ଓଡ଼ିଶା ୧୫୦୦ କୋଟିର ପ୍ରତିଭୂତି ନିଲାମ ହେବ : ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର, : ରାଜ୍ୟ ସରକାର ପ୍ରତିଭୂତି ନିଲାମ କରି ୧୫୦୦ କୋଟି ଟଙ୍କା ସଂଗ୍ରହ କରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶା ସରକାର ୩ ବର୍ଷିଆ ଅବଧିର ୫୦୦ କୋଟି ଟଙ୍କା ଏବଂ ୧୨ ବର୍ଷିଆ ଅବଧିର ୧୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିବେ । ଦେଶର ଯେଉଁ ୧୨ଟି ରାଜ୍ୟ ପ୍ରତିଭୂତି ନିଲାମ କରିବାକୁ ପ୍ରସ୍ତାବ ଦେଇଛନ୍ତି, ସେଥିରେ ଓଡ଼ିଶା ନାମ ରହିଛି । ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ଜମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ । ଏହି ସମସ୍ତ ରାଜ୍ୟ ମିଳିତ ଭାବେ ୨୬,୯୦୦ କୋଟି ଟଙ୍କାର ପ୍ରତିଭୂତି ଉପଲବ୍ଧ କରାଇବେ । ରିଜର୍ଭ ବ୍ୟାଙ୍କର ଇ-କୁବେର ବ୍ୟବସ୍ଥାରେ ଏହି ନିଲାମ ଚଳିତ ମାସ ୧୨ରେ ହେବ । ଉଭୟ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ଏଥିପାଇଁ ବିଡ୍ ଦାଖଲ କରିପାରିବେ । ସାଧାରଣ ନିବେଶକମାନେ ରିଟେଲ୍‌ ଡାଇରେକ୍ଟ ପୋର୍ଟାଲ୍‌ର ବିଡ୍ ଦାଖଲ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ନିବେଶକମାନେ ସର୍ବନିମ୍ନ ୧୦ ହଜାର ଟଙ୍କାର ବିଡ୍‌ ଦାଖଲ କରିପାରିବେ ଏବଂ ଏହାପରେ ସେଥିରେ ୧୦ ହଜାର ଟଙ୍କା ଲେଖାଏଁ ଯୋଡ଼ିପାରିବେ । ନିଲାମ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରତିଭୂତିର ସୁଧ ନିର୍ଦ୍ଧାରଣ କରାଯିବ । ନୂଆ ଷ୍ଟକ୍ର ସୁଧକୁ ବର୍ଷରେ ଦୁଇ ଥର ଜାନୁଆରି ୧୬ ଓ ଜୁଲାଇ ୧୬ରେ ମାଚ୍ୟୁରିଟି ହେବା ପର୍ଯ୍ୟନ୍ତ ପ୍ରଦାନ କରାଯିବ । ରିଜର୍ଭ ବ୍ୟାଙ୍କ ଜାରି କରିଥିବା କ୍ୟାଲେଣ୍ଡର ଅନୁସାରେ ଓଡ଼ିଶା ସରକାର ଜୁଲାଇସେପ୍ଟେମ୍ବର ତ୍ରେମାସିକରେ ୭୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିବାକୁ ଯୋଜନା ରଖିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଏହି ନିଲାମ ହେବ । ସାତ ଥରରେ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କା ଲେଖାଏଁ ହିସାବରେ ୭୦୦୦ କୋଟି ଟଙ୍କା ସଂଗ୍ରହ କରିବେ ।

Comments (0)
Add Comment