାଦ୍ବାରା ଅସାଧ୍ୟ କୁ ସାଧ୍ୟ କରିପାରୁଥିଲେ।ସାହିତ୍ୟିକଙ୍କ ସୃଷ୍ଟିରେ କିଭଳି ଅଧିକ ରଙ୍ଗ ରସ ଭରିହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ମତ ରଖିଥିଲେ। ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ି ଓ ବର୍ଷା’ର ସମ୍ପର୍କ ମଧ୍ୟ ପରିପୂରକ ବୋଲି ମତଦେଇ ନାଲକୋ ସର୍ବଦା କଳା,ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପୃଷ୍ଠ ପୋଷକତା କରି ଆସୁଥିବା ଇଡି ଶ୍ରୀ ସାମଲ ପ୍ରକାଶ କରିଥିଲେ।ପୂର୍ବାହ୍ନ ଅଧିବେଶନରେ ଉଦଘାଟନ କାର୍ଯ୍ୟ ସହିତ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଡ଼ଃ ସ୍ଵାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲେ ଓ ଡ଼ଃ ଅଶୋକ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବର୍ଷା’ର ମୁଖପତ୍ର ସହିତ ଡ.ପ୍ରଦୀପ କୁମାର ପାଟ୍ଟଯୋଶୀ, ଡ଼ଃ ସ୍ଵାତୀ ଚାଟାର୍ଜୀ ଓ ଦେବେନ୍ଦ୍ର କୁମାର ରାଜୁଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା।ଆକାଶବାଣୀ ଜଯପୁରର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପକ ଓ ଉଦଘୋଷକ ରଘୁନାଥ ବିଶ୍ଵାଳ ଓ ଦାମନଯୋଡିର କବୟିତ୍ରୀ ପ୍ରବାସିନୀ ପାଣିଙ୍କୁ ବର୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା।ଗତ ମ୍ୟାଟ୍ରିକ ପରୀକ୍ଷାରେ ସାହିତ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଆଖପାଖ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବର୍ଷୀୟାନ ସମାଜସେବୀ କୃଷ୍ଣ ସିଂଙ୍କ ସହିତ ନାଲକୋ ସମୂହ ମହାପ୍ରବନ୍ଧକ ପ୍ରଭାତ କୁମାର ଦାଶ, ମହାପ୍ରବନ୍ଧକ ଭି.ସୁରେଶ କୁମାର ବାଥୁଲା,କୋରାପୁଟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ବିଶିଷ୍ଟ ସାହିତ୍ୟିକ ଜଳନ୍ଧର ସ୍ଵାଇଁ,ଚନ୍ଦ୍ରକାନ୍ତ ବିଶ୍ଵାଳ,ଚନ୍ଦ୍ରମଣି ବାରିକ ଓ ଡ଼ଃ ଅଜୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାରମ୍ଭରେ ଅତିଥିଗଣ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସମାରୋହର ଉଦଘାଟନ କରିଥିଲେ।ସରସ୍ବତୀ ବିଦ୍ୟା ମନ୍ଦିର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ..’ ଗାନ କରିଥିଲେ।ବର୍ଷା’ର ସଭାପତି ଅରୁଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀଧର ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ନଳିନୀକାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବି,କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ।ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ଓ ପ୍ରଭାତ କୁମାର ଦାଶ ଏଥିରେ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ।କବିତା ପାଠୋତ୍ସବରେ ଶାନ୍ତାବାଳା ରଥ ଓ ସରୋଜିନୀ ତ୍ରିପାଠୀ ସଂଯୋଜନା କରିଥିଲେ।ନିର୍ମଳ ନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments (0)
Add Comment