କଳାହାଣ୍ଡି, 29/7: ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଦିବାସୀ ଅଧୁଷିତ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଏହାର ଓଲଟା ଦେଖିବାକୁ ମିଳିଛି । ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ୮୦ ପ୍ରତିଶତ ବିଦ୍ୟାଳୟରେ ପାଣି ଗଳୁଛି । ଏହା ବ୍ୟତୀତ ବହୁ ସ୍କୁଲରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଟାଙ୍ଗଣକଣା ପ୍ରାଥମିକ ବିଦ୍ୟାଳୟରେ । ସୂଚନାମତେ ୨୦ ଏପ୍ରିଲ ୨୦୦୭ ମସିହାରେ ଟାଙ୍ଗଣକଣା ବିଦ୍ୟାଳୟ ସ୍ଥାପନ ହୋଇଥିଲା । ବର୍ତ୍ତମାନ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୪ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି । ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ଅଛନ୍ତି । ୫ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୨ଟି କୋଠରି ରହିଥିବା ବେଳେ ଗୋଟିଏ ଛୋଟିଆ ଅଫିସ କୋଠରୀ ରହିଛି । ଛାତ୍ରଛାତ୍ରୀ ପଢ଼ୁଥିବା ଏହି ୨ଟି କୋଠରୀ ଓ ଅଫିସ କୋଠରୀରେ ବର୍ଷା ପାଣି ଗଳୁଥିବା ଯୋଗୁଁ ସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଗୋଟିଏ କୋଠରୀର କୋଣରେ ବସି ବହୁ ଅସୁବିଧାର ସମ୍ମୁଖୀନ ହୋଇ ପାଠ ପଢିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଫଳରେ ବିପଦ ସଂକୁଳ ଅବସ୍ଥାରେ ବସାଇ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହୋଇ ପାରୁନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଶ୍ୟାମ ମାଝୀ ଓ ଶିକ୍ଷକମାନେ ପ୍ରକାଶ କରିଛନ୍ତି । ବର୍ଷ ବର୍ଷ ଧରି ସ୍କୁଲର ସମସ୍ୟା ନେଇ ବ୍ଳକ ଶିକ୍ଷା ବିଭାଗ, ଗ୍ରାମପଞ୍ଚାୟତ ସରପଞ୍ଚ, ବ୍ଳକ ବିଡ଼ିଓଙ୍କ ଆଗରେ ବହୁବାର ଅଭିଯୋଗ କରିବା ପରେ ଗତ ୨୦୨୪ ଜୁନ ମାସରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର ଉକ୍ତ ସ୍କୁଲକୁ ଆସି ତଦନ୍ତ କରି ସ୍କୁଲର ଅବସ୍ଥା ଦେଖି ଅତିଶୀଘ୍ର ଏହାର ପୁନରୁଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜିଯାଏ କୌଣସି ପଦକ୍ଷେପ ନିଆ ଯାଇନାହିଁ । ବ୍ଳକ ଓ ପଞ୍ଚାୟତର ଖାମଖିଆଲି ମନୋଭାବ ଓ ଚରମ ଅବହେଳା ଯୋଗୁଁ ଆଜି ସ୍କୁଲର ଏଭଳି ସମସ୍ୟା ଦେଖା ଦେଇଛି ବୋଲି ସ୍କୁଲ କମିଟି ଓ ଅଭିଭାବକମାନେ ପ୍ରକାଶ କରିଛନ୍ତି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ବିପଦ ଝୁଲିକି ରହିଥିବା ଯୋଗୁଁ ସ୍କୁଲ ମରାମତି କର ନଚେତ ପିଲାଙ୍କୁ ସ୍କୁଲ ଛାଡିବୁ ନାହିଁ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ସେହିପରି ସ୍କୁଲରେ ରୋଷେଇ ଘରଟିଏ ମଧ୍ୟ ନାହିଁ । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ମାଝୀ ସମେତ ଅଭିଭାବକମାନେ ଦାବି କରିଛନ୍ତି । ଏନେଇ ବ୍ଳକ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କୁ ପଚାରିବାରୁ ମୁଁ ବିଡ଼ିଓଙ୍କ ସହିତ କଥା ହୋଇ ଅତିଶୀଘ୍ର ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଥିଲେ । ଏନେଇ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ମୁଁ ଛତ୍ରପୁର ପଞ୍ଚାୟତ ସରପଞ୍ଚଙ୍କ ସହିତ କଥା ହୋଇ ଅତିଶୀଘ୍ର ସ୍କୁଲର ମରାମତି କରିବା ପାଇଁ ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଛନ୍ତି ।