ଭୁବନେଶ୍ୱର, : ବିଜେପି ସରକାର ୨୦୩୬ ମସିହା ଦେଖିବ, ୨୦୪୭ ମସିହା ବି ଦେଖିବ । ଲମ୍ବା ଇନିଙ୍ଗସ୍ ଖେଳିବ ବିଜେପି ସରକାର । ବିଜେପିରେ ଜଣେ ଚା’ ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୁଆଇ ଦେବାନି । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଲେ ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ । ଏବେ ଦାୟିତ୍ୱ ଛିଣ୍ଡି ନାହିଁ । ଦାୟିତ୍ୱ ବଢ଼ିଗଲା । ସବୁ ଗାଁକୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା ବୋଲି କହିଛନ୍ତି ମନମୋହନ । ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ମନମୋହନ ତାଙ୍କର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି, ଏ ଦାୟିତ୍ୱ ମନମୋହନ ସାମଲଙ୍କର ନୁହେଁ, ଏହା ସବୁ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ । ସରକାର ଗଢିଥିବା ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ । କାର୍ଯ୍ୟକର୍ତ୍ତା ପରିଶ୍ରମ କରିନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ ପହଞ୍ଚି ପାରିନଥାନ୍ତା । ପୂର୍ବରୁ ବିଜେପିକୁ ଗୋଟିଏ ଦଳ ନା ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା । ନିଶ ଦାଢ଼ି ଉଠି ନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା । ଏବେ ସମୟ ବଦଳିଛି । ଯେଉଁମାନେ ଆମ ବିରୋଧରେ କହିଛନ୍ତି, ସେମାନେ କ୍ଷମତା ଛାଡ଼ି ବର୍ଷେ ରହିପାରୁ ନାହାଁନ୍ତି । ବିଜେପି ନୂଆ ସଭାପତି କହିଛନ୍ତି, ୨୦୩୬ରେ ସମୃଦ୍ଧ ଓଡ଼ିଶା ହେବ । ୨୦୪୭ରେ ବିକଶିତ ଭାରତ ହେବ । ଓଡ଼ିଶାର ସବୁଠୁ ଅଧିକ ଅବଦାନ ରହିବ । ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲା ଏବେ କରୁଛି । ବିଜେପି ସରକାର ହେବା ଯୋଗୁଁ ଧାନ ୩୧୦୦ ଟଙ୍କା, ସୁଭଦ୍ରା ଯୋଜନା, ୭୮ ହଜାର କିମି ରାସ୍ତା, ଆୟୁଷ୍ମାନ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି । ସରକାର ଆସିବା ପରେ ଦାୟିତ୍ୱ ବଢିଛି । ସରକାର ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ୱ ବଢିଛି । ସ୍ୱାଧୀନତାର ୭୮ ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି । ସବୁ ସମାଧାନ କରିବାକୁ ହେବ । ଲୋକଙ୍କ ପାଇଁ କାମ କରିବା । ବିଜେପି ସରକାର ୨୦୩୬ ମସିହା ଦେଖିବ, ୨୦୪୭ ମସିହା ବି ଦେଖିବ । ଲମ୍ବା ଇନିଙ୍ଗସ୍ ଖେଳିବ ବିଜେପି ସରକାର । ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ନାହିଁ । ସମସ୍ତେ ମିଳିମିଶି ଏକ ହୋଇ କାମ କରିବା ।
ଅସମ୍ଭବ ବୋଲି କିଛି ଡିକ୍ସିନାରିରେ ନାହିଁ । ପରିଶ୍ରମ କଲେ ସବୁ ସମ୍ଭବ ।