ଗଞ୍ଜାମ ପୋଲିସ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହେବାକୁ ବିରୋଧ କରି ଆଜି ଗଞ୍ଜାମ ଏସପି ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ବିଜେଡ଼ିର ଏକ ପ୍ରତିନିଧି ଦଳ । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ଜିଲ୍ଲାର ଦୁଇ ପୂର୍ବତନ ସାଂସଦ ଓ ବହୁ ବିଧାୟକ ମାନେ ଏହି ଟିମରେ ରହିଛନ୍ତି । ପ୍ରଥମେ ବିଜେଡ଼ି ଟିମ୍ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ନୀରିହ ଲୋକଙ୍କୁ ଗିରଫ କରୁଛି । ଅନେକ ଥାନା ଅଧିକାରୀ ମାନେ ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି । ଏଭଳି ଅଭିଯୋଗକୁ ନେଇ ଗଞ୍ଜାମ ଏସପିଙ୍କୁ ବିଜେଡ଼ିର ଟିମ୍ ସାକ୍ଷାତ କରି ଆଲୋଚନା କରିଥିଲା । ଖୁବଶୀଘ୍ର ଲୋକଙ୍କ ଅଭିଯୋଗକୁ ଶୁଣି ତାହାର ସମାଧାନ କରିବା ନିମନ୍ତେ ଏସପିଙ୍କ ନିକଟରେ ଦାବି କରିଛନ୍ତି ବିଜେଡ଼ି ଟିମ୍ । ଏହାପରେ ବିଜେଡ଼ି ଟିମ୍ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ନୂଆ ସରକାର ଆସିବା ପରେ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ରମ ଠପ୍ ହୋଇପଡ଼ିଛି । ପୂର୍ବତନ ବିଧାୟକ ମାନଙ୍କର ହାତପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଆସିଥିବା ଟଙ୍କାକୁ ଖର୍ଚ୍ଚ କରାଯାଉନାହିଁ । ବର୍ତ୍ତମାନର ସରପଞ୍ଚ, ସମିତିସଭ୍ୟ ମାନଙ୍କୁ ଗାଁର ଉନ୍ନତି ନିମନ୍ତେ କାମ କରାଇ ଦିଆଯାଉନାହିଁ । ତେଣୁ ଜିଲ୍ଲାର ବିକାଶ କିଭଳି ହେବ ସେ ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ବିଜେଡ଼ି ଟିମ୍ ।