ଭୁବନେଶ୍ୱର,: ଅସମାନତା ଦୂର କରି ଏକ ଉଚିତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରି ରାଜ୍ୟର ସହରାଞ୍ଚଳଠାରୁ ଦୂରଦୂରାନ୍ତ ଗାଁ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଆଜି କସେବା ଭବନର ରାଜ୍ୟ କନଭେନ୍ସନ୍ ସେଣ୍ଟରଠାରେ ଓଡ଼ିଶାୟୁନିର୍ଭସିଟି ଅଫ୍ ହେଲ୍ଥ ଇନସେସ୍ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥିଭାବେ ଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇରାଜ୍ୟପାଳ କହିଥିଲେ ଯେ ଆମେ ସମସ୍ତେ ସମ୍ମିଳିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ଦ୍ୱାରା ଚିହ୍ନିତ ବିକଶିତ ରାଜ୍ୟ “ବିକଶିତ ଓଡ଼ିଶା” ଏବଂ ଏକ ସୁସ୍ଥ, ସମାବେଶୀ ଏବଂ ପ୍ରଗତିଶୀଳ ରାଷ୍ଟ୍ର “ବିକଶିତ ଭାରତ” ଗଠନ ପାଇଁ କାର୍ଯ୍ୟ କରୁଛେ । ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ, ଫାକଲ୍ଟି ମେମ୍ବର ଏବଂ ପ୍ରତ୍ୟେକ ସ୍ୱାସ୍ଥ୍ୟ ସେବା ପ୍ରୋଫେସନାଲ ସମାଜକୁ ପରିବର୍ତ୍ତନ କରିବାରେ ସେମାନଙ୍କର ସର୍ବୋତ୍ତମ ଯୋଗଦାନ ଦେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ଆମ ରାଜ୍ୟ ଏବଂ ଆମ ଦେଶ ଏକ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣସନ୍ଧିକ୍ଷଣରେ ଉଭା ହୋଇଛି, ଯେଉଁଠାରେ ସ୍ୱାସ୍ଥ୍ୟସେବା ଶିକ୍ଷାରେ ଉତ୍କର୍ଷତା ଏକ ସ୍ଥିର ଏବଂ ଜୀବନ୍ତ ଭବିଷ୍ୟତ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରତିଜ୍ଞା ଓ ସମ୍ଭାବନା ବାଣ୍ଟିବାର ଅବସର । ଏହି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସ୍ୱାସ୍ଥ୍ୟ ସେବା ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ହେବାକୁ ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ ଏହି ବିଶ୍ୱ ବିଦ୍ୟାଳୟ ଛିଡ଼ା ହୋଇଛି । ଏହି ବିଶ୍ୱ ବିଦ୍ୟାଳୟ କେବଳ ଶିକ୍ଷାଗତ ଉତ୍କର୍ଷତାର କେନ୍ଦ୍ର ନୁହେଁ, ବରଂ ଆମ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଆଶାର ଆଲୋକ ମଧ୍ୟ । ସ୍ୱାସ୍ଥ୍ୟ କ୍ଷେତ୍ର ଏକ ସୁସ୍ଥ, ସମୃଦ୍ଧ ସମାଜର ମେରୁଦଣ୍ଡ । ଏହି ବିଶ୍ୱ ବିଦ୍ୟାଳୟ ସ୍ୱାସ୍ଥ୍ୟ ବିଜ୍ଞାନର ବିଭିନ୍ନ ବିଷୟକୁ ଗୋଟିଏ ଛତା ତଳେ ଏକାଠି କରି ଏହା ଶିକ୍ଷା, ନବ ସୃଜନ ଏବଂ ସେବାର ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିବାକୁ ଲକ୍ଷ ରଖିବ ବୋଲି ରାଜ୍ୟପାଳ କହିବା ସହିତ ଏହା ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷ ଗବେଷଣା ଏବଂ ନବସୃଜନର କେନ୍ଦ୍ର ହେବ ବୋଲି ରାଜ୍ୟପାଳ ଆଶା ପୋଷଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ବିଦ୍ୟାଳୟର ଶ୍ରେଷ୍ଠ ଆମ୍ବାସଡରଭାବେ ଅଭିହିତ କରି ସେମାନଙ୍କ ଶିକ୍ଷାଗତ ଏବଂ ବୃତ୍ତିଗତ ଯାତ୍ରାରେ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଏତଦ୍ବ୍ୟତୀତ ଚିକିତ୍ସା ସେବା ପ୍ରୋଫେସନାଲମାନଙ୍କ ଠାରେ ସମ୍ବେଦନଶୀଳତା, ନୈତିକତା ଓ ସମର୍ପଣ ଭାବ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ରାଜ୍ୟପାଳ ବିଶ୍ୱ ବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମାରୋହରେ ସେଣ୍ଟ୍ରାଲ କାଉନ୍ସିଲ୍ ଫର ରିସର୍ଚ ଇନ୍ ଆର୍ୟୁ ବେଦ ସାଇନ୍ସେସ୍ର ଡାଇରେକ୍ଟର ଜେନେରାଲ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ, ଏଆଇଆଇଏମ୍ଏସ୍ର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ ମହାପାତ୍ର ଏବଂ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର ଭାଇସ୍
ଚ୍ୟାନ୍ସେଲର ପ୍ରଫେସର ଡ. କମଲ୍ଜିତ୍ ସିଂହ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଓଡ଼ିଶା ୟୁନିର୍ଭସିଟି ଅଫ୍ ହେଲଥ୍ ସାଇନ୍ସେସ୍ର ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ଡା. ମାନସ ରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ରେଜିଷ୍ଟ୍ରାର ଶ୍ରୀମତୀ ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲ, ପତ୍ରିକା ଏବଂ ଇ-ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା ।