ଦିଗଭ୍ରଷ୍ଟ ନାଉରୀ

ଭାରତବର୍ଷରେ ଦୀର୍ଘଦିନ କ୍ଷମତାକେନ୍ଦ୍ରରେ ରହିଥିବା ଦଳ କଂଗ୍ରେସ ଏବେ ଦୋଦୁଲ୍ୟମାନ ସ୍ଥିତିରେ । ନିଜର ସ୍ଥିତି ଖୋଜିହେଉଛି, କିନ୍ତୁ କୂଳ କିନାରା ପାଉନଥିବା ପରି ଦୃଷ୍ଟିଗୋଚର ହେଉଛି । ଦଳର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ପ୍ରାୟ ରାଜ୍ୟରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇସାରିଲାଣି । କଂଗ୍ରେସ ଏବେବି ପୁରୁଖା ନେତାଙ୍କୁ ଜାବୁଡ଼ି ବସି ରହିଥିବାରୁ ପ୍ରାୟ ଜାଗାରେ ଅସନ୍ତୋଷର ବହ୍ନି ଦେଖିବାକୁ ମିଳୁଛି । ଦଳକୁ ସଶକ୍ତ କରିବାକୁ ହେଲେ କଂଗ୍ରେସ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି । କିଛିଦିନ ପୂର୍ବର କଥା ଚିନ୍ତା କଲେ ଆପଣ ସ୍ପଷ୍ଟ ଜାଣିପାରିବେ ଜ୍ୟୋତିରାଦିତ୍ୟଙ୍କ ଭଳି କଂଗ୍ରେସର ସଶକ୍ତ ନେତା ଦଳ ଛାଡ଼ି ପଦ୍ମ ଧରିଲେ । ଖାଲି ଜ୍ୟୋତିରାଦିତ୍ୟ ନୁହଁନ୍ତି ବରଂ ରାଜ୍ୟ କଂଗ୍ରେସର ଏକ ବୃହତ୍ ଗୋଷ୍ଠୀ ବିଜେପିରେ ମିଶିଲେ । ଦଳ ଦୁଇଭାଗରେ ବିଭକ୍ତ ହେଲା । ଶେଷରେ ବିଜେପି ବାଜି ମାରିନେଲା ଓ ଶିବରାଜ ସିଂ ଚୌହ୍ୱାନ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେଲେ । ଦୀର୍ଘବର୍ଷ ପରେ ମଧ୍ୟପ୍ରଦେଶ ବିଧାନସଭା ନର୍ବାଚନରେ ବିଜେପି ନେତୃତ୍ୱାଧୀନ ଶିବରାଜ ସିଂହ ସରକାରକୁ ହଟାଇ କଂଗ୍ରେସ କ୍ଷମତାକୁ ଆସିଥିଲା । ଦଳର ବରିଷ୍ଠ ନେତା କମଲନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । କିନ୍ତୁ ମଧ୍ୟପ୍ରଦେଶରେ ଦଳ ଜ୍ୟୋତିରାଦିତ୍ୟଙ୍କୁ ପାଥେୟ କରି ନିର୍ବାଚନ ବୈତରଣୀ ପାର୍ କରିଥିଲା । ଶେଷ ମୁହୂର୍ତ୍ତରେ କିନ୍ତୁ ଦଳର ହାଇକମାଣ୍ଡ ଝଟ୍କା ଦେଇ ମୁଖ୍ୟମନ୍ତ୍ରୀ ଭାବେ କମଳନାଥଙ୍କୁ ଗାଦିରେ ବସାଇଥିଲେ । ମୁଖ୍ୟମନ୍ତ୍ରୀ ଆସନ ନମିଳିବା ପରେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରଥମ ଆସନ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସିନ୍ଧିଆ ବିଜେପିକୁ ବିଶ୍ୱସ୍ତ ଭାବି କଂଗ୍ରେସ ଛାଡ଼ିଲେ । ଏବେ ରାଜସ୍ଥାନରେ ସମଦଶା ଭୋଗିବାକୁ ଯାଉଛି ଦଳ । ୨୦୧୩ କଥାକୁ ଚିନ୍ତା କରାଯାଉ । ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ି ମାତ୍ର ୨୧ଟି ଆସନ ପାଇଥିଲା । କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ସଚିନଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ି କଂଗ୍ରେସ ୧୦୦ଟି ଆସନରେ ବିଜୟୀ ହୋଇଥିଲା । ତେଣୁ ନିଃସନ୍ଦେହରେ ସଚିନଙ୍କୁ ଶ୍ରେୟ ଯିବା କଥା ଓ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଇବା କଥା । କିନ୍ତୁ ସେପରିସ୍ଥଳେ ସଚିନ୍ ପାଇଲଟ୍ଙ୍କୁ ଅଣଦେଖା କରି ଦଳର ବରିଷ୍ଠ ନେତା ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସେତେବେଳେ ରାଜ୍ୟ କଂଗ୍ରେସରେ ଦାନା ବାନ୍ଧିଥିଲା । ଦଳ ଦିନକୁ ଦିନ ରସାତଳଗାମୀ ହେଉଛି, ଏକଥା ଖୋଦ୍ କଂଗ୍ରେସ ହାଇକମାଣ୍ଡ ବି ବୁଝିସାରିଲେଣି । ତଥାପି କ’ଣ ପାଇଁ ବରିଷ୍ଠଙ୍କୁ ଅଗ୍ରାଧିକାର ଦେଇ ଯୁବଗୋଷ୍ଠୀଙ୍କୁ ଅଣଦେଖା କରାଯାଉଛି ତାହା ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତା’ଛଡ଼ା ଯେଉଁ ରାହୁଳ ଭାରତବର୍ଷରେ କଂଗ୍ରେସର ମୁଖିଆ ବୋଲି ନିଜକୁ କହିବୁଲୁଛନ୍ତି ତାଙ୍କର କିଛି ରାଜନୀତିରେ ପରିପକ୍ୱତା ଆସିନଥିବା ମନେହୁଏ । ବିଭିନ୍ନ ସମୟରେ ଭ୍ରାନ୍ତିକର ମନ୍ତବ୍ୟ ଦେଇ ରାହୁଳ ଲୋକହସାର ପାତ୍ର ହୋଇଛନ୍ତି । ମନମୋହନ ସିଂଙ୍କ ଶାସନ ସମୟରେ ଅଧ୍ୟାଦେଶକୁ ଚିରି ଫୋପାଡ଼ିବା, ଭାରତୀୟ ସେନାର ବୀରତ୍ୱ ଉପରେ ପ୍ରଶ୍ନ ଚିହ୍ନ ଆଣିବା, ମୋଦି ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ସମାଲୋଚନା କରିବା ତାଙ୍କ ଅପରିପକ୍ୱ ରାଜନୀତିର ପରିଚୟ ଦେଇଥାଏ । ଭାରତବର୍ଷରେ କଂଗ୍ରେସ ଗଠନ ହେବା ପରଠାରୁ ଗାନ୍ଧି ପରିବାର ଯେଭଳି କ୍ଷମତାକୁ ଜାବୁଡ଼ି ଧରିଛନ୍ତି ତାହା ବି କିଛି ଦଳୀୟ ନେତାଙ୍କୁ ହଜମ ହେଉନି । ବୁଡ଼ିଯାଉଥିବା ଡଙ୍ଗାକୁ ଉଦ୍ଧାର କରିବା ତ ଦୂରର କଥା ବରଂ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ଡଙ୍ଗାର ମଙ୍ଗ ଧରିଥିବା ବ୍ୟକ୍ତିବୃନ୍ଦମାନେ ଏବେ ଯେଭଳି ମନମାନି କରୁଛନ୍ତି ଓ ଦଳ ଭିତରେ ଅନ୍ତଃକନ୍ଦଳ ଭିଆଉଛନ୍ତି ତାହା ଯେ ଆଗାମୀ ଦିନରେ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡ଼ିବ ତାହା ଜଳଜଳ ଦିଶିଲାଣି ।

Comments (0)
Add Comment