ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବ ଟିଏମ୍‌ସି ପଞ୍ଜାବରେ ମଧ୍ୟ ଆପ୍‌ ଏକାକୀ ଲଢ଼ିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ,ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ। ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଣ୍ଟର ଭାଗ୍ୟ ଓ ଭବିଷ୍ୟତ ଉପରକୁ ସଙ୍କଟ ମାଡି
ଆସିଛି। ମମତା କହିଛନ୍ତି ସେ ଯାହା ବି ପ୍ରସ୍ତାବ ଦେଇଥିଲେ, ତାକୁ ଖାରଜ କରିଦିଆଯାଇଛି । ତେଣୁ ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବାକୁ ତୃଣମୂଳ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହାଛଡା ରାହୁଲ ଗାନ୍ଧୀଙ୍କ ନାମ ନନେଇ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ। କହିଛନ୍ତି ଏବେ ପଶ୍ଚିମବଙ୍ଗରେ ଭାରତଯୋଡ଼ ନ୍ୟାୟଯାତ୍ରା ହେବାକୁ ଯାଉଛି। ଶିଷ୍ଟାଚର ଦୃଷ୍ଟିରୁ
ନ୍ୟାୟଯାତ୍ରାକୁ ନେଇ ତାଙ୍କୁ କୌଣସି ସୂଚନା ଦିଆଗଲା ନାହିଁ। ଏପରିକି ତାଙ୍କ ସହ କୌଣସି ଆଲୋଚନା କରାଯାଇନାହିଁ। ଯାହା ମେଣ୍ଟ ଧର୍ମରେ ସଂପୂର୍ଣ୍ଣ ଭୁଲ ବୋଲି କ୍ଷୋଭ
ପ୍ରକାଶ କରିଛନ୍ତି ମମତା। ଆସନ ଭାଗବଣ୍ଟାକୁ ନେଇ ପ୍ରଥମ ଦିନରୁ ଟିଏମସି ଓ କଂଗ୍ରେସ ମଧ୍ୟରେ ବିବାଦ ଥିଲା। ପଶ୍ଚିମବଙ୍ଗ ପାଇଁ କଂଗ୍ରେସ ୧୦ରୁ ୧୨ ଆସନ ଦାବି କରୁଥିବାବେଳେ ଟିଏମସି କେବଳ ୨ଟି ଆସନ ଅଫର କରିଥିଲା। ଯାହାକୁ ନେଇ ମମତା ବାର୍ନାଜୀଙ୍କୁ ସିଧାସଳଖ ଟାର୍ଗେଟ କରିଆସୁଥିଲେ କଂଗ୍ରେସ ନେତା ଅଧୀର ରଂଜନ
ଚୌଧୁରୀ । ଏପରିକି ଦୁଇ ଦିନ ପୂର୍ବରୁ କଂଗ୍ରେସକୁ ପରାର୍ମଶ ଦେଇ ମମତା କହିଥିଲେ କଂଗ୍ରେସ ୩୦୦ ଆସନରେ ଏକାକୀ ଲଢ଼ିବା ସକ୍ଷମ। କଂଗ୍ରେସକୁ ସେ ନିଜର ପୂର୍ଣ୍ଣ ସହଯୋଗ ଦେବେ। ଯେଉଁ ଆସନରେ କଂଗ୍ରେସ ଲଢ଼ିବ ସେହି ଆସନରୁ ଓହରିବ ଟିଏମସି। ଏଥିସହ ମମତା କହିଥିଲେ ଆଞ୍ଚଳିକ ଦଳମାନଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ଆସନ ଛାଡ଼ିବା ଉଚିତ୍‌। କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ଇଣ୍ଡିଆ ମେଣ୍ଟକୁ ପଞ୍ଜାବରେ ଝଟକା। ପଞ୍ଜାବର ସମସ୍ତ ୧୩ ଲୋକସଭା ଆସନରେ ଏକାକୀ ଲଢ଼ିବ ଆମ ଆଦମୀ ପାର୍ଟି। ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ିବା ନେଇ ଘୋଷଣା କରିବାର କିଛି ସମୟ ପରେ ଆମ ଆଦମୀ ନିଜ ନିଷ୍ପତ୍ତି ଜଣାଇଛି। ହଠାତ ଦୁଇ ବଡ ସହଯୋଗୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ହୁଏତ
ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ଭାଙ୍ଗିବା ଆଶଙ୍କା ବଢ଼ିଛି। ପୂର୍ବରୁ ପଞ୍ଜାବ ଆପ ସରକାର ଏକାକୀ ଲଢିବା ନେଇ ଇଙ୍ଗିତ କରିଥିଲେ। ତେବେ ଆମ ଆଦମୀ ପାର୍ଟି ଓ ତୃଣମୂଳ କଂଗ୍ରେସର ନିଷ୍ପତ୍ତିରୁ ସ୍ପଷ୍ଟ ଜଣାପଡୁଛି ଇଣ୍ଡିଆ ମିଳିତ ମଞ୍ଚରେ ସବୁ କିଛି ଠିକ ଚାଲିନି।

#Congress #Mamata Banerjee #decides fight Lok Sabha polls alone #dumanikhabar #odia
Comments (0)
Add Comment