ନୂଆଦିଲ୍ଲୀ, : ମଙ୍ଗଳବାର ଦେଶରେ ହେବ ଉପ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଉଭୟ ଶାସକ ଓ ବିରୋଧୀ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ମଙ୍ଗଳବାର ହେବାକୁଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ଏକ ପ୍ରକାରର ନିଶ୍ଚିତ । ହେଲେ ପୂର୍ବ ନିର୍ବାଚନ ଗୁଡ଼ିକ ଭଳି ଏଥର ବିଜୟ ବ୍ୟବଧାନ ଯଥେଷ୍ଟ କମ ରହିବ ବୋଲି ସ୍ପଷ୍ଟ ହୋଇଛି । ଖାସ ଏହି କାରଣ ପାଇଁ ଏନଡିଏ ପକ୍ଷରୁ ମେଣ୍ଟର ପ୍ରତିଟି ଭୋଟକୁ ଟ୍ରାକ କରାଯାଉଛି । ଗୋଟିଏ ହେଲେ ବି ଭୋଟ ମେଣ୍ଟ ହରାଇବାକୁ ଚାହୁଁନାହିଁ । ଉପ ରାଷ୍ଟ୍ରପତିଙ୍କୁ ସଂସଦର ସଦସ୍ୟମାନେ ସିକ୍ରେଟ ବାଲଟ ଦ୍ୱାରା ନିର୍ବାଚିତ କରନ୍ତି । ଏହାର ଅର୍ଥ ସାଂସଦମାନେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ । ତଥାପି ଦେଶରେ ହେଉଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଦଳ କଥାରେ ଭୋଟ ଦିଅନ୍ତି । ନିର୍ବାଚନରେ କ୍ରସ ଭୋଟିଂ ମଧ୍ୟ ହୋଇଥାଏ । ପୂର୍ବରୁ ଅନେକ ଥର ଏହା ଦେଖିବାକୁ ମିଳିଛି । ଏନଡିରେ ନ ରହି ମଧ୍ୟ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ଓ ବିଆରଏସ୍ ସାଂସଦମାନେ ବିଜେପିକୁ ସମର୍ଥନ କରିଛନ୍ତି । ୨୦୨୨ରେ ଜଗଦୀପ ଧନଖଡ଼ ଦୀର୍ଘ ୩ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ବିଜୟ ଉପରାଷ୍ଟ୍ରପତି ନିର୍ବାଚନରେ ହାସଲ କରିଥିଲେ । ଓଡ଼ିଶାର ବିଜେଡି ଓ ଆନ୍ଧ୍ରର ୱାଇଏସ୍ଆର କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା । ପ୍ରାୟ ୭୫% ସାଂସଦଙ୍କ ସମର୍ଥନ ଧନଖଡ଼ ପାଇଥିଲେ । ଅନେକ ସାଂସଦ ଦଳ ଲାଇନରୁ ବାହାରକୁ ଯାଇ କ୍ରସ ଭୋଟିଂ କରିଥିଲେ । ଏଥିର ମଧ୍ୟ କ୍ରସ ଭୋଟିଂର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ରାଜ୍ୟସଭାରେ ୨୩୯ ଓ ଲୋକସଭାରେ ୫୪୨ ଜଣ ସାଂସଦ ରହିଛନ୍ତି । ଏମାନେ ସମସ୍ତେ ମଙ୍ଗଳବାର ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇପାରିବେ । କିନ୍ତୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍ ଭୋଟ ଦାନରୁ ଦୂରେଇ ରହିବେ ବୋଲି ଘୋଷଣା କରିଛନ୍ତି । ତେଣୁ ଏବେ ଉଭୟ ସଦନରେ ସାଂସଦଙ୍କ ସଂଖ୍ୟା ୭୭୦କୁ ଖସି ଆସିଛି । ଏହାର ଅର୍ଥ ନିର୍ବାଚନ ଜିତିବାକୁ ୩୮୬ ସାଂସଦଙ୍କ ଭୋଟ ଦରକାର । