ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ କାରବାର ନିଷେଧ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ : ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଇପ୍ସିତା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ କାରବାର ନିଷେଧ ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରାଧୀନ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବୀ ଚିନ୍ତାମଣୀ ପାତ୍ର, ଆଇନଜୀବୀ ଅଶ୍ୱିନୀ ପଣ୍ଡା, ସଂଯୁକ୍ତା ପଣ୍ଡା ଓ ରଟେନର କମଳିନୀ ରଥ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିଲେ  ନିଶାଦ୍ରବ୍ୟ ସେବନ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ପାଇଁ ଅହିତକର ଅଟେ। ମଦ ଓ ମାଦକ ଦ୍ରବ୍ୟ ଯଥା: ଜର୍ଦ୍ଦା, ଗୁଟଖା, ଖଇନି, ଅଫିମ, ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶାର ଭୟଙ୍କର ଓ କରାଳ ରୂପ ମନୁଷ୍ୟର ଅମୂଲ୍ୟ ଜୀବନକୁ ଏବଂ ତାଙ୍କ ପରିବାରକୁ ଛାରଖାର କରିବା ସହ ରାଷ୍ଟ୍ରର ଅତୁଳନୀୟ କ୍ଷତି ଘଟାଇଥାଏ। ଏଣୁ ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଆପଣେଇ ନିଶା ଦ୍ରବ୍ୟ ବ୍ୟବହାର ବର୍ଜନ କରି ଗଠନ ମୂଳକ ନିଶା ଓ ପେଶାରେ ବ୍ରତୀ ହୋଇ ସମାଜରେ ମଣିଷ ପରି ମଣିଷ ହୋଇ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ସୁସ୍ଥ, ନିରାମୟ, ରୋଗମୁକ୍ତ ଏବଂ ପ୍ରଗତିଶୀଳ ସମାଜ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ସଭା କୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ଏବଂ ଶ୍ରୀମତୀ କମଳିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Comments (0)
Add Comment