କ୍ୟାବିନେଟ୍ ନିଷ୍ପତ୍ତି: ଜିଏସଟି ଆଇନରେ ସଂଶୋଧନ ଓ ଇଟାଭାଟି ରାଜସ୍ୱ ହାନି ରୋକିବାକୁ “ଟ୍ରାକ୍ ଆଣ୍ଡ ଟ୍ରେସ୍’ ବ୍ୟବସ୍ଥା

Cabinet decision: Amendments in GST law and "Track and Trace" system to prevent loss of brick kiln revenue

ଭୁବନେଶ୍ୱର, ୧ା୮ : ବାଲି ଖନନ, ଇଟାଭାଟି ଓ ପାନମସଲା ଆଦି କ୍ଷେତ୍ରରେ ରାଜସ୍ୱ ହାନିକୁ ରୋକିବା ନିମନ୍ତେ ଏଣିକି “ଟ୍ରାକ୍ ଆଣ୍ଡ ଟ୍ରେସ୍’ ବ୍ୟବସ୍ଥାକୁ ଉପଯୋଗ କରି ଜୋରିମାନା ଆଦାୟ କରାଯିବ । ଏଥିପାଇଁ ଜିଏସଟି ଆଇନ-୨୦୧୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪ ବିଭାଗର ମୋଟ ୫ପ୍ରସ୍ତାବ ଆଲୋଚନା ପରେ ଅନୁମୋଦିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତିଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ-୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଟିକସ ଦାତା ଓ ଟିକସ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକରଣ ସହ ସୁବିଧା କରାଯାଇଛି । ପ୍ରସ୍ତାବିତ ସଂଶୋଧନଗୁଡ଼ିକ ମଧ୍ୟରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇବା କ୍ଷେତ୍ରରେ ପ୍ଲାଂଟ ଏବଂ ମେସିନାରୀ ଓ ପ୍ଲାଂଟ କିମ୍ବା ମେସିନାରୀ ମଧ୍ୟରେ ଅସ୍ପଷ୍ଟତାକୁ ଦୂର କରାଯାଇଛି । ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା ପ୍ରଦାନ, ଟିକସ ଫାଙ୍କି ରୋକିବା ପାଇଁ କ୍ରେଡିଟ୍ ନୋଟ୍ ଗ୍ରହୀତାଙ୍କୁ ଆନୁପାତି ଭାବେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରିଭର୍ସ କରିବା ଜରୁରୀ କରାଯାଇଛି । ସେହିପରି ପାନ ମସଲା, ଇଟାଭାଟି ଓ ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନି ରୋକିବା ପାଇଁ ଟ୍ରାକ ଆଣ୍ଡ ଟ୍ରେସ ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ବା ଦେୟ କରର ୧୦% ଜୋରିମାନା (ଯାହା ଅଧିକ ହେବ) ଦେବାକୁ ପଡ଼ିବ । ସେହିପରି ସ୍ଥାନୀୟ ପାଣ୍ଠ ଓ ମ୍ୟୁନିସିପାଲ ପାଣ୍ଠିର ଶବ୍ଦଗୁଡ଼ିକରେ ସ୍ପଷ୍ଟତା ଅଣାଯାଇଛି । ଭାଉଚର ସମ୍ବନ୍ଧୀୟ ଦେଣନେଣର ସମୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ବ୍ୟବସ୍ଥା ହଟାଇବା ଏବଂ କେବଳ ଜୋରିମାନା ସମ୍ବନ୍ଧୀୟ ଆଦେଶ ବିରୋଧରେ ଅପିଲ କରିବାକୁ ଜୋରିମାନା ରାଶିର ୧୦% ଆଗୁଆ ଜମା କରିବା ଜରୁରୀ ହୋଇଛି । ସେହିପରି ଆର୍ଥିକ ପ୍ରୋତ୍ସାହନର ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ କେତେକ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୧୬ ନଭେମ୍ବର ୨୪ତାରିଖରୁ କାର୍ଯ୍ୟକାରୀ ହେଉଥିବା ଏହି ନୀତି ଅଧୀନରେ ଥିବା ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ (ନଭେମ୍ବର ୩୦,୨୦୨୨ରୁ କାର୍ଯ୍ୟକାରୀ)ର ଅନୁରୂପ ବ୍ୟବସ୍ଥା ସହିତ ସମାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କ୍ୟାବିନେଟ୍ ଏହି ଆର୍ଥିକ ପ୍ରୋତ୍ସାହନ ଅନୁମୋଦନ ପ୍ରକ୍ରିୟାକୁ ସରଳୀକରଣ ଓ ବର୍ଦ୍ଧିତ ଆର୍ଥିକ ପରିମାଣ କ୍ଷମତାକୁ ମଞ୍ଜୁରୀ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବିଶିଷ୍ଟ “ଡିଏଲସି’ ୧କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ମେସିନାରୀରେ ନିବେଶ, ଶିଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତା ବିଶିଷ୍ଟ “ଏସଡିଏଲଏସି’ରେ ୧କୋଟିରୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ୍ ଓ ଯନ୍ତ୍ରପାତିରେ ନିବେଶ ଏବଂ ଏମଏସଏମଇ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ “ଏସଏଲଡି’ରେ ୧୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ଯନ୍ତ୍ରପାତିରେ ନିବେଶ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦେଇପାରିବେ । ଏହା ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରକ୍ରିୟାକୁ ସରଳ କରିବ, ଯାହାଫଳରେ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ବୃଦ୍ଧି ଓ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି । ସେହିପରି ରାଜ୍ୟ କ୍ୟାବିନେଟ୍ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାର ଅବଧିକୁ ଆଉ ୫ବର୍ଷ ବୃଦ୍ଧି ନିମନ୍ତେ ଅନୁମୋଦନ କରିଛନ୍ତି । ଏହି ଆଡ଼ିବନ୍ଧ ତିଆରି ଯୋଜନା-୩.୦କୁ ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଂଚ ବର୍ଷ ବୃଦ୍ଧି କରାଯିବା ସହ ଏହି ଯୋଜନାରେ ଆଉ ୨୭୩୮କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଦ୍ୱାରା ୫୭,୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରିବା ସହ ୪୧,୭୧୩ ହେକ୍ଟର ଚାଷ ଜମିକୁ ପୁନଃଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଯୋଜନାରେ ମୌସୁମୀ ପରବର୍ତ୍ତୀ ସମୟରେ ଗାଁଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇବା, ଭୂତଳ ଜଳ ପୁନଃଭରଣ ଓ ଖରିଫ ଜଳସେଚନକୁ ବୃଦ୍ଧି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି । ତେବେ ରାଜ୍ୟ ସରକାର ଓଡ଼ିଶା ଜିଲ୍ଲା ଓ ସିଭିଲ କୋର୍ଟ ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ, ୨୦୦୮ରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ଅପରାଧୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ କାର୍ଯ୍ୟକାରୀ ହେବା ପରେ ନ୍ୟାୟିକ କର୍ମଚାରୀଙ୍କ ଆଇନଗତ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଏହି ସଂଶୋଧନ ଆବଶ୍ୟକ ହୋଇଛି । ଏହା ଦ୍ୱାରା କୋର୍ଟର ନୈତିକ କାର୍ଯ୍ୟ ସୁଗମ ହେବା ସହ ମାମଲାର ଶୀଘ୍ର ନିଷ୍ପତ୍ତି ସମ୍ଭବ ହେବ । ତେବେ ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ- ୧୯୭୧ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ରାଜ୍ୟ ପ୍ରସିକ୍ୟୁସନ ସର୍ଭିସ (ଓଏସପିଏସ୍) କ୍ୟାଡରରେ ଆଇନ ଅଧିକାରୀଙ୍କ ଅଭାବ ଦୂର କରିବା ଏବଂ ବକେୟା ମାମଲାର ଭାର ହ୍ରାସ କରି ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଏହି ସଂଶୋଧନ ଆଣାଯାଇଛି । ଶେଷଥର ପାଇଁ ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ ଏହି ନିୟମର ସଂଶୋଧନ ହୋଇଥିଲା ।

Comments (0)
Add Comment