ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ୬ ଗିରଫ

OTET question paper leak incident: 6 arrested

କଟକ, ୩୦ା୭ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ । ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜିତେନ ମହାରଣା । ସେ ଡାଟା ଏଣ୍ଟ୍ରି ଅପରେଟର ଭାବେ ବୋର୍ଡ ଅଫିସରେ କାର୍ଯ୍ୟ କରୁଛନ୍ତି । ତାଙ୍କରି ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନପତ୍ର ଲିକ୍ ପଛରେ ୨ ଲକ୍ଷ ୫୦ ହଜାର ଟଙ୍କାର କାରବାର ହୋଇଛି । କ୍ରାଇମବ୍ରାଞ୍ଚ ଏଡିଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ କାଚପଡା ଗ୍ରାମର ଜିତେନ ମହାରଣା, ରାୟଗଡା ଜିଲ୍ଲା କୁନ୍ଦୁରା ଥାନା ଅଧୀନ କୋମାସାହିର ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ, କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲ୍ଲା ବେଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ୱର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର । କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, ପରୀକ୍ଷା ପୂର୍ବରୁ ଜୀତେନ ପ୍ରଥମେ ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନ ଡ୍ରାଇଭରେ ନେଇଥିଲା । ପରେ ସେ ଏହାକୁ ଶିକ୍ଷକ ବିଜୟ ମିଶ୍ର, ସନାତନ ବିଶୋୟୀଙ୍କୁ ଦେଇଥିଲେ । ଏହାକୁ ସେମାନେ ଦଲାଲ ରାମଜୀ ପ୍ରସାଦ ଗୁପ୍ତାଙ୍କ ମାଧ୍ୟମରେ ଅଜୟ ସାହୁ, ଜୟନ୍ତ ରାଉତଙ୍କୁ ବିକ୍ରି କରିଥିଲା । ଏଥି ପାଇଁ ଜିତେନ ବ୍ୟାଙ୍କ ଖାତାକୁ ୨ ଲକ୍ଷ ୫୦ ହଜାର ଟଙ୍କା ଆସିଥିଲା । ଘଟଣାର ଛାନଭିନ କରି କ୍ରାଇମବ୍ରାଞ୍ଚ ୬ଟି ମୋବାଇଲ ଜବତ କରିଛି । ଆଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ଆହୁରି ଶାଣିତ କରିବ । ଏହି ମାମଲାରେ ଅଧିକ ଯଦି କେହି ଜଡିତ ଥିବେ ସେମାନଙ୍କୁ ଧରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି । ଏହି ଘଟଣାରେ ତଦନ୍ତ ଜାରି ଥିବାରୁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାର ଥିଲା । ତେବେ ପରୀକ୍ଷା ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Comments (0)
Add Comment