ଶ୍ରୀହରିକୋଟା, ୩୦ା୭ : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ “ନିସାର’ ଲଞ୍ଚ କରିଛି । ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ସନ୍ଧ୍ୟା ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି । ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି । ଏହାକୁ ସୂର୍ଯ୍ୟ ସମକାଳୀନ ଧ୍ରୁବୀୟ କକ୍ଷରେ ସ୍ଥାପନ କରାଯିବ, ଯେଉଁଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ । ଏହି ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର, ଅର୍ଥାତ ପ୍ରାୟ ୧୩,୧୨୦ କୋଟି ଟଙ୍କା । ‘ନିସାର’ ମିଶନ ହେଉଛି ଇସ୍ରୋ ଓ ନାସାର ଏକ ମିଳିତ ପ୍ରୟାସ, ଯାହାକୁ ଉଭୟ ସଂସ୍ଥା ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ସଫଳ କରିଛନ୍ତି । ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ ଜିଏସ୍ଏଲ୍ଭି-ଏଫ୍୧୬ ମାଧ୍ୟମରେ ଲଞ୍ଚ କରିଛି । ଏହା ଏକ ଏକ୍ସପେଣ୍ଡେବଲ ନନ-ରିୟୁଜେବଲ ତିନି-ପର୍ଯ୍ୟାୟ ଲଞ୍ଚ ଭେଇକିଲ । ପୂର୍ବରୁ ଇସ୍ରୋ ରିସୋର୍ସ ସାଟ୍ ଓ ରିସାଟ୍ ଭଳି ପୃଥିବୀ ନିରୀକ୍ଷଣ ସାଟେଲାଇଟ ଲଞ୍ଚ କରିଥିଲା, କିନ୍ତୁ ସେଗୁଡ଼ିକ କେବଳ ଭାରତୀୟ ଅଞ୍ଚଳ ପର୍ଯ୍ୟନ୍ତ ସୀମିତ ଥିଲା । ତେବେ ‘ନିସାର’ ହେଉଛି ନାସା ଓ ଇସ୍ରୋର ସିନ୍ଥେଟିକ ଆପାର୍ଚର ରାଡାର ସାଟେଲାଇଟ, ଯାହା ଅନ୍ତରୀକ୍ଷରୁ ପୃଥିବୀକୁ ମ୍ୟାପିଂ କରିବାରେ ପ୍ରଥମ ରାଡାର ସାଟେଲାଇଟ । ଏହା ବିଭିନ୍ନ ପରିବେଶଗତ ଏବଂ ଭୂ-ବୈଜ୍ଞାନିକ ପରିବର୍ତ୍ତନର ନିରୀକ୍ଷଣ କରିବ । ପ୍ରାରମ୍ଭରେ ଏହାକୁ ଲୋ ଆର୍ଥ ଅର୍ବିଟରେ ରଖାଯାଇଛି, ଯେଉଁଠାରେ ଏହା ଲଗାତାର ତିନି ବର୍ଷ ଧରି ନିରୀକ୍ଷଣ କରିବ । ଏହି ସାଟେଲାଇଟ ପୃଥିବୀ ଭିତର ପର୍ଯ୍ୟନ୍ତ ମ୍ୟାପ ତିଆରି କରିପାରିବ, ବରଫାଚ୍ଛାଦିତ ପର୍ବତ ଓ ଜଙ୍ଗଲ ବିଷୟରେ ସୂଚନା ଦେଇପାରିବ । ଏହା ବରଫ ଢ଼ାଙ୍କିଥିବା ପାହାଡ଼ର ସଠିକ ଅଧ୍ୟୟନ, ଭୂମି ଧସିବା, ଜ୍ୱାଳାମୁଖୀ ଓ ଭୂମିକମ୍ପ ମାମଲାରେ ସହାୟକ ହେବ । ଏହା ସହ ନିସାର କୃଷି, ମାଟିର ଆର୍ଦ୍ରତା ଏବଂ ଅବସଂରଚନା ଉପରେ ମଧ୍ୟ ନଜର ରଖିବ । ‘ନିସାର’ ସାଟେଲାଇଟର ଓଜନ ୨.୫ ଟନ ଏବଂ ଏହାକୁ ପୃଥିବୀଠାରୁ ୭୪୮ କିଲୋମିଟର ଉଚ୍ଚତାରେ ପ୍ରକ୍ଷେପଣ କରାଯାଇଛି । ଲୋ ଆର୍ଥ ଅର୍ବିଟରୁ ଏହା ପୃଥିବୀର ଏକ ଚକ୍କର ୧୨ ଦିନରେ ସମ୍ପୂର୍ଣ୍ଣ କରିବ । ଥରକେ ୨୪୦ କିଲୋମିଟର ଅଞ୍ଚଳକୁ କଭର କରିବ ଏବଂ ଲଗାତାର ତିନି ବର୍ଷ ଧରି କାର୍ଯ୍ୟ କରିବ । ଇସ୍ରୋ ବୈଜ୍ଞାନିକଙ୍କ ମତରେ, ଏହି ସାଟେଲାଇଟ ପ୍ରତିଦିନ ୮୦ ଟେରାବାଇଟ ଡାଟା ଉପଲବ୍ଧ କରାଇବ । ‘ନିସାର’ରେ ବ୍ୟବହୃତ ସିନ୍ଥେଟିକ ଆପାର୍ଚର ରାଡାର ପ୍ରଯୁକ୍ତି ମେଘ ପାର କରି ମଧ୍ୟ ନିରୀକ୍ଷଣ କରିପାରିବ । ଏହା ଉଚ୍ଚ ରିଜୋଲ୍ୟୁସନର ଚିତ୍ର ନେବାରେ ସକ୍ଷମ ଏବଂ ଏହାକୁ ଆଲୋକର ଆବଶ୍ୟକତା ନାହିଁ । ଅନ୍ଧାରରେ ମଧ୍ୟ ଏହା ଡାଟା ସଂଗ୍ରହ କରିପାରିବ । ଅର୍ଥାତ ଏହା ଏପରି ଏକ ସାଟେଲାଇଟ ଯାହା ପୃଥିବୀ ଉପରେ ୨୪ ଘଣ୍ଟା ନଜର ରଖିପାରିବ ।