ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି ୨୦୧୨ରେ ମୁକ୍ତିପ୍ରାପ୍ତ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ ଷ୍ଟାରର୍ ଫିଲ୍ମ \”ଏକ୍ ଥା ଟାଇଗର\’ । କବୀର ଖାନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟରରେ ମୁକ୍ତିଲାଭ କରିବାର ୧୩ ବର୍ଷ ପରେ ଆମେରିକାର ୱାଶିଂଟନ୍, ଡିସିରେ ଇଣ୍ଟରନ୍ୟାସନାଲ ସ୍ପାଇ ମ୍ୟୁଜିୟମ୍ (ଅନ୍ତର୍ଜାତୀୟ ଗୁଇନ୍ଦା ସଂଗ୍ରହାଳୟ)ରେ ସ୍ଥାନୀତ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଛି । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମ ଜେମ୍ସ ବଣ୍ଡ୍, ମିଶନ୍ ଇମ୍ପସିବଲ୍ ଓ ମେନ୍ ଇନ୍ ବ୍ଲାକ୍ ଭଳି ହଲିଉଡ୍ ଫିଲ୍ମ ସହିତ ମ୍ୟୁଜିୟମରେ ସ୍ଥାନ ପାଇଛି । ଇଣ୍ଟରନ୍ୟାସନାଲ ସ୍ପାଇ ମ୍ୟୁଜିୟମରେ ଏକ ବିଭାଗ ଅଛି, ଯାହା ପ୍ରସିଦ୍ଧ ସ୍ପାଇ ଫିଲ୍ମ ଓ ସିରିଜ୍ ପାଇଁ ସମର୍ପିତ । ଏଥିରେ ପ୍ରାୟ ୨୫ ଅନ୍ତର୍ଜାତୀୟ ଫିଲ୍ମ ଓ ସିରିଜର ପୋଷ୍ଟର୍ ପ୍ରଦର୍ଶିତ ହୋଇଛି । ତନମଧ୍ୟରେ ସଦ୍ୟ ସ୍ଥାନ ପାଇଛି \”ଏକ୍ ଥା ଟାଇଗର\’ । ଏହି ବିଭାଗରେ ପୂର୍ବରୁ କସିନୋ ରୟେଲ, ମିଶନ୍ ଇମ୍ପସିବଲ୍, ସ୍ପାଇ ଗେମ୍ସ, ଟିଙ୍କର୍ ଟେଲର୍ ସୋଲଜର ସ୍ପାଇ, ସେଭେନ୍ଟିନ୍ ମୋମେଣ୍ଟ୍ସ ଅଫ୍ ସ୍ପ୍ରିଙ୍ଗ୍, ଓଏସ୍ଏସ୍ ୧୧୭, ଜି ମେନ୍, ଦ ଇମିଟେସନ୍ ଗେମ୍, ମିଷ୍ଟର୍ ଆଣ୍ଡ ମିସେସ୍ ସ୍ମିଥ୍, ବ୍ରିଜ୍ ଅଫ୍ ସ୍ପାଇସ୍, ହୋମ୍ଲାଣ୍ଡ୍, ଆଲିଆସ୍, ଫୌଦା, ଦ ପ୍ରିଜନର୍, ଗେଟ୍ ସ୍ମାର୍ଟ, ମେନ୍ ଇନ୍ ବ୍ଲାକ୍, ଦ ସିଜ୍, ଟର୍ନ: ୱାଶିଂଟନ୍ସ ସ୍ପାଇସ୍, ଦ ମ୍ୟାନ୍ ଫ୍ରମ୍ୟୁ .ଏନ୍.ସି.ଏଲ୍.ଇ. ଭଳି ଫିଲ୍ମ ସ୍ଥାନ ପାଇଛନ୍ତି । ଏହି ସମ୍ମାନ ବିଷୟରେ \”ଏକ୍ ଥା ଟାଇଗର\’ ନିର୍ଦ୍ଦେଶକ କବୀର ଖାନ୍ କହିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏହି ପୋଷ୍ଟର୍ ବିଭାଗରେ ସଲମାନ ଓ କ୍ୟାଟ୍ରିନାଙ୍କ ମୁହଁ ଦେଖି ଖୁବ୍ ଆନନ୍ଦିତ ଅନୁଭବ କରୁଛି । ସେ ଆହୁରି କହିଛନ୍ତି, ଫିଲ୍ମକୁ ପ୍ରଶଂସା କରି ଲୋକେ ଏବେ ବି ଅସଂଖ୍ୟ ମେସେଜ୍ କରୁଛନ୍ତି ।