କୋଟପାଡ, : ଜୀବନ ନେଲା ସୋସିଆଲ୍ ମିଡିଆରେ ରିଲ୍ସ ନିଶା । ରବିବାର କୋଟପାଡ଼ ଥାନା ଚାନ୍ଦିଲି ନିକଟ ଗୁଲମୀ ଜଳପ୍ରପାତରେ ନିକଟରେ ରିଲ୍ସ କରିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାର ମିର୍ଗାନ ସାହିର ଦୁଇ ନାବାଳକ ଭାସି ଯାଇଥିବା ସୂଚନା ମିଳିଛି । ଦୁଇ ନାବାଳକ କିରନ ମୀର୍ଗାନ (୧୬ ବର୍ଷ) ଓ ଆଲୋକରାଜ ସୁନା (୧୬ ବର୍ଷ) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୋଷାଗୁମୁଡା ଗ୍ରାମର ୫ଜଣ ସାଙ୍ଗ ଦୁଇଟି ବାଇକରେ କୋଟପାଡ଼ ଥାନା ଚାନ୍ଦିଲି ନିକଟ ଗୁଲମୀ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ଜଳପ୍ରପାତ ନିକଟରେ ବୁଲିବା ସହ ରିଲ୍ସ କରୁଥିଲେ । ଏତିକି ବେଳେ ଅଲୋକ ଓ କିରଣ ଜଳ ସ୍ରୋତରେ ଭାସି ଯାଇଥିଲେ । ଗୁଲମୀ ନିକଟରେ ନେଟୱର୍କ ସୁବିଧା ନଥିବା ହେତୁ ବହୁତ କଷ୍ଟରେ ଅନ୍ୟ ତିନିଜଣ ସାଙ୍ଗ ପରିବାର ଲୋକ, ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ଏବେ ସୁଦ୍ଧା ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଦୁଇ ସାଙ୍ଗ ଚଳିତ ବର୍ଷ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୁହେଁ ଅତି ଘନିଷ୍ଠ ବନ୍ଧୁ ଥିଲେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ନାବାଳକଙ୍କ ପରିବାର ଏବଂ ସମ୍ପର୍କୀୟ ଉପସ୍ଥିତ ଅଛନ୍ତି ।