କବାଡିରୁ ଅବସର ନେଲେ କିମ୍ବଦନ୍ତୀ ପ୍ରଦୀପ ନରୱାଲ

Legendary Kabaddi player Pradeep Narwal retires from the sport

ନୂଆଦିଲ୍ଲୀ, ୩ା୬: ଡୁବକି କିଙ୍ଗ ଭାବେ ପରିଚିତ ଷ୍ଟାର କବାଡି ଖେଳାଳି ପ୍ରଦୀପ ନରୱାଲ ବେଶ ଭାବବିହ୍ୱଳ ଢଙ୍ଗରେ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ଏକାଧିକ ବିଶ୍ୱକପ ଓ ଏସିଆନ ଗେମ୍ସ ଖେଳିଥିବା ପ୍ରଦୀପ ପ୍ରୋ କବାଡି ଲିଗର ଅନ୍ୟତମ ଷ୍ଟାର ଖେଳାଳି । ସେ ଏକାକୀ ନିଜ ଟିମକୁ ଜିତାଇବାରେ ସକ୍ଷମ । କିନ୍ତୁ ୨୦୨୫ ପ୍ରୋ କବାଡି ଲିଗ ଅକ୍ସନରେ ପ୍ରଦୀପଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ । ଏଥିରେ ମର୍ମାହତ ହୋଇ ସେ ନିଜର ପ୍ରିୟ ଖେଳ କବାଡିରୁ ଅବସର ନେଇ ଯାଇଛନ୍ତି । ୨୮ ବର୍ଷୀୟ ପ୍ରଦୀପ ୩ଥର ପ୍ରୋ କାବଡି ଲିଗରେ ·ମ୍ପିଅନ ହେବାର ଖ୍ୟାତି ଅର୍ଜନ କରିଥିଲେ । ସେ ପିକେଏଲ ଇତିହାସର ଅନ୍ୟତମ ମହାନ ରେଡର ଭାବେ ପରିଚିତ । ତଥାପି ଏଥର ଦୁଇ ଦିନିଆ ଅକ୍ସନ ବେଳେ ତାଙ୍କୁ ସବୁ ପ୍ରାଞ୍ଚାଇଜ ଅଣଦେଖା କରିଥିଲେ । ସେ ୟୁପି ଯୋଦ୍ଧା, ପାଟନା ପାଏରଟ୍ସ ଓ ବେଙ୍ଗାଲୁରୁ ବୁଲ୍ସ ପାଇଁ ପିକେଏଲ ଖେଳିଥିଲେ । ପ୍ରଥମ ଦିନ ଅନସୋଲ୍ଡ ଯାଇଥିବା ପ୍ରଦୀପଙ୍କୁ ଦ୍ୱିତୀୟ ଦିନରେ ଯେକୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେମିତି କିଛି ବି ହୋଇ ନଥିଲା । ଶେଷରେ ପ୍ରଦୀପଙ୍କ ଭଳି ମହାନ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଇନଷ୍ଟାଗ୍ରାମ ଲାଇଭରେ ନରୱାଲ କହିଛନ୍ତି ଯେ ପ୍ରଥମ ଦିନ ବିକ୍ରି ନ ହେବା ପରେ ସେ ଆଦୌ ନିରାଶ ନଥିଲେ । କାରଣ ସେ ଭାବୁଥିଲେ ଯେ ତାଙ୍କୁ ନିଶ୍ଚିତ ଭାବେ କୌଣସି ଦଳ କିଣିବ । ହେଲେ ଦ୍ୱିତୀୟ ଦିନ ତାଙ୍କୁ କେହି ନ କିଣିବାରୁ ସେ ସ୍ତବ୍ଧ ହୋଇଯାଇଥିଲେ । ସେ କହିଛନ୍ତି, ପୂର୍ବରୁ ଯେତେବେଳେ ମୁଁ ପାଟନା ପାଇଁ ଖେଳୁଥିଲି ସେତେବେଳେ ୨୦୦ରୁ ୩୦୦ ପଏଣ୍ଟ ନେଉଥିଲି । ଏବେ ୧୧୧ କିମ୍ବା ୧୧୨ ପଏଣ୍ଟ ଯଥେଷ୍ଟ ହେଉନି । ମୁଁ ସବୁବେଳେ ମ୍ୟାଚ ପିଛା ୧୫ରୁ ୧୬ ପଏଣ୍ଟ ନେବାକୁ ·ହେଁ । ୩-୪ ପଏଣ୍ଟରେ ମୁଁ ଖୁସି ନୁହେଁ । ଡୁବକି କିଙ୍ଗ ଭାବେ ପରିଚିତ ପ୍ରଦୀପ ସ୍ୱୀକାର କରିଛନ୍ତି ଯେ ସମୟକ୍ରମେ ତାଙ୍କ ଦକ୍ଷତା ହ୍ରାସ ପାଇଛି ଓ ତାଙ୍କ ରଣନୀତିକୁ ମାତ ଦେବାକୁ ଡିଫେଣ୍ଡର୍ସ ମଧ୍ୟ ସେହି ଅନୁସାରେ କାମ କରୁଛନ୍ତି । ପିକେଏଲର ଗତ ସଂସ୍କରଣରେ ବେଙ୍ଗାଲୁରୁ ବୁଲ୍ସ ପାଇଁ ପ୍ରଦୀପ ୧୦୦ରୁ ଅଧିକ ପଏଣ୍ଟ ହାସଲ କରିଥିଲେ । ହେଲେ ଏଥର ତାଙ୍କୁ କେହି କିଣି ନଥିବାରୁ ସେ କବାଡି ଖେଳରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି, କବାଡି ମୋତେ ସବୁ କିଛି ଦେଇଛି । ଯାହା ବି ନାଁ ଓ ସଫଳତା ମିଳିଛି, ସେସବୁ କବାଡି ପାଇଁ । ତାକୁ ନେଇ ମୁଁ ବହୁତ ଖୁସି । ପ୍ରଦୀପ କବାଡି ଆଉ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ହେଁ ଏବେ କୋଚିଂ ଉପରେ ଫୋକସ କରିବେ ବୋଲି କହିଛନ୍ତି । ପିକେଏଲର ଦ୍ୱିତୀୟ ସଂସ୍କରଣ ଅର୍ଥାତ ୨୦୧୫ରେ ପ୍ରଦୀପ ବେଙ୍ଗାଲୁରୁ ବୁଲ୍ସ ପାଇଁ ଡେବ୍ୟୁ କରିଥିଲେ । ତେବେ ପାଟନା ପାଇଁ ଖେଳିବା ବେଳେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ପାଟନା କ୍ରମାଗତ ୩ଥର ପ୍ରଦୀପଙ୍କ ନେତୃତ୍ୱରେ ·ମ୍ପିୟନ ହୋଇଥିଲା । ଲିଗ ଇତିହାସରେ ପ୍ରଦୀପ ପ୍ରଥମ ଖେଳାଳି ଭାବେ ୧ ହଜାର ରେଡ ପଏଣ୍ଟ ହାସଲ କରିଥିଲେ । ସେ ନିଜର ଡୁବକି ଶୈଳୀ ଦ୍ୱାରା ସେ ପ୍ରତିପକ୍ଷର ସମସ୍ତ ଡିଫେନ୍ସକୁ ମାତ ଦେବାକୁ ସକ୍ଷମ ହେଉଥିଲେ । ପ୍ରଦୀପ ୧୯୦ଟି ପିକେଏଲ ମ୍ୟାଚରେ ୧୮୦୧ ରେଡ ପଏଣ୍ଟ ନେଇଛନ୍ତି । ଏଯାଏ ତାଙ୍କ ରେକର୍ଡକୁ କେହି ବି ଭାଙ୍ଗିବାକୁ ସକ୍ଷମ ହୋଇ ନାହନ୍ତି । ପ୍ରଦୀପଙ୍କ ଅବସର ପରେ ପ୍ରୋ କବାଡି ଲିଗରେ ଗୋଟିଏ ଯୁଗର ଅବସାନ ଘଟିଛି ।

Comments (0)
Add Comment