ପୁରୀ, ୨୯ା୬ : ନବଦିନ ଯାତ୍ରାରେ ବାହାରିଥିବା ରଥାରୁଢ଼ ଦାରୁ ବିଗ୍ରହମାନେ ରବିବାର ଗୋଟିପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ଦାରୁ ବିଗ୍ରହମାନଙ୍କ ଧାଡ଼ି ପହଣ୍ଡି ଦେଖିବାକୁ ଶରଧାବାଲି ଅଞ୍ଚଳ ହୋଇଥିଲା ଲୋକାରଣ୍ୟ । ସୋମବାର ଠାରୁ ଆଡ଼ପ ମଣ୍ଡପରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି । ଉପଲବ୍ଧ ହେବ ଆଡ଼ପ ଅଭଡ଼ା । ଶନିବାର ରାତିରେ ରଥାରୁଢ଼ ଶ୍ରୀଜିଉମାନଙ୍କର ନୀତିକାନ୍ତି ପରେ ରାତି ୧୨ଟା ୧୫ ସୁଦ୍ଧା ହୋଇଥିଲା ରାତ୍ର ପହୁଡ଼ । ରବିବାର ସକାଳୁ ୬ଟା୨୫ ମଧ୍ୟରେ ରଥାରୁଢ଼ ଶ୍ରୀଜିଉମାନଙ୍କର ମଙ୍ଗଳ ଆଳତି ହୋଇଥିଲା । ପରେ ପରେ ତଡପଲାଗି, ମାଇଲମ, ଅବକାଶ, ବେଶ ଓ ଗୋପାଳବଲ୍ଲଭ ଆଦି ନୀତି କରାଯାଇଥିଲା । ସକାଳ ସାଢେ ୧୦ଟା ସୁଦ୍ଧା ହୋଇଥିଲା ଗୋପାଳବଲ୍ଲଭ । ସାଢ଼େ ୧୧ଟା ସୁଦ୍ଧା ଯାତ୍ରାଙ୍ଗୀ ମହାସ୍ନାନ ଓ ମଧ୍ୟାହ୍ନ ଧୂପ ୧୨ଟା ୫୦ ସୁଦ୍ଧା କରାଯାଇଥିଲା । ପରେ ପରେ ତିନି ରଥରୁ ଘୋଡା ଫିଟିଯାଇ ଚାରମାଳ ବନ୍ଧା ଶେଷ ହୋଇଥିଲା । ପୁଷ୍ପାଞ୍ଜଳି ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ପ୍ରସ୍ତୁତି । ରାମକୃଷ୍ଣ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ । ଏହାପରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ବିଜେ ହୋଇ ଆଡ଼ପ ମଣ୍ଡପରେ ବିଜେକରିଥିଲେ । ଏହାପରେ ଟାହିଆର ଦୋଳନମଧ୍ୟରେ ପ୍ରଭୁ ବଳଭଦ୍ର ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ । ପହଣ୍ଡି ସମୟରେ ଶ୍ରାଦ୍ଧକୁମାନଙ୍କ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ ଘଣ୍ଟା କାହାଳୀର ନିନାଦ ସାଙ୍ଗକୁ ବାନଟି, ଗୋଟି ପୁଅ ଓ ଓଡିଶୀନୃତ୍ୟ ସୃଷ୍ଟି କରିଥିଲା ଭାବ ଉଦ୍ଦୀପକ ପରିବେଶ । ବାହୁଡ଼ା ପହଣ୍ଡି ଦେଖିବାକୁ ଶରଧାବାଲି ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଥିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀଗୁଣ୍ଡି· ମନ୍ଦିର ନିକଟ ବର୍ତ୍ତି ଅଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁ ଆଡ଼ପ ପହଣ୍ଡି ଦର୍ଶନ କରିଥିଲେ । ପୂର୍ବରୁ ରଥାରୁଢ଼ ଶ୍ରୀ ଜିଉମାନଙ୍କୁ ଦର୍ଶନ କରିବା ପାଇଁ ଦିନ ତମାମ ଦର୍ଶନାର୍ଥିଙ୍କ ଭିଡ଼ ଲାଗିରହିଥିଲା । ଚଳିତବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନ ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରରେ ଦୁଇଦିନ ରଥ ଟଣାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଶୃଙ୍ଖଳିତ ନୀତି ପରି·ଳନାର ତଦାରଖ କରୁଥିବା ଦେଖାଯାଇଥିଲା । ସେହିପରି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ଚଞ୍ଚଳା ରଣା ଓ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଏସପି ପିନକ ମିଶ୍ର ପ୍ରମୁଖ ମହାପ୍ରଭୁଙ୍କ ନୀତି କାନ୍ତି ତ୍ୱରାନିତ ପାଇଁ ତତ୍ପର ହୋଇ ଲାଗି ପଡ଼ିଥିବା ଦେଖାଯାଇଥିଲା । ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଓ ଯୋଗାଯୋଗ ପାଇଁ ପୃଥକ ବ୍ୟବସ୍ଥା ହୋଇଥିଲା । ଜନସମାଗମକୁ ଦୃଷ୍ଟିରେ ରଖି ଗତକାଲି ଭଳି ଯାନବାହାନ ଚଳାଚଳ ଏବଂ ପାର୍କିଂ ପାଇଁ ଟ୍ରାଫିକ ସ୍ୱତନ୍ତ୍ର କଟକଣା କରାଯାଇଥିଲା । ଆଣ୍ଟି ଡ୍ରୋନ୍, ଆଣ୍ଟି ସାବୋଡେଜ ଓ ଡଗସ୍କାଡ ସମେତ ୨୦୫ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ । ସେମାନଙ୍କ ସହିତ ବିଏସଏଫ୍ ଓ ସିଆରପିଏଫ୍, ଆରପିଏଫ ଭଳି ୮ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା । ସମୁଦ୍ରକୂଳ ସୁରକ୍ଷା ପାଇଁ ମେରାଇନ, କୋଷ୍ଟ ଗାର୍ଡ ଓ ନୌସେନା ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା । ଏଆଇ ସର୍ଭେ ସାଙ୍ଗକୁ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯାଇଥିଲା । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ସମୁଦ୍ରକୂଳ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ସାଧା ପୋଷକଧାରୀ ପୋଲିସଙ୍କୁ ମୁତୟନ କରଯାଇଥିଲା । ସମୁଦ୍ର ବେଳାଭୂମୀ ଅଞ୍ଚଳରେ ନିୟୋଜିତ ହୋଇଥିଲେ ଲାଇଫ୍ ଗାର୍ଡ । ଭିଡ଼ ନିୟନ୍ତ୍ରଣ ଓ ଦର୍ଶନାର୍ଥିଙ୍କ ସୁରକ୍ଷା ପାଇଁ ଫୋର୍ସମାନଙ୍କ ସହିତ ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ।୨୧ଜଣ ଏସପି ପାହ୍ୟା ଅଧିକାରୀ, ୪୧ ଜଣ ଅତିରିକ୍ତ ଏସପି ପାହ୍ୟା ଅଧିକାରୀ, ୯୬ଜଣ ଡିଏସପି ପାହ୍ୟା ଅଧିକାରୀ ଏବଂ ୧୭୧ଜଣ ଇନ୍ସପେକ୍ଟର ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ପୋଲିସ ମହାନିର୍ଦ୍ଦେଶକ ୱାବି ଖୁରାନିଆ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଉପସ୍ଥିତ ରହି ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।