ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନିରବଛିନ୍ନ ଜନସମ୍ପର୍କ ଅଭିଯାନ : ନିର୍ବାଚନ ମଣ୍ଡଳୀରେ ସୁଦୃଢ ହେଉଛି ବିଜେପି ସଂଗଠନ

ପାରାଦୀପ,: ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ପାରାଦୀପ ନିର୍ବାଚନ ମଣ୍ଡଳୀରେ ନିରବଛିନ୍ନ ଭାବେ ଜଣସମ୍ପର୍କ ଅଭିଯାନ ଜାରି ରଖିଛନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ସୁଚାରୁ ରୂପେ ଚଲାଇବା ସହ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ସେ ନିର୍ବାଚନ ମଣ୍ଡଳୀ ବୁଲିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏଥିଯୋଗୁଁ ପାରାଦୀପ ନିର୍ବାଚନ ମଣ୍ଡଳୀରେ ସେ ଲୋକାଦୃତ ହେବା ସହ ତୃଣମୂଳ ସ୍ତରରେ ବିଜେପି ସଂଗଠନ ମଜଭୁତ ହେବାରେ ଲାଗିଛି । ସେହିପରି ପାରାଦୀପ ଶିଳ୍ପାଞ୍ଚଳରେ କିଛି ସ୍ୱାର୍ଥବାଦୀ ସମାଜ ବିରୋଧୀ ନେତୃତ୍ୱ ଯୋଗୁଁ ନିଯୁକ୍ତି ଓ କର୍ମସଂସ୍ଥାନରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଣଦେଖା କରାଯାଉଥିବା ବେଳେ ଅଞ୍ଚଳର ନେତା ତଥା ମନ୍ତ୍ରୀ ସମ୍ପଦଙ୍କ ଆବିର୍ଭାବ ଏବେ ଜନସାଧାରଣଙ୍କ ମଧ୍ୟରେ ଆଶାର ସଂଚାର କରିଛି । ସେହିପରି ସମ୍ପଦଙ୍କ ଘନଘନ ପାରାଦୀପ ଗସ୍ତ ଓ ନିଜ କଳା ସମ୍ରାଜ୍ୟ ପତନ ନିଶ୍ଚିତ ଜାଣି କିଛି ଅପରାଧିକ ଛଦ୍ମବେଶି ନେତା ମନ୍ତ୍ରୀଙ୍କ ନାମରେ ମିଥ୍ୟା ଅପପ୍ରଚାର କରି ତାଙ୍କୁ ବଦନାମ କରିବାର ଅପଚେଷ୍ଟା କରୁଥିବା ନେଇ ଅଭିଯୋଗ କରିଛି ପାରାଦୀପ ବିଜେପି । ଏନେଇ ପାରାଦୀପ ବିଜେପି ସଭାପତି ସୁବ୍ରତ ପ୍ରଧାନ କହିଛନ୍ତି ଯେ ଆମେ କଥାରେ ନୁହେଁ କର୍ମରେ ବିଶ୍ୱାସ କରୁ । ଏହି ଆଧାରରେ ଆମ ନେତା ତଥା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ତେଣୁ ଅପରାଧ ଜଗତରୁ ଆସିଥିବା ବ୍ୟକ୍ତି ନିଜ ସୁରକ୍ଷା ପାଇଁ ଆମ ଲୋକପ୍ରିୟ ନେତା ସମ୍ପଦ ସ୍ୱାଇଁଙ୍କ ବିରୁଦ୍ଧରେ ଯେତେ ଅପପ୍ରଚାର କଲେ ବି ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ମଣ୍ଡଳ ସଭାପତି ସୁବ୍ରତ କହିଛନ୍ତି ।

Comments (0)
Add Comment