କିଟ୍‌ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‌ଘାଟିତ

106th Conference of Indian Economic Association inaugurated in Kiit

ଭୁବନେଶ୍ୱର,  : କିଟ୍‌ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ, ସରକାର ବଦଳିବା ସହ ପୂର୍ବ ସରକାରଙ୍କ ଯୋଜନା ସବୁକୁ ଜାରି ରଖିବା ଉଚିତ। ବର୍ତ୍ତମାନ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହେଉଥିବା ବେଳେ ନୀତି ନିର୍ଦ୍ଧାରଣରେ ବୈଷୟିକ ବିଶାରଦଙ୍କ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେ ବୈଷୟିକ- ଆଧାରିତ ବିକାଶ ସହ ତାଳ ଦେଇ ଆବଶ୍ୟକ ଢାଞ୍ଚାଗତ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ନବସର୍ଜନା ଉପରେ ବାଧା ନ ପହଞ୍ଚାଇ ନୂତନ ବୈଷୟିକ ଜ୍ଞାନସବୁକୁ ଏକୀକୃତ କରିବା ନିମନ୍ତେ ଏକ ସନ୍ତୁଳିତ ନୀତି ସପକ୍ଷରେ ମତ ଦେଇ ଗରିବ ଲୋକଙ୍କ ପାଇଁ ରୋଜଗାର ସୁନିଶ୍ଚିତ କରିବା ଉପରେ ଶ୍ରୀ ଆଲୁୱାଲିଆ ଗୁରୁତ୍ୱାରୋପ କରିଥିଲେ। ଏହା ଉପରେ ଭାରତୀୟ ଅର୍ଥନୀତି ସଂଘର ଅର୍ଥନୀତି ବିଶାରଦମାନେ ବ୍ୟାପକ ତର୍ଜମା କରିବାକୁ ଶ୍ରୀ ଆଲୁୱାଲିଆ ପରାମର୍ଶ ଦେଇଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ କିଟ୍‌ ଓ କିସ୍‌ର ଆର୍ଥିକ ପରିଚାଳନା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି ବୋଲି କହିଥିଲେ। ବିଶ୍ୱର ବହୁ ଅର୍ଥନୀତିଜ୍ଞ କିଟ୍‌ ଓ କିସ୍‌ ଆର୍ଥିକ ମଡେ଼ଲର ପ୍ରଶଂସା କରିଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ। ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀର ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ଚାଟାର୍ଜୀ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରି ତୃଣମୂଳ ସ୍ତରରେ ଭାରତୀୟ ଅର୍ଥନୀତିର ସ୍ଥିତି ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଞ୍ଚ ିସ୍ଥିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ୱ ବିଦ୍ୟାଳୟର କୁଳପତି ତଥା ଭାରତୀୟ ଅର୍ଥନୀତି ସଂଘର ସହଯୋଗୀ ସଭାପତି ତପନ କୁମାର ସାଣ୍ଡିଲ୍ୟ, ଚେନ୍ନାଇସ୍ଥିତ ଭିଇଏଲ୍‌ଏସ୍‌ ବିଶ୍ୱ ବିଦ୍ୟାଳୟର ଉପକୁଳାଧିପତି ତଥା ସଂଘର ଉପସଭାପତି ଡ. ଏ ଜ୍ୟୋଥି ମୁର୍ଗାନ, ଭାରତୀୟ ଅର୍ଥନୀତି ସଂଘର ଉପସଭାପତି ଡ. ଦେବେନ୍ଦ୍ର ଆୱସ୍ତି, ସମ୍ମିଳନୀର ମୁଖ୍ୟ ସଂଯୋଜକ ଡ. ଅନୀଲ କୁମାର ଠାକୁର ପ୍ରମୁଖ ସଂଘର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଶେଷରେ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଡିନ୍‌ ଏବଂ ଭାରତୀୟ ଅର୍ଥନୀତି ସଂଘର ସାଧାରଣ ସମ୍ପାଦକ ଡ. ରବୀନ୍ଦ୍ର ବ୍ରାହ୍ମେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବେଦଗିରି ଶନ୍‌ମୁଗା ସୁନ୍ଦରମ୍‌ଙ୍କୁ ଆର୍କିଟେକ୍‌ଟ ଅଫ୍‌ ଆଇଇଏ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ବି. ଆର. ଏ ବିହାର ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସଞ୍ଜୟ କୁମାରଙ୍କୁ ଆଇଇଏ ବେଷ୍ଟ କଣ୍ଟ୍ରୋଲର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେହିପରି ଟିଏମ୍‌ ଭାଗଲପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚର ପଙ୍କଜ କୁମାରଙ୍କୁ ଜ୍ଞାନଚାନ୍ଦ ଏକାଡେମିକ ଏକ୍‌ସେଲେନ୍‌ସୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୩ ଦିନ ଧରି ଚାଲିବାକୁ ଏହି ସମ୍ମିଳନୀରେ ସମଗ୍ର ଦେଶରୁ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଅର୍ଥନୀତିଜ୍ଞ, ନୀତି ନିର୍ଦ୍ଧାରକ, ଗବେଷକ, ଅଧ୍ୟାପକ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତ।

#bhubaneswar#dumanikhabar#latestnews#localnews#news#odisha
Comments (0)
Add Comment