ଭୁବନେଶ୍ୱର/ପୁରୀ, : ବହୁପ୍ରତୀକ୍ଷିତ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରୁ ପରିବେଶ ମଞ୍ଜୁରୀ ମିଳିଛି । ଏହି ଅନୁମତି ଫଳରେ ବିମାନବନ୍ଦର ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ । ଗତ ସେପ୍ଟମ୍ବରରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀ ବିମାନବନ୍ଦର ପ୍ରକଳ୍ପ ନିମନ୍ତେ ସାଇଟ୍ କ୍ଲିଅରାନ୍ସ ଅନୁମୋଦନ ପ୍ରଦାନ କରିଥିଲା । ଏହି ଅନ୍ତର୍ଜାତୀୟ ବିମାନବନ୍ଦର ନିମାଣ ପାଇଁ ଆବଶ୍ୟକ ଥିବା ୧୧୬୪ ଏକର ଜମିରୁ ୬୮.୮୧ ଏକର ହେଉଛି ଜଙ୍ଗଲ ଏବଂ ୨୨୧.୮୯ ଏକର ଘରୋଇ ଜମି । ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରି ପୁରୀ ଜିଲ୍ଲା ପ୍ରଶାସନ ବିମାନବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରୁଥିବା ବେଳେ ଏନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଆସନ୍ତା ଜାନୁଆରୀ ୩ ତାରିଖ ସୁଦ୍ଧା ଜଣାଇବା ଲାଗି ଜନସାଧାରଣଙ୍କୁ କହିଛି । ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି ୫୬୩୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି । ସୂଚନାନୁସାରେ, ଜିଲ୍ଲାସ୍ତରୀୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ମନ୍ତ୍ରାଳୟ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ଅନୁମତି ଦେଇଛି । ୯୪୩ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇ ପାଚେରୀ ନିର୍ମାଣ କରାଯାଇଛି । ଏବେ ଘରୋଇ ଜମି ଅଧିଗ୍ରହଣ କରାଯିବ । ଘରୋଇ ଜମି ଅଧିଗ୍ରହଣ ପୂର୍ବରୁ ଗତ ମେ’ ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଜନଶୁଣାଣୀ ବୈଠକ ଆୟୋଜନ କରାଯାଇଥିଲା । ଏଥିସହ ବିମାନବନ୍ଦର ପାଇଁ ଡିପିଆର୍ ପ୍ରସ୍ତୁତ କରାଯିବା ପରେ ଅନୁମୋଦନ ଲାଭ ପାଇଁ ଆବେଦନ କରାଯିବ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିମାଣ ପାଇଁ ପ୍ରସ୍ତାବିତ ଅଞ୍ଚଳରେ ଥିବା ୨୭.୮୮୭ ହେକ୍ଟର ଜମି (୬୮.୯୧ ଏକର) ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଗତ ଅଗଷ୍ଟରେ ପ୍ରଧାନ ପ୍ରମୁଖ ବନ ସଂରକ୍ଷକ (ପିସିସିଏଫ୍) ସରକାରଙ୍କୁ ସୁପାରିସ୍ କରିଥିଲେ । ପୁରୀ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ହୋଇଥିବାରୁ ଏଠାରେ ଏକ ଅନ୍ତର୍ଜାତୀୟ ବିମାନନ୍ଦର ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କଠାରୁ ଏନେଇ ଅନୁମତି ହାସଲ କରିଥିଲେ । ତେବେ ପ୍ରକଳ୍ପ ସମ୍ପର୍କିତ କାମ ବିଳମ୍ବିତ ହେଉଥିବାରୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଗତ ମେ’ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଅନୁରୋଧ କରିଥିଲେ ।