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଏବେ ମୋଟ ୪୨୫ ଜଣ ସାଂସଦ ରହିଛନ୍ତି । ତେଣୁ ବିଜେପି ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଦେଶର ଉପ ରାଷ୍ଟ୍ରପତି ହେବା ନିଶ୍ଚିତ । ତଥାପି ଶାସକ ଦଳ ଜଗନଙ୍କ ୱାଇଏସ୍ଆର କଂଗ୍ରେସର ସମର୍ଥନ ହାସଲ କରିପାରେ । ରାଜ୍ୟସଭାରେ ଦଳର ୭ଜଣ ଓ ଲୋକସଭାରେ ୪ଜଣ ସଦସ୍ୟ ରହିଛନ୍ତି । ଯଦି ୱାଇଏସ୍ଆର କଂଗ୍ରେସ ପକ୍ଷରୁ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରାଯାଏ, ତା\’ହେଲେ ବିଆରଏସ୍ ଓ ବିଜେଡି ବାଦ ମଧ୍ୟ ଏନଡିଏର ସାଂସଦଙ୍କ ସଂଖ୍ୟା ୪୩୬ରେ ପହଞ୍ଚିବ । ଏହାବାଦ ବି ଏନଡିଏର ସମର୍ଥନ ବଢିପାରେ । ସ୍ୱାତୀ ମାଲିୱାଲ ହେଉଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ । କିନ୍ତୁ ଦଳ ସହ ସାଂସଦଙ୍କ ସମ୍ପର୍କ ବିଗିଡ଼ି ଯାଇଛି । ଗତବର୍ଷ ସେ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀଙ୍କ ବିରୋଧରେ ମାଡ଼ ମାରିବାର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଆପ ସହ ମାଲିୱାଲଙ୍କ ପଡ଼ୁନାହିଁ । ତେଣୁ ମଙ୍ଗଳବାର ସେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଲୋକସଭାରେ ଥିବା ୭ ସ୍ୱାଧୀନ ସାଂସଦଙ୍କ ଭୂମିକା ଉପରେ ମଧ୍ୟ ନଜର ରହିବ । ସେହିପରି ଅକାଳୀ ଦଳ ଓ ଜେଡପିଏମ (ମିଜୋରାମ)ର ମଧ୍ୟ ଜଣେ ଲେଖାଏ ସାଂସଦ ରହିଛନ୍ତି । ଯଦି ଏହି ସବୁ ଭୋଟ ରାଧାକ୍ରିଷ୍ଣନଙ୍କ ସପକ୍ଷରେ ଯାଏ, ତା\’ହେଲେ ବିଜେପି ପ୍ରାର୍ଥୀଙ୍କ ଭୋଟ ୪୫୮ରେ ପହଞ୍ଚିଯିବ । ତଥାପି ଏହା ୩ ବର୍ଷ ତଳେ ଧନଖଡ଼ ହାସଲ କରିଥିବା ୫୨୮ଟି ଭୋଟରୁ କମ । ସେହିପରି ସିପି ରାଧାକ୍ରିଷ୍ଣନଙ୍କୁ କାଉଣ୍ଟର କରିବା ଲାଗି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଇଣ୍ଡିଆ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ଚୟନ କରିଛି । ତେବେ ଉଭୟ ଗୃହରେ ବିରୋଧୀ ମେଣ୍ଟର ମୋଟ ସାଂସଦଙ୍କ ସଂଖ୍ୟା ୩୨୪ । ତେଣୁ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ । କାରଣ ୨୦୨୨ ଅପେକ୍ଷା ଏଥର ବିରୋଧୀଙ୍କ ପାଖରେ ଅଧିକ ସାଂସଦ ରହିଛନ୍ତି । ହେଲେ ଏହା ବିଜୟ ପାଇଁ ଯଥେଷ୍ଟ ନୁହେଁ । ଯଦି ସମସ୍ତ ବିରୋଧୀ ସାଂସଦ ମଙ୍ଗଳବାର ଜଷ୍ଟିସ ରେଡ୍ଡୀଙ୍କ ସପକ୍ଷରେ ଭୋଟ କରିବେ, ତଥାପି ସେ ୧୦୦ ଓ ୧୩୫ ଭୋଟ ପଛରେ ରହିବେ । ବିଆରଏସ, ବିଜେଡି, ସ୍ୱାତୀ ମାଲିୱାଲ, ସମସ୍ତ ସ୍ୱାଧୀନ ସାଂସଦ, ଅକାଳୀ ଦଳ ଓ ଜେଡପିଏମ (ମିଜୋରାମ)ର ସାଂସଦମାନେ ଯଦି ବି ଜଷ୍ଟିସ ରେଡ୍ଡୀଙ୍କୁ ସମର୍ଥନ କରିବେ, ତଥାପି ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିବେ ନାହିଁ । ଏସବୁ ସତ୍ତ୍ୱେ ଇଣ୍ଡିଆ ବ୍ଲକ ନିର୍ବାଚନ ଜିତିବା ଠାରୁ ୭୦ ଖଣ୍ଡ ଭୋଟ ପଛରେ ରହିବ ।