ଭୁବନେଶ୍ୱର, ୨୯ା୭ : ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଠାରୁ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି ବୋଲି କହିବା ସହିତ ଆଗାମୀ ଦିନମାନଙ୍କରେ ଆକାଂକ୍ଷୀ ଜିଲ୍ଲାମାନଙ୍କର ଆକାଂକ୍ଷା ପୂରଣ ହେବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରେ ଯୋଜନା କିପରି କାର୍ଯ୍ୟକାରୀ କରାଯାଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଦକ୍ଷତା ବିକାଶକୁ ଆଧାର କରି ସାମାଜିକ ଅର୍ଥନୈତିକ ସୂଚକାଙ୍କ ମାଧ୍ୟମରେ ସମାବେଶୀ ବିକାଶର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରାଯାଉଛି । ଜିଲ୍ଳା ପରେ ଏବେ ବ୍ଲକକୁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩ଟି ସି, ଯଥା- ସମ୍ମିଶ୍ରଣ ଅର୍ଥାତ କେନ୍ଦ୍ର ଓ ରାଜ୍ୟ ଯୋଜନାର ସମନ୍ୱୟ, ସହଯୋଗ ଅର୍ଥାତ- କେନ୍ଦ୍ର, ରାଜ୍ୟ, ଜିଲ୍ଲା ଓ ନାଗରିକଙ୍କ ମଧ୍ୟରେ ସହଯୋଗ, ଏବଂ ପ୍ରତିଯୋଗିତା ଅର୍ଥାତ- ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କରେ ଜିଲ୍ଲାମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଉପରେ ଗୁରୁତ୍ୱ ଦିଆଯାଇଛି । ଦୁର୍ଗମ ଏବଂ ଅଳ୍ପ ବିକଶିତ ବ୍ଲକ ଗୁଡିକରେ ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ସହିତ ସେମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରାଯାଉଛି । ସେ ଆହୁରି କହିଥିଲେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ- “ଭୋକାଲ ଫର୍ ଲୋକାଲ’ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହାକୁ ବାସ୍ତବ ରୂପ ଦେବା ନିମନ୍ତେ ୨୦୨୪ ମସିହାରେ “ଆକାଂକ୍ଷା ବ୍ରାଣ୍ଡ’ର ଶୁଭାରମ୍ଭ କରାଯାଇଛି । ମୁଁ ଅତ୍ୟନ୍ତ ଖୁସିର ସହ ଘୋଷଣା କରୁଛି ଯେ, ଏହି ଆକାଂକ୍ଷା ବ୍ରାଣ୍ଡକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏକ ସପ୍ତାହବ୍ୟାପୀ ଆକାଂକ୍ଷା ହାଟ ଅଭିଯାନ ଆଜିଠାରୁ ଆରମ୍ଭ କରାଯାଉଛି । ଏହି ଆକାଂକ୍ଷା ହାଟ ଅଭିଯାନ ଦ୍ୱାରା ଆମ ରାଜ୍ୟର ଦୁର୍ଗମ ତଥା ଅନୁନ୍ନତ ଅଞ୍ଚଳରେ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀଗୁଡିକର ବଜାର ଉପଲବ୍ଧତା ବୃଦ୍ଧି ପାଇବ । ଏହା ମାଧ୍ୟମରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, କାରିଗର, ବୁଣାକାର ଭାଇ ଓ ଭଉଣୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଉପଭୋକ୍ତାମାନଙ୍କୁ ସ୍ଥାନୀୟ ଉତ୍ପାଦଗୁଡ଼ିକ ସୁଲଭ ଏବଂ ସଠିକ ଦରରେ ମିଳି ପାରିବ । ଆକାଂକ୍ଷା ହାଟ ଅନ୍ତର୍ଗତ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରେ ମାର୍କେଟିଙ୍ଗ୍ ନିମନ୍ତେ ଡିଜିଟାଲ୍ ଇ-ମାର୍କେଟପ୍ଲେସ୍ ଗୁଡ଼ିକରେ ମଧ୍ୟ ଉପଲବ୍ଧ କରାଯିବ । ଏହା ଦ୍ୱାରା ଏହି ଉତ୍ପାଦ ଗୁଡିକର ବଜାର ସଂଯୋଗ ଏବଂ ଉପଭୋକ୍ତା ସଂଖ୍ୟା ଆହୁରି ବ୍ୟାପକ ହୋଇ ପାରିବ । ବଜାର ଚାହିଦା ଅନୁଯାୟୀ ଉତ୍ପାଦଗୁଡ଼ିକର ମାନକ, ମୂଲ୍ୟ ନିର୍ଦ୍ଧାରଣ ଏବଂ ଉପଲବ୍ଧତା ବୃଦ୍ଧି ନିମନ୍ତେ ଆକାଂକ୍ଷା ବ୍ରାଣ୍ଡର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରାଯିବ । ସେ ପୁଣି କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ୨୦୧୮ ଜାନୁୟାରୀ ମାସରେ ଶୁଭାରମ୍ଭ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତା ପରେ ୨୦୨୩ ଜାନୁୟାରୀରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ଓଡ଼ିଶାର ମଧ୍ୟ ୧୦ଟି ଜିଲ୍ଲାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଏବଂ ୧୬ଟି ଜିଲ୍ଲାର ୨୯ଟି ବ୍ଲକରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି) କାର୍ଯ୍ୟକାରୀ ହେଉଅଛି । ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ, ସାରା ଭାରତବର୍ଷର ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକଗୁଡ଼ିକରେ ୨୦୨୪ ମସିହା ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି । ଉକ୍ରର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ ଜିଲ୍ଲା ଏବଂ ବ୍ଲକର ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜ୍ୟ ନିମନ୍ତେ ଗୌରବର ବିଷୟ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସମସ୍ତ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ କ୍ରମାଗତ ଭାବେ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କହୁଛନ୍ତି । ରାଜ୍ୟର ଦଶଟି ଜିଲ୍ଲା ସାମୂହିକ ଭାବେ ୧୬୫ କୋଟି ଟଙ୍କା ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଯେଉଁ ଜିଲ୍ଲାଗୁଡିକ ଆଶାନୁରୂପ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି, ସେମାନେ ନିରାଶ ନ ହୋଇ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସପିରେସନାଲ୍ ଜିଲ୍ଲା ଓ ବ୍ଲକମାନଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୁରସ୍କାର ମଙ୍ଗଳବାର ପ୍ରଦାନ କରିଛନ୍ତି । ଆସପିରେସନାଲ୍ ଜିଲ୍ଲାମାନଙ୍କ ମଧ୍ୟରୁ ମାଲକାନଗିରି ଓ ନବରଙ୍ଗପୁର ସ୍ୱର୍ଣ୍ଣ ପଦକ, କନ୍ଧମାଳ ଓ କୋରାପୁଟ ରୌପ୍ୟ ପଦକ, ଏବଂ ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ନୂଆପଡ଼ା କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ଆସପିରେସନାଲ୍ ବ୍ଲକ୍ କାର୍ଯ୍ୟକ୍ରମରେ ଖୈରପୁଟ, ମାଥିଲି, ଚିତ୍ରକୋଣ୍ଡା ଓ ଡାବୁଗାଁ – ଏହି ଚାରିଟି ବ୍ଲକ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟ ୭ଟି ବ୍ଲକ ରୌପ୍ୟ ପଦକ, ଏବଂ ୩ଟି ବ୍ଲକ କାଂସ୍ୟ ପଦକ, ଏବଂ ୧୧ଟି ବ୍ଲକ ତାମ୍ର ପଦକ ପାଇଛନ୍ତି । ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତଙ୍କୁ ନେଇ ଟିମ ୱାର୍କ କରିବା ଏକ ବହୁତ ବଡ ଉପଲବ୍ଧି । ଜିଲ୍ଲାରେ ଅଭିବୃଦ୍ଧି ମାନସିକତା ସହିତ କାମ କରିବା ହିଁ ପ୍ରକୃତ କାର୍ଯ୍ୟ ଦକ୍ଷତା । ସମସ୍ତ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଆଜି ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ପୁରସ୍କୃତ ହେଉଛନ୍ତି ଏହା ଜାଣି ଅନେକ ଖୁସି ଲାଗୁଛି ଏବଂ ଏହାହିଁ ବିକାଶ ମାନସିକତା ଆଉ ଟିମ ୱାର୍କର ଲକ୍ଷଣ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିଜ ବକ୍ତବ୍ୟରେ କହିଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ, ଏହି ଅସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଯୋଜନା କାର୍ଯ୍ୟକାରୀ କରାଯାଇପାରୁଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲରେ ଏହି ଯୋଜନା ସହାୟକ ହେବ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସମସ୍ତ ଜନ କଲ୍ୟାଣକାରୀ ଯୋଜନା କିପରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ସେ ଦିଗରେ କାର୍ଯ୍ୟକରିବା । ପରିଶେଷରେ ଯୋଜନା ଏବଂ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଟି. ଆଓ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ ଓ ବିଡ଼ିଓମାନେ ଉପସ୍ଥିତ ଥିଲେ ।