ନୂଆଦିଲ୍ଲୀ,: ଦେଶରେ ଗତ କିଛି ଦିନ ହେବ ହାର୍ଟ ଆଟାକ କାରଣରୁ ହଠାତ୍ ମୃତ୍ୟୁର ଅନେକ ଘଟଣା ଦେଖିବାକୁ ମିଳୁଛି । ଏହାପରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଏହାର ସଂପର୍କ କୋଭିଡ୍ ଟିକା ସହ ଅଛି କି? ଏହି ପରିସ୍ଥିତିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍-୧୯ ଟୀକାକରଣ ସଂପର୍କରେ ଚାଲିଥିବା ସମସ୍ତ ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ, ଦେଶରେ ଅନେକ ଏଜେନ୍ସି ମାଧ୍ୟମରେ ହଠାତ୍ ଏବଂ ଅସ୍ପଷ୍ଟ ମୃତ୍ୟୁ ଘଟଣାର ତଦନ୍ତ କରାଯାଇଛି । ଏହି ଅଧ୍ୟୟନଗୁଡିକ ନିଷ୍କର୍ଷରେ ପ୍ରମାଣିତ କରିଛି ଯେ, କୋଭିଡ୍ ଟୀକାକରଣ ଓ ଦେଶରେ ହଠାତ୍ ମୃତ୍ୟୁ ଘଟଣା ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା କରାଯାଇଥିବା ଅଧ୍ୟୟନଗୁଡ଼ିକ ଏହା ସ୍ପଷ୍ଟ କରିଛି ଯେ, ଭାରତରେ କରୋନା ଟିକା ସୁରକ୍ଷିତ ଓ ପ୍ରଭାବୀ ଅଟେ । ଏଥିରୁ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ଘଟଣା ବହୁତ କମ୍ ସଂଖ୍ୟାରେ ଦେଖିବାକୁ ମିଳିଛି । ମନ୍ତ୍ରଣାଳୟ କହିଛି ଯେ ହୃଦୟ ସମ୍ବନ୍ଧୀୟ ହଠାତ ମୃତ୍ୟୁ ବିଭିନ୍ନ କାରଣରୁ ହୋଇପାରେ, ଯେଉଁଥିରେ ବଂଶାନୁକ୍ରମିକ ଗୁଣ, ଜୀବନଶୈଳୀ, ପୂର୍ବରୁ ଥିବା ରୋଗ ଓ କୋଭିଡ୍ ପରେ ଦେଖାଦେଇଥିବା ଜଟିଳତା ଅନ୍ତର୍ଗତ ।