କୁଳଦୀପ ଯାଦବଙ୍କ ନିର୍ବନ୍ଧ ସମ୍ପନ୍ନ, ନଭେମ୍ବରରେ ବିବାହ

ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର କୁଳଦୀପ ଯାଦବ ଲକ୍ଷ୍ନୌରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ନିର୍ବନ୍ଧ କରିଛନ୍ତି । ବଂଶିକା କାନପୁରର ବାସିନ୍ଦା ଏବଂ ତାଙ୍କ ବାପା ଏଲଆଇସିରେ କାମ କରନ୍ତି । ଏହି ନିର୍ବନ୍ଧ ଉତ୍ସବ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ରିଙ୍କୁ ସିଂହଙ୍କ ସମେତ ଅନେକ କ୍ରିକେଟର ଯୋଗ ଦେଇଥିଲେ । ସେମାନଙ୍କ ନୂତନ ଜୀବନର ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇଥିଲେ । କୁଳଦୀପ ଯାଦବ ମୂଳତ ଉତ୍ତରପ୍ରଦେଶର ଉନ୍ନାଓର ବାସିନ୍ଦା । କଠିନ ପରିଶ୍ରମ ବଳରେ କ୍ରିକେଟ ଜଗତରେ ବେଶ ନାଁ କରିଛନ୍ତି । କୁଳଦୀପ ଜଣେ ଭଲ ସ୍ପିନର । ସେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ଏବଂ ପ୍ରାୟତଃ ଖବରର ଶିରୋନାମାରେ ରୁହନ୍ତି । ତାଙ୍କର ଅନେକ ଗାଡ଼ି ଏବଂ ଏକ ସୁନ୍ଦର ଘର ମଧ୍ୟ ଅଛି । ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା କୁଳଦୀପ ଏବେ ନିଜ ପିଲା ଦିନର ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ସଂଘର୍ଷରେ ସାଥ ଦେଇଥିବା ପ୍ରେମିକା ଏବେ ତାଙ୍କର ପତ୍ନୀ ହେବାକୁ ଯାଉଛନ୍ତି । କୁଳଦୀପ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ, ପ୍ରକୃତ ପ୍ରେମ କେବି ବି ଏକା କରି ଯାଏ ନାହିଁ । କୁଳଦୀପ ଯାଦବ ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ । ସେ ଇଂଲଣ୍ଡ ଗସ୍ତରେ ମଧ୍ୟ ଟିମ୍‌ ଇଣ୍ଡିଆରେ ସାମିଲ ହୋଇଛନ୍ତି । ଟିମ୍‌ ଇଣ୍ଡିଆ ଜୁନ୍ ୨୦ରୁ ଇଂଲଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । କୁଳଦୀପଙ୍କ ନିର୍ବନ୍ଧ ଉତ୍ସବରେ କ୍ରିକେଟର ରିଙ୍କୁ ସିଂହ ଏବଂ ଏସପି ସାଂସଦ ପ୍ରିୟା ସରୋଜ ସାମିଲ ହୋଇଥିଲେ । କୁଳଦୀପ ଏବଂ ବଂଶିକାଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଚଳିତବର୍ଷ ନଭେମ୍ବର ୧୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ସେପଟେ ରିଙ୍କୁ ସିଂହଙ୍କ ସହ କୁଳଦୀପଙ୍କ ନିର୍ବନ୍ଧରେ ସାମିଲ ହୋଇଥିବା ପ୍ରିୟା ସରୋଜ ସମାଜବାଦୀ ପାର୍ଟିର ସାଂସଦ । ସେ ରିଙ୍କୁ ସିଂହଙ୍କୁ ବିବାହ କରିବେ । ପ୍ରିୟାଙ୍କ ବାପା ତୁଫାନି ସରୋଜ ଜଣେ ଏସପି ବିଧାୟକ ।

Comments (0)
Add Comment