ଭୁବନେଶ୍ୱର,୧୧ା୧୨ : ଇଲେକ୍ଟ୍ରୋନିକ୍ସ ଓ ସୂଚନା-ପ୍ରଯୁକ୍ତିବିଦ୍ୟା ଏବଂ ‘ସମଗ୍ର’ ସହଭାଗିତାରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ, ୨୦୨୩’ର ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ଲୋକସେବା ଭବନ କନଭେନସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଏ ସଂପର୍କିତ ପ୍ରତିଯୋଗିତା ପାଇଁ ‘ମହିଳା ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ସ୍ଥିର କରଯାଇଥିଲା । ଏଥିରେ ଦେଶର ୩୫ଟି ପ୍ରମୁଖ ବିଜିନେସ ସ୍କୁଲର ୩,୧୦୦ଟି ଦଳର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆଇ.ଆଇ.ଏମ୍. ବାଙ୍ଗାଲୋର, ବି.ଆଇ.ଟି.ଏସ୍. ସ୍କୁଲ ଅଫ୍ ମ୍ୟାନେଜମେ ଆଇଆଇଏମ୍. କଲିକତା, ଆଇଆଇଏମ୍ ଲକ୍ଷେ୍ନø ଏବଂ ଏକ୍ସଆଇଏମବି ଭୁବନେଶ୍ୱରର ୧୮ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ । ସମାପନ ସମାରୋହରେ ଏହି ସଫଳ ପ୍ରତିଯୋଗୀମାନେ ସେମାନଙ୍କ ଅଧ୍ୟୟନ ବିଷୟବସ୍ତୁକୁ ନେଇ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ ।ଏଥିରେ ଆଇ.ଆଇ.ଏମ୍. ବାଙ୍ଗାଲୋରକ ବିଜେତା ଭାବେ ୫ ଲକ୍ଷ ଟଙ୍କା, ଏକ୍ସଆଇଏମବି ଭୁବନେଶ୍ୱରକୁ ପ୍ରଥମ ଉପବିଜେତା ଭାବେ ୩ ଲକ୍ଷ ଟଙ୍କା ଏବଂ ଏଫ୍.ଏମ୍.ଏସ୍. ଦିଲ୍ଲୀକୁ ଦ୍ୱିତୀୟ ଉପବିଜେତା ଭାବେ ୧ ଲକ୍ଷ ଟଙ୍କା ସହିତ ବିଜେତା-ପ୍ରମାଣପତ୍ର ପ୍ରଦାନ କରଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ମହିଳା ସଶକ୍ତୀକରଣ’ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି । ରାଜ୍ୟର ମହିଳାମାନେ ସରକାରୀ ପ୍ରୋତ୍ସାହନ ଯୋଗୁ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ବାର୍ଷିକ ୫,୦୦୦ କୋଟି ଟଙ୍କାର ବ୍ୟବସାୟ ସୁନିଶ୍ଚିତ କରିଥିବାବେଳେ ପ୍ରତ୍ୟେକ ଗୋଷ୍ଠୀକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରୁଛନ୍ତି । ଓଡ଼ିଶାରେ ‘ମହିଳା ସଶକ୍ତୀକରଣ’ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଲୋକସଭାରେ ରାଜ୍ୟର ୨୧ଟି ଲୋକସଭା ଆସନରୁ ୩୩ ପ୍ରତିଶତ ମହିଳା ଏବଂ ପଂଚାୟତ ଓ ପୌରପାଳିକାରେ ୫୦ ପ୍ରତିଶତରୁ ଅଧିକ ନିର୍ବାଚିତ ମହିଳାଙ୍କ ପ୍ରତିନିଧିି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ହୋଇପାରିଛି । ରାଜ୍ୟରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ଦ୍ୱିତୀୟ ସଂସ୍କରଣ ତାହାର ଏକ ଦୃଷ୍ଟାନ୍ତ । ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସମାଧାନର ଯେଉଁ ପନ୍ଥା ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏସବୁ ଆହ୍ୱାନଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବିଚାରକ ଭାବେ ଯୋଗଦେଇ ରାଜ୍ୟର ବିକାଶରେ ମହିଳା ଓ ଯୁବବର୍ଗଙ୍କ ପ୍ରମୁଖ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ସେହିଭଳି ଉନ୍ନୟନ କମିଶନର ଅନୁ ଗର୍ଗ କହିଲେ ଯେ ରାଜ୍ୟ ତଥା ଦେଶରେ ପ୍ରଣୟନ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ମହିଳାମାନେ ସଚେତନ ହୋଇପାରିଲେ ରାଜ୍ୟର ଉନ୍ନତି ସମ୍ଭବପର । ଆଜି ସମଗ୍ର ଦେଶରେ ଯୁବକଯୁବତୀମାନେ ପରିବର୍ତନର ବାହକ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ଉଲ୍ଲେଖ କରିବା ସହ ମିଶନ ଶକ୍ତି କାଫେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ତାଙ୍କ ଅଭିଭାଷଣରେ ଦେଶର ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଶ୍ରେଷ୍ଠ ପ୍ରତିଭା ଅନ୍ୱେଷଣର ଦୃଢ଼ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ବି.ଏମ.ଜି.ଏଫର ପବ୍ଲିକ ପଲିସି ତଥା ଫାଇନାନ୍ସ ଜାତୀୟ ମୁଖ୍ୟ ଡ. ସନ୍ତୋଷ ମାଥ୍ୟୂ, କମିଶନର ତଥା ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଓକାକ୍ର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ଓକାକ୍ର ଜେନେରାଲ ମ୍ୟାନେଜର ମଧୁମିତା ରଥ ଏବଂ ଆୟୋଜକ ‘ସମଗ୍ର’ର ପ୍ରତିଷ୍ଠାତା ତଥା ସିଇଓ ଗୌରବ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ । ‘ସମଗ୍ର’ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା ।