ଇଂଲଣ୍ଡରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍

Indian women's cricket team creates history in England

ଚେଷ୍ଟର-ଲି-ଷ୍ଟ୍ରୀଟ୍, ୨୩ା୭ : ଇଂଲଣ୍ଡ ମାଟିରେ ଭାରତୀୟ ମହିଳା ଦଳ ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ ଜିତି ଇତିହାସ ରଚିଛି । ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୩୧୮ ରନ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୪୯.୫ ଓଭରରେ ୩୦୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ହର୍ମନପ୍ରୀତ କୌର ଶେଷ ମ୍ୟାଚରେ ସବୁ ସମାଲୋଚକଙ୍କୁ ଚୁପ୍ କରି ଦେଇଛନ୍ତି । ସେ ଦିନିକିଆ କ୍ରିକେଟରେ ସପ୍ତମ ଶତକ ଅର୍ଜନ କରିବା ସହ ତୃତୀୟ ଭାରତୀୟ ବ୍ୟାଟର ଭାବେ ୪୦୦୦ ରନ ପୂରଣ କରିଥିଲେ । ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ପ୍ରତିକା ରାୱଲ୍ ଓ ସ୍ମୃତି ମନ୍ଧନା ୧୨ ଓଭରରେ ୬୪ ରନ ସଂଗ୍ରହ କରିଥିଲେ । ୧୩ତମ ଓଭରରେ ପ୍ରତିକାଙ୍କୁ (୨୬) ଆଉଟ୍ କରିଥିଲେ ଚାର୍ଲି ଡିନ୍ । ପରେ ପରେ ମନ୍ଧନା ୪୫ ରନ କରି ଶୋଫି ଏକ୍ଲେଷ୍ଟୋନଙ୍କ ବଲରେ ଆଉଟ୍ ହୋଇଥିଲେ । ଭାରତ ୮୧ ରନରେ ଉଭୟ ଓପନରଙ୍କୁ ହରାଇଥିଲା । ଏହାପରେ ହର୍ଲିନ ଦେଓଲ ଓ ହର୍ମନପ୍ରୀତ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଉଭୟ ତୃତୀୟ ୱିକେଟରେ ୮୧ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୬୨ ବେଳେ ହର୍ଲିନ ବ୍ୟକ୍ତିଗତ ୪୫ ରନ କରି ପାଭିଲିୟନ ଫେରିଥିଲେ । ହର୍ମନପ୍ରୀତଙ୍କୁ ଅଟକାଇବା ଇଂଲଣ୍ଡ ବୋଲରଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ତାଙ୍କ ସହ ଜେମିମା ରୋଡ୍ରିଗ୍ସ ଯୋଗ ଦେଇ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୧୧୦ ରନର ଭାଗିଦାରୀ ଗଠନ ହୋଇଥିଲା । ଦଳୀୟ ସ୍କୋର ୨୭୨ରେ ପହଞ୍ଚିଥିଲା । ହର୍ମନପ୍ରୀତ ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ମାଟିରେ ତୃତୀୟ ଦିନିକିଆ ଶତକ ଅର୍ଜନ କରିଥିଲେ । ରୋଡ୍ରିଗ୍ସ ୭ ଚୌକା ବଳରେ ୫୦ ରନ କରି ପାଭିଲିୟନ ଫେରିଥିଲେ । ହର୍ମନପ୍ରୀତ ୧୪ଚୌକା ବଳରେ ୮୪ ବଲରୁ ୧୦୨ ରନ କରି ପାଭିଲିୟନ ଫେରିବା ପୂର୍ବରୁ ଦଳୀୟ ସ୍କୋରକୁ ୩୦୪ରେ ପହଞ୍ଚାଇ ସାରିଥିଲେ । ଅନ୍ତିମ ଭାଗରେ ରିଚା ଘୋଷ ୧୮ଟି ବଲରୁ ଅପରାଜିତ ୩୮(୩ଚୌକା, ୨ଛକା) ରନ କରି ଦଳୀୟ ସ୍କୋରକୁ ୩୧୮ରେ ପହଞ୍ଚାଇଥିଲେ । ୩୧୯ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ୮ରନ ମଧ୍ୟରେ ଉଭୟ ଓପନରଙ୍କୁ ହରାଇଥିଲା । ଆମି ଜୋନ୍ସ ୪ ଓ ତାମି ବ୍ୟୁମୋଣ୍ଟ ୨ରନ କରି କ୍ରାନ୍ତି ଗୌଡ଼ଙ୍କ ବଲରେ ଆଉଟ୍ ହୋଇଥିଲେ । ଏହାପରେ ଏମା ଲାମ୍ବ ଓ ନାତାଲି ସ୍କିଭର-ବ୍ରଣ୍ଟ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ ଓ ତୃତୀୟ ୱିକେଟରେ ୧୬୨ ରନ ଯୋଗ କରି ବିଜୟ ଆଶା ଉଜ୍ଜ୍ୱଳ କରିଥିଲେ । ଦଳୀୟ ସ୍କୋର ୧୭୦ ବେଳେ ଲାମ୍ବ ବ୍ୟକ୍ତିଗତ ୬୮ ରନ କରି ଆଉଟ୍ ହୋଇଥିଲେ । ସ୍କିଭର-ବ୍ରଣ୍ଟ ଶତକଠୁ ମାତ୍ର ୨ ରନ ପଛରେ ଥିବାବେଳେ ଦୀପ୍ତି ଶର୍ମାଙ୍କ ବଲରେ ୱିକେଟ କିପର ରିଚା ଘୋଷଙ୍କ ହାତକୁ କ୍ୟାଚ ଟେକି ଦେଇଥିଲେ । ଶୋଫିଆ ଡଙ୍କଲି ଓ ଆଲିସ ଡାଭିସନ ରିଚାର୍ଡ୍ସ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହାତେଇବାରେ ସଫଳ ହୋଇଥିଲା । ଏହି ସିରିଜ ଜରିଆରେ ପଦାର୍ପଣ କରିଥିବା କ୍ରାନ୍ତି ଅନ୍ତିମ ଭାଗରେ ଘାତକ ବୋଲିଂ କରିଥିଲେ । ଇଂଲଣ୍ଡ ମଧ୍ୟ ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରିଥିଲେ ହେଁ ଶେଷରେ ୩୦୫ ରନ କରି ଅଲ ଆଉଟ୍ ହୋଇଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚାର୍ଲି ଡିନ୍ ୨୧ ଓ ଲିନସେ ସ୍ମିଥ୍ ଅପରାଜିତ ୧୪ ରନ କରିଥିଲେ । ଭାରତ ପକ୍ଷରୁ କ୍ରାନ୍ତି ୬ଟି ୱିକେଟ୍ ଅକ୍ତିଆର କରିଥିଲେ ।

Comments (0)
Add Comment