ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋକୁ “ଲିଫ ଏରିକସନ ଲୁନର’ ପୁରସ୍କାର

"Leaf Ericson Lunar" award to ISRO for the success of Chandrayaan-3

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କୁ ବୁଧବାର ହୁସାଭିକ୍‌ ସଂଗ୍ରହାଳୟ ଦ୍‌ୱାରା ପ୍ରତିଷ୍ଠିତ ” ଲିଫ ଏରିକସନ ଲୁନର’ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ପୁରସ୍କାର ଚନ୍ଦ୍ର ଅଭିଯାନକୁ ଆଗକୁ ବଢାଇବାକୁ ତଥା ବିଶେଷ ରୂପେ ସଫଳ ଚନ୍ଦ୍ରଯାନ-୩ ମିସନ ମାଧ୍ୟମରେ ମହାକାଶୀୟ ରହସ୍ୟ ଉଜାଗର କରିବା ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଇସ୍ରୋଙ୍କୁ ଦିଆଯାଇଛି। ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କୁ ପ୍ରତିଷ୍ଠିତ ଲିଫ ଏରିକସନ ଲୁନର ପୁରସ୍କାର ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରୋଙ୍କୁ ଆଇସ୍‌ଲ୍ୟାଣ୍ଡରେ ହୁସାଭିକ୍‌ ସଂଗ୍ରହାଳୟ ଦ୍ୱାରା ଏହି ପ୍ରତିଷ୍ଠିତ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ୍‌.ସୋମନାଥ ଏକ “ଧନ୍ୟବାଦ’ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଓ ଏଜେନ୍ସୀ ପକ୍ଷରୁ ରାଜଦୂତ ବି.ଶ୍ୟାମ୍‌ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ୨୩ ଅଗଷ୍ଟରେ ଚନ୍ଦ୍ରଯାନ-୩ର ସଫଳତା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଦିନ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହା ସହିତ ଆମେରିକା, ଋଷିଆ ଓ ଚୀନ୍‌ ପରେ ଚନ୍ଦ୍ର ଅବତରଣରେ ଭାରତ ବିଶ୍ୱର ଚତୁର୍ଥ ଦେଶରେ ପରିଣତ ହୋଇଛି। ଏହି ମିସନ ନା କେବଳ ବୈଷୟିକ କୌଶଳ ପ୍ରଦର୍ଶନ କରିଥିଲା ବରଂ ଚାରିବର୍ଷ ପୂର୍ବେ ଚନ୍ଦ୍ରଯାନ-୨ର କ୍ରାସ ଲ୍ୟାଣ୍ଡିଂର ନିରାଶା ପରେ ସଫଳତାର ସଂକେତ ଦେଇଛି। ଲିଫ୍‌ ଏରିକସନ ଲୁନର ପୁରସ୍କାର ୨୦୧୫ ରୁ ଗବେଷଣା ସଂଗ୍ରହାଳୟ ଦ୍ୱାରା ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର। ଏହାର ନାମ ଲିଫ ଏରିକସନ୍‌ଙ୍କ ନାମ ଆଧାରରେ ରଖା ଯାଇଛି। ଲିଫ ଏରିକସନ୍‌ଙ୍କୁ କ୍ରିଷ୍ଟୋଫର କଲମ୍ବସଙ୍କ ଅଭିଯାନର ପାଖାପାଖି ୪ ଶତାବ୍ଦୀ ପୂର୍ବରୁ ଆମେରିକା ମହାଦ୍ୱୀପରେ ପାଦ ପକାଇଥିବା ପ୍ରଥମ ୟୁରୋପୀୟ ଭାବେ ଜଣାଯାଏ।ଲ୍ୟାଣ୍ଡିଂ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ବିଭିନ୍ନ କାର୍ଯ୍ୟ କରିଥିଲେ। ଯେଉଁଥିରେ ଚନ୍ଦ୍ର ପୃଷ୍ଠରେ ସଲଫର ଓ ଅନ୍ୟ ତତ୍ତ୍ୱର ଉପସ୍ଥିତି ଜଣାପଡିବା ସହ ସାପେକ୍ଷା ତାପମାତ୍ରା ରେକର୍ଡ କରିବା ଓ ଚନ୍ଦ୍ର ଗତିବିଧି ନିରକ୍ଷଣ କରିବା ସାମିଲ ଥିଲା। ଚନ୍ଦ୍ରଯାନ- ୩ର ସଫଳତା ଚନ୍ଦ୍ର ଗବେଷଣାରେ ଭାରତର ସ୍ଥିତିକୁ ଆହୁରି ମଜଭୁତ କରିଛି। ଚନ୍ଦ୍ର ବିଜୟ ପରେ ଭାରତ ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ କରିଥିବା ନିଜର ପ୍ରଥମ ସୌର ମିସନ ଆଦିତ୍ୟ ଏଲ୧ ସହିତ ଦ୍ରୁତ ଆଗକୁ ବଢୁଛି।

#dumanikhabar#india#latestnews#New Delhi#news
Comments (0)
Add Comment