ମୁମ୍ବାଇ, ୧ା୮ : ବଲିଉଡ ଅଭିନେତା ରାଜକୁମାର ରାଓ ଗତ ସୋମବାର ଜଲନ୍ଧରର ଜେଏମଆଇସି କୋର୍ଟରେ ବିଚାରପତି ଶ୍ରୀଜନ ଶୁକ୍ଲାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ । ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ “ବେହେନ ହୋଗି ତେରୀ’ର ପ୍ରଚାର ସମୟରେ ଏକ ବିବାଦୀୟ ପୋଷ୍ଟର ଯୋଗୁଁ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ କୋର୍ଟରେ ହାଜର ନହେବା ଯୋଗୁଁ ରାଓଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା । ଜୁଲାଇ ୩୦ରେ ହୋଇଥିବା ଶୁଣାଣିରେ ରାଓଙ୍କ ଓକିଲ ଦର୍ଶନ ସିଂହ ଦୟାଲ ଯୁକ୍ତି ରଖିଥିଲେ ଯେ, କୋର୍ଟରୁ ରିହାଇ ମିଳିବା ପରେ ରାଓ ତଦନ୍ତରେ ସାମିଲ ହୋଇଥିଲେ । ପୋଲିସ ତଦନ୍ତ ସମାପ୍ତ କରି ଚାର୍ଜସିଟ ଦାଖଲ କରିଥିଲା । କିନ୍ତୁ, କୋର୍ଟର ସମନ ରାଓଙ୍କ ପୁରୁଣା ଠିକଣା ଗୁରୁଗ୍ରାମର ପ୍ରେମ ନଗରକୁ ପଠାଯାଇଥିଲା, ଯେଉଁଠାରେ ସେ ଏବେ ରହୁନାହାନ୍ତି । ଓକିଲ କୋର୍ଟକୁ ଜଣାଇଥିଲେ ଯେ, ରାଓ ବର୍ତ୍ତମାନ ମୁମ୍ବାଇର ଅନେ୍ଧରୀ ପଶ୍ଚିମର ଓବେରୋଇ ସ୍ପ୍ରିଙ୍ଗସରେ ରହୁଛନ୍ତି ଏବଂ ସମନ ପାଇନଥିଲେ । ମାମଲା ସମ୍ପର୍କରେ ଜାଣିବା ପରେ ସେ ତୁରନ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହି ଯୁକ୍ତିକୁ ଗ୍ରହଣ କରି କୋର୍ଟ ରାଜକୁମାର ରାଓଙ୍କୁ ଜାମିନ ପ୍ରଦାନ କରିଛି । ଏଏନଆଇ ରିପୋର୍ଟ ଅନୁଯାୟୀ, ଓକିଲ ଦୟାଲ କହିଛନ୍ତି, ଧାର୍ମିକ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା (ଧାରା ୨୯୫ଏ), ଅପରାଧିକ ଷଡ଼ଯନ୍ତ୍ର (ଧାରା ୧୨୦ବି) ଓ ଆଇଟି ଆଇନର ଧାରା ୬୭ ଅନୁଯାୟୀ ଏଫଆଇଆର ରୁଜୁ ହୋଇଥିଲା, ଯେଉଁଥିପାଇଁ ଅଭିନେତାଙ୍କ ବିରୋଧରେ ଜାମିନଯୋଗ୍ୟ ନୁହେଁ ଏକ ପରୱାନା ଜାରି ହୋଇଥିଲା । ସେ ଆହୁରି କହିଛନ୍ତି ଯେ, ଶ୍ରୁତି ହାସନଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରି ମୁକ୍ତ କରିଛି । ଏହାସହ ଫିଲ୍ମର ନିର୍ଦ୍ଦେଶକ ଅଜୟ କେ ପନ୍ନାଲାଲ ଆଜି କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କ ଆବେଦନ ମଧ୍ୟ ଦାଖଲ ହୋଇଛି । ଆବେଦନରେ କୁହାଯାଇଛି ଯେ, ରାଓ ଫିଲ୍ମରେ କେବଳ ଏକ ଚରିତ୍ରରେ ଅଭିନୟ କରୁଥିଲେ, ଯେଉଁଥିରେ ସେ ଜାଗରଣ ଦଳର ଅଂଶ ହିସାବେ ଭଗବାନ ଶିବଙ୍କ ଭୂମିକାରେ ଥିଲେ । ପୋଷ୍ଟରଟି କେବଳ କଳାତ୍ମକ ଅଭିବ୍ୟକ୍ତି ଥିଲା ଏବଂ କୌଣସି ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବାର ଉଦ୍ଦେଶ୍ୟ ନଥିଲା । ଏଦିଗରେ, ରାଜକୁମାର ଓ ତାଙ୍କ ପତ୍ନୀ ପତ୍ରଲେଖା ନିକଟରେ ନିଜର ପ୍ରଥମ ସନ୍ତାନ ଆଗମନ ଘୋଷଣା କରିଛନ୍ତି । ଜୁଲାଇ ମାସରେ ଏହି ଦମ୍ପତି ଗର୍ଭଧାରଣ ଖବର ପ୍ରକାଶ କରିଥିଲେ ।