ନୂଆଦିଲ୍ଲୀ,: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସ୍ଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା । ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ ବୀମା ସମେତ ବିଭିନ୍ନ କ୍ଷେତ୍ର ଏହି ରିହାତି ଜନସାଧାରଣଙ୍କୁ ପୂର୍ଣ୍ଣ ରୂପେ ମିଳୁଛି କି ନାହିଁ, ତାହା ଉପରେ କଡ଼ା ନଜର ରଖାଯିବ । ସେ କହିଛନ୍ତି, ଆମର ମୁଖ୍ୟ ଧ୍ୟାନ ହେଉଛି ହାର ହ୍ରାସର ଲାଭ ଜନତାଙ୍କୁ ମିଳିବା । ୨୨ ସେପ୍ଟେମ୍ବର ପରେ ଆମ ପାଇଁ ଏକ ବଡ଼ ନିରୀକ୍ଷଣ କାର୍ଯ୍ୟ ରହିଛି । ଆମେ ଆତ୍ମବିଶ୍ୱାସୀ ଯେ ଏହାର ଲାଭ ସାଧାରଣଙ୍କୁ ମିଳିବ । ସେ ଆହୁରି କହିଛନ୍ତି ଯେ ସରକାରୀ ଓ ବେସରକାରୀ କମ୍ପାନୀ ତଥା ବୀମା କମ୍ପାନୀଗୁଡ଼ିକ ସମ୍ପୂର୍ଣ୍ଣ ଲାଭ ହସ୍ତାନ୍ତରର ଆଶ୍ୱାସନା ଦେଇଛନ୍ତି । ଯଦି କୌଣସି କମ୍ପାନୀ ଏହା ବିପରୀତ କହେ, ଆମେ ସେମାନଙ୍କ ସହ କଥା ହେବୁ । ଏହା ଦ୍ୱାରା ଉପଭୋଗ ବଢ଼ିବ ଓ ଆୟ ମଧ୍ୟ ବୃଦ୍ଧି ପାଇବ, ସେ କହିଛନ୍ତି । ସୀତାରମଣ ଜୋର ଦେଇ କହିଛନ୍ତି ଯେ ଜିଏସ୍ଟି ୨.୦ ମଧ୍ୟବିତ୍ତଙ୍କୁ ମୂଳ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଛି । ସାଧାରଣ ଓ ମଧ୍ୟବିତ୍ତଙ୍କର ମୌଳିକ ଆବଶ୍ୟକତା ଓ ଆକାଂକ୍ଷା ଜିଏସଟି ସଂସ୍କାରର ମୁଖ୍ୟ କେନ୍ଦ୍ର । ୯୯% ଜିନିଷ ଏବେ ୫% କିମ୍ବା ତା\’ଠାରୁ କମ ଟିକସ ବର୍ଗରେ ରହିଛି । କେବଳ ୧% ଜିନିଷ ୪୦% ବର୍ଗକୁ ଗଲାଣି, ସେ କହିଛନ୍ତି ।